ମହାପ୍ରଭୁଙ୍କ ଦର୍ଶନ କଲେ ମହାନଦୀ ଟ୍ରିବୁନାଲ୍‌ ଟିମ୍‌

ଜଗଦାନନ୍ଦଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ମହାନଦୀ ଜନ ଆୟୋଗ

ଭୁବନେଶ୍ବର/ପୁରୀ : ମହାନଦୀ ଟ୍ରିବୁନାଲ୍‌ର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏମ୍ ଖାନୱଲିକର ସହ ଅନ୍ୟ ବିଚାରପତିମାନେ ଗୁରୁବାର ଦିନ ସପତ୍ନୀକ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଆଜି ଅପରାହ୍ଣରେ ଜଷ୍ଟିସ୍‌ ଖାନୱଲିକରଙ୍କ ସହ ଅନ୍ୟ ଦୁଇ ବିଚାରପତି ସପତ୍ନୀକ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରସିଦ୍‌ କାଟି ଶ୍ରୀମନ୍ଦିରରେ ବାନା ବାନ୍ଧିଥିଲେ। ମହାନଦୀ ଟ୍ରିବୁନାଲ୍‌‌ର ଓଡ଼ିଶା ଓ ଛତିଶଗଡ଼ର ୪୫ଜଣିଆ ସଦସ୍ୟଙ୍କ ସହ ବୈଷୟିକ ଦଳ ମଧ୍ୟ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଏହାପରେ ସେମାନେ ଭୁବନେଶ୍ବର ଫେରିଥିବାବେଳେ ହୋଟେଲ ମେ’ଫେୟାରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ରାତ୍ରିଭୋଜନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ସୂଚନାଯୋଗ୍ୟ, ମହାନଦୀ ଟ୍ରିବୁନାଲ୍‌‌ର ୩୨ଜଣିଆ ଦଳ ଆସନ୍ତା ୨୭ ଓ ୨୮ ତାରିଖ, ଦୁଇଦିନ ଧରି ପୁରୀ ଗସ୍ତରେ ଆସୁଛନ୍ତି। ଆସନ୍ତା ୨୭ ତାରିଖରେ ମହାନଦୀ ଟ୍ରିବୁନାଲ୍‌‌ ଚିଲିକା ମୁହାଣ ପରିଦର୍ଶନରେ ଯିବେ। ୨୭ ତାରିଖ ପୂର୍ବାହ୍ଣ ପ୍ରାୟ ୧୧ଟାରେ ବ୍ରହ୍ମଗିରିର ମିର୍ଜାପୁରଠାରେ ପହଞ୍ଚି ଚିଲିକା ମୁହାଣ ଅଭିମୁଖେ ଯାତ୍ରା କରିବେ। ଅରଖକୁଦାଠାରେ ଚିଲିକା ମୁହାଣ ଅର୍ଥାତ୍‌ ସମୁଦ୍ର ଓ ଚିଲିକାର ମିଳନସ୍ଥଳୀ ଦେଖିବେ, ସାତପଡ଼ାଠାରେ ଥିବା ସିଡିଏ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିବା ସହ ସେଠାରେ ପ୍ରାୟ ଦୁଇ ଘଣ୍ଟା ବିତାଇବା ପରେ ଗବକୁଣ୍ଡ ଜେଟି ଯିବେ। ୨୮ରେ ଭାର୍ଗବୀ, ଦୟା ନଦୀର ଜଳ ବିଭାଜନ ବ୍ୟବସ୍ଥା ଓ କୋଣାର୍କ ରାମଚଣ୍ଡୀଠାରେ କୁଶଭଦ୍ରା ସଙ୍ଗମସ୍ଥଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।

ଅପରପକ୍ଷେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବେଦନ ଓ ସୁପାରିସକ୍ରମେ ବିଶ୍ବ ବନ୍ୟା ଓ ମରୁଡ଼ି ଜନ ଆୟୋଗ ଦ୍ବାରା ମହାନଦୀ ଜନଆୟୋଗ ଗଠନ ହୋଇଛି। ପୂର୍ବତନ ସୂଚନା କମିସନ ଜଗଦାନନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଜନଆୟୋଗରେ ଭାରତ ନିର୍ବାଚନ କମିସନଙ୍କ ପୂର୍ବତନ ଉପ‌ଦେଷ୍ଟା ଡ. ଭଗବାନ ପ୍ରକାଶ, ପୂର୍ବତନ ଜଳସମ୍ପଦ ବିଭାଗ ସଚିବ ଅରବିନ୍ଦ ବେହେରା, ସୋଆ ବିଶ୍ବବିଦ୍ୟାଳୟର ପ୍ରଫେସର ଶିଶିରକାନ୍ତ ବେହେରା, ହିମାଲୟାନ ରିଭର ବେସିନ କାଉନସିଲ୍‌ର ଅଧ୍ୟକ୍ଷା ଇନ୍ଦିରା ଖୁରାନା, ପେନିନସୁଲାର ରିଭରବେସିନ୍ କାଉନସିଲ୍‌ର ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ବିନୋଦ ବୋଧଙ୍କର, କଲ‌ମ୍ବୋ ଆନ୍ତର୍ଜାତୀୟ ନଦୀ ଜଳ ପ୍ରତିଷ୍ଠାନର ନିର୍ଦ୍ଦେଶକ ତୁଷାର ଶାହା ପ୍ରମୁଖ ସଦସ୍ୟ ରହିଛନ୍ତି। ଏଥିରେ ଛତିଶଗଡ଼ର ଜଣେ ବିଶେଷଜ୍ଞଙ୍କୁ ମଧ୍ୟ ସାମିଲ୍‌ କରାଯିବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି।

ଶ୍ରୀ ଦାସ କହିଛନ୍ତି ଯେ, ଜୁନ୍‌ରୁ ଡିସେମ୍ବର (୬ମାସ) ମଧ୍ୟରେ ମହାନଦୀ ଜନ ଆୟୋଗ ଛତିଶଗଡ଼ ଓ ଓଡ଼ିଶାର ମହାନଦୀର ସ୍ଥିତିକୁ ନିରୀକ୍ଷଣ କରିବା ସହ ମହାନଦୀ ଅବବାହିକାରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ସହ ବିଚାରବିମର୍ଷ କରି ନଦୀର ବାସ୍ତବ ତଥ୍ୟ ସଂଗ୍ରହ କରିବ। ଏହାସହ ଜାତୀୟ ଓ ଅନ୍ତର୍ଜାତୀୟ ନଦୀ ଓ ଜଳ ବିଶେଷଜ୍ଞଙ୍କ ସହ ଏହି ଜନଆୟୋଗ ବିଚାରବିମର୍ଷ କରିବ। କେନ୍ଦ୍ର ସରକାର, ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ପଦାଧିକାରୀଙ୍କ ସହ ଆଲୋଚନା କରିବ, ମହାନଦୀର ଅବବାହିକାରେ ଉଭୟ ଛତିଶଗଡ଼ ଓ ଓଡ଼ିଶାର ବିଭିନ୍ନ ସ୍ଥାନରେ ନଦୀ ଉପରେ ନିର୍ଭରଶୀଳ ଲୋକଙ୍କୁ ନେଇ ବ୍ୟାପକ ଜନଶୁଣାଣି ଆୟୋଜନ ହେବ।

ସମ୍ବନ୍ଧିତ ଖବର