ମହାନଦୀ ଟ୍ରିବ୍ୟୁନାଲଙ୍କ ଝାରସୁଗୁଡ଼ା ଗସ୍ତ: ଓପିଜିସି ଇନ୍‌ଟେକ୍‌ ୱେଲ୍‌ ବୁଲି ଦେଖିଲେ

ଝାରସୁଗୁଡ଼ା : ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲଙ୍କ କ୍ଷେତ୍ର ପରିଦର୍ଶନର ତୃତୀୟଦିନରେ ଟିମ୍‌ର ସଦସ୍ୟମାନେ ସୋମବାର ଦିନ ଝାରସୁଗୁଡ଼ାର ଓପିଜିସି (ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ) ବୁଲି ଦେଖିଛନ୍ତି।

ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍‌ ପ୍ରାୟ ସାଢ଼େ ୧୦ଟା ବେଳେ ଜଷ୍ଟିସ୍‌ ଏଏମ୍‌ ଖାନୱିଲକରଙ୍କ ନେତୃତ୍ବରେ ଆସିଥିବା ଟ୍ରିବ୍ୟୁନାଲ ସଦସ୍ୟମ‌ାନେ ଓପିଜିସି ଗେଷ୍ଟ ହାଉସ୍‌ରେ ପହଞ୍ଚିଥିଲେ। ଏଠାରେ କିଛିସମୟର ବିଶ୍ରାମ ପରେ ଓପିଜିସି ମହାନଦୀର ଯେଉଁ ସ୍ରୋତରୁ ତାପଜ ବିଦ୍ୟୁତ୍‌ ପାଇଁ ପାଣି ଉଠାଉଛି, ସେହି ଇନ୍‌ଟେକ୍‌ ୱେଲ୍‌ ଓ ପଏଣ୍ଟ ଦେଖିଥିଲେ। ଏହାପରେ ମହାନଦୀରୁ ଆଉ କେଉଁ ଶିଳ୍ପସଂସ୍ଥାକୁ କେତେମାତ୍ରାରେ ପାଣି ଯାଉଛି, ସେନେଇ ମଧ୍ୟ ପଚରାଉଚରା କରିଥିବା ଜଣାପଡ଼ିଛି। ଟ୍ରିବ୍ୟୁନାଲଙ୍କ ଗସ୍ତକୁ ଆଖି ଆଗରେ ରଖି ଓପିଜିସି ଓ ବନହରପାଲି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଟ୍ରିବ୍ୟୁନାଲଙ୍କ ଗସ୍ତ ରୁଟ୍‌ରେ ପୁଲିସ୍‌ ମୁତୟନ କରାଯାଇଥିବା ବେଳେ ଓପିଜିସି ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା।
ଓପିଜିସିରେ ସ୍ଥିତି ନିରୀକ୍ଷଣ କରିବା ପରେ ଟିମ୍‌ ଝାରସୁଗୁଡ଼ା ଫେରି ଆସିଥିଲେ। ଅପରାହ୍ନରେ ସୁନ୍ଦରଗଡ଼ ଅଭିମୁଖେ ବାହାରି ଯାଇଥିଲେ।

ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ୍‌ ଏଏମ୍‌ ଖାନୱିଲକରଙ୍କ ସହିତ ଆଜିର ପରିଦର୍ଶନ ସମୟରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର, ୨ ଆସେସର, ଉଭୟ ରାଜ୍ୟର ଜଳସମ୍ପଦ ଅଧିକାରୀ, ଆଇନଜୀବୀ, ବୈଷୟିକ ଟିମର ସଦସ୍ୟଙ୍କ ସମେତ ଉତ୍ତରାଞ୍ଚଳ ରାଜସ୍ବ କମିସନର ସୁରେଶ ଚନ୍ଦ୍ର ଦଳାଇ, ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ, ଏସ୍‌ପି ସ୍ମିତ୍‌ ପରମାର ପି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର