ମହାନଦୀ ଟ୍ରିବୁନାଲ ଗଠନ ଦାବିରେ ଦିଲ୍ଲୀରେ ହେବ ସତ୍ୟାଗ୍ରହ

ଭୁବନେଶ୍ୱର : ମହାନଦୀ ଟ୍ରିବୁନାଲ ଗଠନ ଦାବିରେ ଆସନ୍ତା ୧୮ ଓ ୧୯ ତାରିଖରେ ଦିଲ୍ଲୀର ସଂସଦ ଭବନ ସମ୍ମୁଖରେ ସତ୍ୟାଗ୍ରହ ଅନୁଷ୍ଠିତ ହେବ। ଏନେଇ ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ଏକଚାଟିଆ ରାଜୁତିକୁ ନେଇ ଓଡ଼ିଶାର ସାଂସଦମାନେ ସଂସଦରେ ପ୍ରତିବାଦର ସ୍ୱର ଉଠାଇବାକୁ ନିଷ୍ପତ୍ତିି ହୋଇଛି। ଏଥିସହ ଆଇନଗତ ଲଢ଼େଇ  କରିବା ସହ ଟ୍ରିବୁନାଲ ଗଠନ ହୋଇ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଛତିଶଗଡ଼ରେ ମହାନଦୀ ଉପରେ ନିର୍ମାଣ ହେଉଥିବା ପ୍ରକଳ୍ପଗୁଡ଼ିକୁ ବନ୍ଦ କରିବାକୁ ଆହ୍ଵାନ ଦିଆଯାଇଛି। ଟ୍ରିବୁନାଲ ଗଠନରେ ବିଳମ୍ବ ହେବା ଦ୍ୱାରା ଛତିଶଗଡ଼ କରୁଥିବା ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଯିବ, ଯାହାକି ଆହୁରି ସମସ୍ୟା ସୃଷ୍ଟି କରିବ। ୧୮ ଏବଂ ୧୯ ତାରିଖରେ ହେବାକୁ ଥିବା ସତ୍ୟାଗ୍ରହ ଓ ଧାରଣାରେ ସବୁ ରାଜନୈତିକ ଦଳର କେନ୍ଦ୍ରୀୟ ନେତୃତ୍ୱ ଯୋଗଦେବାକୁ ବୈଠକରେ ସ୍ଥିର ହୋଇଛି। ଆଜିର ବୈଠକରେ ବିଜେଡି ସଂସଦ ପ୍ରତାପ ଦେବ, କଂଗ୍ରେସର ଗଣେଶ୍ୱର ବେହେରା, ସିପିଆଇର ରାମକୃଷ୍ଣ ପଣ୍ଡା, ତୃଣମୂଳ କଂଗ୍ରେସର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଫରଓ୍ଵାର୍ଡ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର, ସମାଜବାଦୀ ପାର୍ଟିର ରବି ବେହେରା, ଉତ୍କଳ ଭାରତର କମିଲୁଦ୍ଦିନ୍‌ ଅହମ୍ମଦ, ଭିଟାମାଟି ସୁରକ୍ଷା ଅଭିଯାନର ଅରୁଣ ଜେନା ପ୍ରମୁଖ ସାମିଲ ହୋଇଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଲଳିତ ମୋହନ ପଟ୍ଟନାୟକ, ବାସୁଦେବ ଭଟ୍ଟ, ମନୋଜ ଜେନା, ପ୍ରସନ୍ନ ବିଶୋଇ, ଅଶୋକ ପାଇକରାୟ, ନିରୋଦ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର