ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରାହ୍ମଣୀ, ବୈତରଣୀ, ବଂଶଧାରା, ଜଳକା ନଦୀ ଏବେ ଅଧିକାଂଶ ସ୍ଥାନରେ ବିପଦ ସଙ୍କେତ ଉପରେ ବହୁଛି। ମହାନଦୀ ଉପର ମୁଣ୍ଡରେ ଆଜି ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦର ୬ଟି ଗେଟ୍ ଖୋଲିଛି। ଏପଟେ ମହାନଦୀର ତଳମୁଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ସବୁ ଶାଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ କିଛି ଦିନ ତଳେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଏବେ ପ୍ରବଳ ବର୍ଷା ଆଉ ଏକ ବିପତ୍ତିକୁ ଟାଣି ଆଣିଛି। ଏହା ଏବେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି।
ମହାନଦୀର ଉପରମୁଣ୍ଡ ଦେଓଗାଁ, ରାୟପୁର, ରାଜିମ, ଶଙ୍କରା, ବୋରଣ୍ଡା, ନୱାପଡ଼ାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଯେଉଁଥିପାଇଁ ହୀରାକୁଦ ଏବେ ବିପଦସଂକେତ ମୁହାଁ ହୋଇଛି। ଆଜି ସଂଧ୍ୟା ୬ଟା ସୁଦ୍ଧା ହୀରାକୁଦରେ ଘଣ୍ଟା ପିଛା ୧,୭୬,୫୬୦ କ୍ୟୁସେକ୍ ପ୍ରବେଶ କରୁଥିବାବେଳେ ୬ଟି ଗେଟ୍ ଦେଇ ୧,୨୭,୦୮୭ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। କିନ୍ତୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଆଜି ପ୍ରବଳ ବର୍ଷା ହେଉଥିବାରୁ ମହାନଦୀ ତଳମୁଣ୍ଡରେ ଅଧିକ ଜଳ ନିଷ୍କାସନ ହେଉଛି। ଗତ ୨୪ଘଣ୍ଟାରେ ବୌଦ୍ଧରେ ହାରହାରି ୨୨୯.୩ମିମି, ସୋନପୁରରେ ୧୯୦.୯ମିମି, ଅନୁଗୁଳରେ ୧୮୪.୨ମିମି, ବଲାଙ୍ଗୀରରେ ୧୪୩.୩ମିମି, କଟକରେ ୧୩୧.୧ମିମି, ନୟାଗଡ଼ରେ ୧୦୩.୬ମିମି, ବରଗଡ଼ରେ ୧୧୧.୭ମିମି ବର୍ଷା ହେବାରୁ ମହାନଦୀର ତଳ ମୁଣ୍ଡରେ ବିଭିନ୍ନ ଅଞ୍ଚଳରେ ଜଳସ୍ତର ଏବେ ବଢ଼ିବାରେ ଲାଗିଛି। ତଳମୁଣ୍ଡରେ ବର୍ଷା ବଢ଼ୁଥିବାରୁ ଖଇରମାଳରେ ଘଣ୍ଟା ପିଛା ୪,୪୩,୦୦୦, ବରମୂଳରେ ୫,୪୩,୦୦୦ ଏବଂ ମୁଣ୍ଡୁଳିରେ ୪,୭୪,୬୨୪ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ତେଣୁ କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ବନ୍ୟା ଆଶଙ୍କା ବଢ଼ିଯାଇଛି। ଆସନ୍ତା ୧୮ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢ଼ିବାକୁ ଥିବା ବେଳେ ମହାନଦୀର ଉପର ମୁଣ୍ଡରେ ବର୍ଷା ବନ୍ୟା ଆଶଙ୍କାକୁ ବଢ଼ାଇଦେଇଛି।
ଏସ୍ଆର୍ସିଙ୍କ ସୂଚନା ଅନୁଯାୟୀ, ନରାଜରେ ବିପଦ ସଂକେତ ୨୬.୪୧ ମିଟର ଥିବାବେଳେ ଏଠାରେ ଏବେ ଜଳପ୍ରବାହ ୨୪.୯୮ ମିଟର ରହିଛି। ସେହିପରି ଆଖୁଆପଦାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏଠାରେ ଏବେ ୧୮.୩୦ ମିଟରରେ ଜଳପ୍ରବାହ ହେଉଛି। ଜଳ ସ୍ତର ବଢ଼ୁଥିବାରୁ ଯାଜପୁର ଓ କେନ୍ଦୁଝରର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାନପୋଷରେ ବ୍ରାହ୍ମଣୀ ସ୍ଥିର ଥିଲେ ହେଁ ଜେନାପୁରରେ ଏହା ବିପଦ ସଙ୍କେତ ମୁହାଁ ହୋଇଛି। ଏଠାରେ ବ୍ରାହ୍ମଣୀର ସତର୍କ ସ୍ତର ୨୨ ମିଟର ଏବଂ ବିପଦ ସଙ୍କେତ ୨୩ ମିଟର ଥିବା ବେଳେ ଏବେ ୨୨.୬୧ ମିଟରରେ ଜଳପ୍ରବାହ ହେଉଛି। କାଶୀନଗରରେ ବଂଶଧାରାର ସତର୍କ ସ୍ତର ୫୩.୬୦ ମିଟର ଏବଂ ବିପଦ ସଂକେତ ୫୪.୬୦ ମିଟର ଥିବା ବେଳେ ଏଠାରେ ଏବେ ଜଳ ସ୍ତର ୫୪.୧୧ ମିଟର ରହିଛି। ଜାତୀୟ ରାଜପଥ-୫ରେ ବୁଢ଼ାବଳଙ୍ଗର ସତର୍କ ସ୍ତର ୭.୨୧ମିଟର ଥିବା ବେଳେ ବିପଦ ସ୍ତର ୮.୧୩ ମିଟର ରହିଛି। ଏଠାରେ ପାଣି ବଢ଼ୁଥିବା ବେଳେ ଏବେ ୭.୪୪ ମିଟରରେ ରହିଛି।
ମଥାନୀରେ ଜଳକା ନଦୀର ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏଠାରେ ଗତ କାଲିଠାରୁ ବିପଦସଙ୍କେତ ଉପରେ ପାଣି ବହୁଛି। ଆଜି ଏଠାରେ ୬.୩୭ ମିଟରରେ ଜଳ ପ୍ରବାହ ହେଉଛି। ସେହିପରି ଜାମଶୋଲାଘାଟ, ରାଜଘାଟରେ ସୁବର୍ଣ୍ଣରେଖା, ଗୁଣୁପୁରରେ ବଂଶଧାରା, ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ଏବେ ସତର୍କ ସ୍ତର ମୁହାଁ ହୋଇଛି। ଏସ୍ଆର୍ସିଙ୍କ ସୂଚନା ଅନୁଯାୟୀ, ରାଜ୍ୟର ୪ଟି ଜିଲ୍ଲା କଟକ, ଜଗତସିଂହପୁର, ନୟାଗଡ଼, ପୁରୀରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି। କଟକରେ ସର୍ବାଧିକ ୨୯.୧ମିମି ଅଧିକ ବର୍ଷା ହୋଇଛି। ଖୋର୍ଦ୍ଧା ଓ ଗଞ୍ଜାମରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ବାକି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଝାରସୁଗୁଡ଼ାରେ ସ୍ବାଭାବିକ ଠାରୁ ୩୫.୪% କମ୍ ବର୍ଷା ହୋଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦୨୦.୬ ମିମି ସ୍ବାଭାବିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଥିଲେ ହେଁ ଏବେ ସୁଦ୍ଧା ୯୨୦.୩ ମିମି ବର୍ଷା ହୋଇଛି। ଯାହା ସ୍ବାଭାବିକ ଠାରୁ ୯.୮% କମ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/river-1.jpg)