ଚିଲିକା ମୁହାଣ ଦେଖିବେ ମହାନଦୀ ଟ୍ରିବ୍ୟୁନାଲ

ଦୟା, ଭାର୍ଗବୀ, କୁଶଭଦ୍ରା ଚିତ୍ର ବି ଦେଖିବେ, ଆଜି ମହାପ୍ରଭୁଙ୍କ ଦର୍ଶନ

ପୁରୀ : ପୁରୀ ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ। ଏହି ଅବସରରେ ଟ୍ରିବ୍ୟୁନାଲ ଚିଲିକା ହ୍ରଦ ସହ ଚିଲିକା ଓ ସମୁଦ୍ରର ମିଳନସ୍ଥଳୀ ବୁଲି ଦେଖିବେ। ମହାନଦୀ ଜଳ କେଉଁ କେଉଁ ବାଟ ଦେଇ ଶେଷ ମୁଣ୍ଡରେ ପହଞ୍ଚୁଛି ଓ କିଭଳି ଚିଲିକା ଦେଇ ସମୁଦ୍ରରେ ମିଶୁଛି, ତା’ର ଚିତ୍ର ପ୍ରତ୍ୟକ୍ଷ ଦେଖିବେ। ଦୟା ଓ ଭାର୍ଗବୀର ଚିତ୍ର ବି ଦେଖିବେ। ଟ୍ରିବ୍ୟୁନାଲର ଗସ୍ତ ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର ପଣ୍ଡା, ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ ଇଂ. ରତ୍ନକର ଦଳାଇଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଜି ମହାନଦୀ ଟ୍ରିବ୍ୟୁନାଲର ୩୨ଜଣିଆ ଦଳ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଦର୍ଶନ ସାରି ଭୁବନେଶ୍ବର ଫେରିଯିବେ। ପୁନର୍ବାର ୨୭ ତାରିଖ ସକାଳେ ମହାନଦୀ ଟ୍ରିବ୍ୟୁନାଲ ପୁରୀରେ ପହଞ୍ଚିବା ପରେ ପୂର୍ବାହ୍ଣ ପ୍ରାୟ ୧୧ଟାରେ ବ୍ରହ୍ମଗିରିର ମିର୍ଜାପୁରଠାରେ ପହଞ୍ଚି ଚିଲିକା ମୁହାଣ ଅଭିମୁଖେ ଯାତ୍ରା କରିବେ। ଅରଖକୁଦାଠାରେ ସମୁଦ୍ର ଓ ଚିଲିକାର ମିଳନସ୍ଥଳୀ ଦେଖିବେ। ଏହି ଅବସରରେ ସାତପଡ଼ାଠାରେ ଥିବା ସିଡିଏ ଇଣ୍ଟର‌୍‌ପ୍ରିଟେସନ୍‌ ସେଣ୍ଟର୍‌ ବୁଲି ଦଖିବେ। ପ୍ରାୟ ଦୁଇ ଘଣ୍ଟା ବିତାଇବା ପରେ ଗବକୁଣ୍ଡ ଜେଟିକୁ ଯାଇ ପୁନର୍ବାର ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ପରଦିନ ଭାର୍ଗବୀ, ଦୟାର ଜଳ ବିଭାଜନ ବ୍ୟବସ୍ଥା ଅନୁଧ୍ୟାନ କରି କୋଣାର୍କ ରାମଚଣ୍ଡୀଠାରେ କୁଶଭଦ୍ରା ସଙ୍ଗମସ୍ଥଳ ଦେଖିବେ। ପରେ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ସାତପଡ଼ା, ମିର୍ଜାପୁର ଘାଟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ମହାନଦୀ ଟ୍ରିବ୍ୟୁନାଲ ପାଇଁ ମିର୍ଜାପୁର ଘାଟରୁ ବୋଟ୍‌ ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର