ମହାନଦୀ ବିରୋଧରେ ପୁଣି ଷଡ଼୍‌ଯନ୍ତ୍ର!

ଭୁବନେଶ୍ୱର : ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ଅଧାପନ୍ତରିଆ ଅବସ୍ଥାରେ ରହିଛି। ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଟର୍ମସ ଆଣ୍ଡ ରେଫରେନ୍ସ ବିଜ୍ଞପ୍ତି ଜାରି କରିନାହାନ୍ତି। ଏମିତି ସ୍ଥିତିରେ ଗୋଟିଏ ପଟେ ଛତିଶଗଡ଼ ସରକାର ଇବ୍‌ ଉପନଦୀ ଉପରେ ବନ୍ଧ ନିର୍ମାଣ ପାଇଁ ଯୋଜନା କରୁଥିବା ବେଳେ ଅନ୍ୟପଟରେ ଏପ୍ରିଲ ୧୨ ତାରିଖରେ କେନ୍ଦ୍ର ସରକାର ପୁଣି ଥରେ ଅନ୍ତଃରାଜ୍ୟ ବୈଠକ ଡାକିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଥରେ ଟ୍ରିବ୍ୟୁନାଲ ଘୋଷଣା କରାଯିବା ପରେ ହଠାତ୍‌ କାହିଁକି ପୁଣି ଅନ୍ତଃରାଜ୍ୟ ବୈଠକ ଡାକିବା ଲାଗି କେନ୍ଦ୍ର ଆଗ୍ରହ ଦେଖାଉଛି, ଟ୍ରିବ୍ୟୁନାଲ ପ୍ରକ୍ରିୟାକୁ ହଠାତ୍‌ ଅଟକାଇ ଦିଆଯିବା ପଛର କାରଣ କଣ ସେ ନେଇ ସାଧାରଣରେ ସନ୍ଦେହ ବଢିଲାଣି।

ପରିସ୍ଥିତି ଗମ୍ଭୀର ଆଡକୁ ଯାଉଥିବା ଲକ୍ଷ୍ୟ କରି ମହାନଦୀ ମହାବିବାଦ ପ୍ରସଙ୍ଗକୁ ନେଇ ଶାସକ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ମହାସଂଗ୍ରାମ ଆରମ୍ଭ କରିବା ଲାଗି ଆଜି ଘୋଷଣା କରିଛି। ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତାମାନେ ଏ ସଂପର୍କରେ ସୂଚନା ଦେଇଛନ୍ତି। କହିଛନ୍ତି, ଆସନ୍ତା ୧୫ ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ ଏକ ମହାସମ୍ମିଳନୀ କରାଯିବ। ସେଥିରେ ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାର ଲୋକ ପ୍ରତିନିଧି ଯୋଗଦେବେ। ରାଜ୍ୟ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ଠାରୁ ଆରମ୍ଭ କରି ବିଜେଡି ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଓ ନଗର ସଭାପତି ଏବଂ ବ୍ଲକ ଓ ପୌରାଞ୍ଚଳ ଅଧ୍ୟକ୍ଷ, ଯୁବ-ଛାତ୍ର-ମହିଳା ରାଜ୍ୟ ସଭାପତି ଏବଂ ବିଜୁ ଜନତା ଦଳ ରାଜ୍ୟ କର୍ମକର୍ତ୍ତା ଏଥିରେ ଯୋଗଦେବେ। ମହାନଦୀ ପ୍ରସଙ୍ଗରେ ଠୋସ୍‌ କି ପଦକ୍ଷେପ ନିଆଯିବ, ସେ ନେଇ ଏହି ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।

ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା କହିଥିଲେ ଯେ ମହାନଦୀ ଓଡ଼ିଶାର ଜୀବନରେଖା। ନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରୁଛନ୍ତି ଓ କେନ୍ଦ୍ର ସରକାର ଏହାକୁ ପରୋକ୍ଷରେ ସମର୍ଥନ ଯୋଗାଇ ଚାଲିଛି। ପ୍ରଥମେ ସୁପ୍ରିମକୋର୍ଟ ଏକମାସ ମଧ୍ୟରେ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ନିର୍ଦ୍ଦେଶ ଦେଲେ। କେନ୍ଦ୍ର ସରକାର ଏହାକୁ ଫାଙ୍କିବାକୁ ଚେଷ୍ଟା କଲେ। ଶେଷରେ ଚାପରେ ପଡି ଟ୍ରିବ୍ୟୁନାଲ୍‌ ଗଠନ ହେଲା, ମାତ୍ର ଏଯାଏ କେବଳ ସଦସ୍ୟଙ୍କ ନାମ ଘୋଷଣା ହୋଇଛି। ଟର୍ମସ ଅଫ୍‌ ରେଫରେନ୍ସ ଘୋଷଣା କରାଗଲା ନାହିଁ।

ସବୁଠାରୁ ବଡ଼ କଥା ହେଉଛି, କଟା ଘା’ରେ ଚୂନ ମାରିଲା ଭଳି ଇବ୍‌ ଉପନଦୀ ମୈନୀ ଉପରେ ଛତିଶଗଡ଼ ସରକାର ବନ୍ଧ ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାକୁ କେନ୍ଦ୍ର ସରକାର ପରୋକ୍ଷ ସମର୍ଥନ ଯୋଗାଉଛି। ମହାନଦୀକୁ ଶୁଖାଇଦେବା ଲାଗି ଚାଲିଥିବା ଷଡ଼୍‌ଯନ୍ତ୍ରର ଏହା ଅଂଶବିଶେଷ।

ବିଜେଡି ଅଭିଯୋଗ କରିଛି, ବର୍ତ୍ତମାନ ସୁଦ୍ଧା ମହାନଦୀରେ ଅଣମୌସୁମୀ ଜଳପ୍ରବାହ ୪୦% ହ୍ରାସ ପାଇଛି। ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାରେ ଉତ୍କଟ ଜଳାଭାବ ଦେଖାଦେଲାଣି। ଏପରିକି ରବି ଋତୁରେ ଚାଷୀ ଜମିକୁ ଠିକ୍‌ ଭାବେ ଜଳସେଚିତ କରାଯାଇପାରୁ ନାହିଁ। ୫ବର୍ଷର ହାରାହାରି ହିସାବକୁ ବିଚାରକୁ ନେଲେ ଜଣାପଡୁଛି ଯେ ଡେଲ୍‌ଟା ଷ୍ଟେଜ-୧ରେ ୫୬.୬% ଓ ଷ୍ଟେଜ୍‌ ୨ରେ ୧୪% ହ୍ରାସ ପାଇଛି। ବିଦ୍ୟୁତ ଉତ୍ପାଦନ ମଧ୍ୟ ୨୦% ହ୍ରାସ ପାଇଛି। ଚାଷବାସ ଉଚ୍ଛନ୍ନ ହୋଇଯିବାକୁ ବସିଲାଣି। ଜୀବନଜୀବିକା ଭୁଶୁଡି ପଡିବାକୁ ଯାଉଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଏକାଧିକବାର ଅବଗତ କରିଛନ୍ତି। ବିଧାନସଭାରେ ମଧ୍ୟ ପ୍ରସ୍ତାବ ଗ୍ରହଣ ହୋଇଛି। ଦଳମତ ନିର୍ବିଶେଷରେ ସମସ୍ତେ ଏହି ଜନଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏନ୍‌ଜିଟି ଛତିଶଗଡ଼କୁ ଚେତାବନୀ ଶୁଣାଇଛନ୍ତି ଏବଂ ଆଉ କୌଣସି ନିର୍ମାଣ ମହାନଦୀ ଉପରେ ନକରିବାକୁ କହିଛନ୍ତି। ହେଲେ ଏସବୁର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ।

ସାଧାରଣ ସଂପାଦକ ଶ୍ରୀଦାସବର୍ମା କହିଥିଲେ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ଏକ ପ୍ରଶ୍ନ କରି ପଚାରିଥିଲେ ଯେ ଟ୍ରିବ୍ୟୁନାଲ୍‌ ଗଠନ ପ୍ରକ୍ରିୟା କେଉଁ ସ୍ଥାନରେ ଅଛି? ୨୦୧୮ ମାର୍ଚ୍ଚ ୨୬ରେ କେନ୍ଦ୍ରମନ୍ତ୍ରୀ ଜଣାଇଲେ ଟର୍ମସ୍‌ ଅଫ୍‌ ରେଫରେନ୍ସ ସଂପର୍କରେ ପଦକ୍ଷେପ ନିଆଯାଇଛି। କିନ୍ତୁ ଦୁଃଖର କଥା, ଯେଉଁ ଟର୍ମସ୍‌ ଅଫ୍‌ ରେଫରେନ୍ସ କଥା କେନ୍ଦ୍ରମନ୍ତ୍ରୀ କହୁଥିଲେ, ସେ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିନାହାନ୍ତି।

ବିଜେଡି କହିଛି, ବର୍ତ୍ତମାନ ଆଉ ଗୋଟିଏ ସନ୍ଦେହ ଉପୁଜିଲାଣି, କେନ୍ଦ୍ର ଜଳ ସଂପଦ ବିଭାଗ ଆନ୍ତରାଜ୍ୟ ବୈଠକ ଡାକିଛନ୍ତି। ସେଥିରେ ଉଲ୍ଲେଖ କରାଯାଇଛି ଯେ ମହାନଦୀ ଅବବାହିକାରେ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଆନ୍ତଃରାଜ୍ୟ ସମସ୍ୟାକୁ ନେଇ ଏପ୍ରିଲ ୧୨ ତାରିଖରେ ନୂଆଦିଲ୍ଲୀରେ ସିଡବ୍ଲ୍ୟୁସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଆଲୋଚନା ହେବ। କେନ୍ଦ୍ର ଜଳସଂପଦ ବିଭାଗ ମୁଖ୍ୟଶାସନ ସଚିବଙ୍କୁ ଆଉ ଗୋଟିଏ ଚିଠି ଗତ ଏପ୍ରିଲ ୩ ତାରିଖରେ ପଠାଇ ୫ଟି ରାଜ୍ୟର ଜଳ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଚିଠି କରିଛନ୍ତି। ଥରେ ଟ୍ରିବ୍ୟୁନାଲ ପାଇଁ କୋର୍ଟ କହିବାପରେ କେନ୍ଦ୍ରର ଏ ଡ୍ରାମାବାଜି କାହା ସ୍ୱାର୍ଥରେ ତାହା ଏବେ ମୁଖ୍ୟ ପ୍ରଶ୍ନ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର