ପୁରୀ/ଗୋପ : ମହାନଦୀ ଜଳବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଟ୍ରିବ୍ୟୁନାଲ୍ର ଦୁଇଦିନିଆ ପୁରୀ ଜିଲ୍ଲା ଗସ୍ତ ଶେଷହୋଇଛି।
ରବିବାର ସକାଳେ ମହାନଦୀ ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ୍ ଖାନୱଲିକରଙ୍କ ନେତୃତ୍ୱରେ ୬୦ ଜଣିଆ ଦଳ ପ୍ରଥମେ କୁଆଖାଇଠାରୁ ବାହାରିଥିବା ଭାର୍ଗବୀ ଓ ଦୟାର ଗତିପଥ ଅନୁଧ୍ୟାନ କରିଥିଲେ। କେତେ ପରିମାଣର ଓ କିଭଳି ଦୟା ଓ ଭାର୍ଗବୀକୁ ଜଳ ପ୍ରବାହିତ ହେଉଛି, ତା’ର ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ରାମଚଣ୍ଡୀ ମୁହାଣଠାରେ ସମୁଦ୍ର ଓ କୁଶଭଦ୍ରାର ମିଳନ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ସମୁଦ୍ରରେ ମିଶିଥିବା କୁଶଭଦ୍ରାର ଜଳ ନିଷ୍କାସନ ବ୍ୟବସ୍ଥା ବି ଦେଖିଥିଲେ। ଟ୍ରିବ୍ୟୁନାଲ ସଦସ୍ୟମାନେ ସାଢ଼େ ୧୧ଟାରୁ ପ୍ରାୟ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାମଚଣ୍ଡୀ ମୁହାଣରେ ରହି ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ, ଜଳସେଚନ ବିଭାଗ ଯନ୍ତ୍ରୀ ଓ ଅନ୍ୟ ବିଭାଗର ଅଧିକାରୀଙ୍କୁ କୁଶଭଦ୍ରାର ଜଳସେଚନ, ଜଳ ନିଷ୍କାସନ ଓ ଜଳପ୍ରବାହ ବ୍ୟବସ୍ଥା ଉପରେ ପଚାରି ବୁଝିଥିଲେ। ଏହାପରେ ଗୋପ ବ୍ଲକ୍ ରାମଚଣ୍ଡୀ ମୁହାଣଠାରେ କୁଶଭଦ୍ରା ସଙ୍ଗମସ୍ଥଳୀକୁ ଅତି ନିକଟରୁ ଅନୁଧ୍ୟାନ କରିଥିଲେ। ପ୍ରାୟ ୩ ଘଣ୍ଟା ମୁହାଣରେ ବିତାଇବା ପରେ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ପୁଣି ଭୁବନେଶ୍ୱର ଫେରିଯାଇଥିଲେ।
ତେବେ ଏହି ଗସ୍ତକାଳରେ ଟ୍ରିବ୍ୟୁନାଲ୍ର କେହି ସଦସ୍ୟ ଗଣମାଧ୍ୟମ ଆଗରେ ମୁହଁ ଖୋଲିନଥିଲେ। ଜିଲ୍ଲା ପ୍ରଶାସନର ଅଧିକାରୀ ବି ଟ୍ରିବ୍ୟୁନାଲ୍ ସମ୍ପର୍କରେ କିଛି କହିନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Mahanadi-tribunal-2.jpg)