ନୂଆଦିଲ୍ଲୀ/ଭୁବନେଶ୍ବର: ମହାନଦୀ ଜଳକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଆବଶ୍ୟକl ଟ୍ରିବୁନାଲ ନୁହେଁ। ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋପାଳ ଗୌଡ କହିଛନ୍ତିl ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାରଙ୍କ ଦ୍ୱାରା ମାର୍ଚ୍ଚ ୨୦୧୮ରେ ପ୍ରତିଷ୍ଠିତ ମହାନଦୀ ଟ୍ରିବ୍ୟୁନାଲ ବିବାଦର ସମାଧାନ ଦିଗରେ ଏ ପର୍ଯ୍ୟନ୍ତ କିଛି ପ୍ରଗତି ହୋଇନାହିଁ। କାବେରୀ ସହ ଅନ୍ୟାନ୍ୟ ନଦୀ ବିବାଦର ଉଦାହରଣ ଦେଇ ଜଷ୍ଟିସ୍ ଗୌଡ଼ା କହିଛନ୍ତି ଯେ ଜଳ ବିବାଦର ବିଚାର ବର୍ଷ ବର୍ଷ ଧରି ଚାଲିପାରେ l ମଧ୍ୟସ୍ଥତା ମାର୍ଗରେ ଗଲେ ଦ୍ରୁତ ସମାଧାନ ପ୍ରଦାନ ହୋଇ ପାରିବ ଏବଂ ଉଭୟ ପକ୍ଷଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ।  

Advertisment

ବର୍ତ୍ତମାନ ଓଡିଶା, ଛତିଶଗଡ ଓ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାରl ତେଣୁ ମଧ୍ୟସ୍ଥତା ମାଧ୍ୟମରେ ସମାଧାନର ସମ୍ଭାବନା ଅଧିକ ହୋଇପାରେ। ମହାନଦୀ ବଚାଓ ଆନ୍ଦୋଳନ ଏହି ନଦୀ ସହିତ ଜଡିତ ଲୋକଙ୍କ ଅଧିକାର ପାଇଁ ଆନ୍ଦୋଳନର ନେତୃତ୍ୱ ନେଇ ଆସୁଛି।

ଏକ ବିକଳ୍ପ ବିବାଦ ସମାଧାନ ପାଇଁ ଅନୁଷ୍ଠିତ ମହାନଦୀ ସଂସଦରେ ବହୁ ଆଇନଜୀବୀ, ରାଜନେତା, ଆଇନ ପ୍ରଣେତା, ଚିନ୍ତାନାୟକ, ପୂର୍ବତନ ପ୍ରଶାସନ ଏବଂ ନାଗରିକ ସମାଜ ପ୍ରତିନିଧିମାନେ ଯୋଗ ଦେଇଥିଲେ। ରାଜ୍ୟସଭା ସଂlସଦ ଏବଂ ସଂସଦର ପିଟିସନ୍ କମିଟିର ଅଧ୍ୟକ୍ଷ ଏନ୍‌ଡି ଗୁପ୍ତା କର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ ମହାନଦୀ ପ୍ରସଙ୍ଗକୁ ଏକ ଛୋଟ ଜଳ ବିବାଦ ଭାବରେ ବିଚାର କରାଯିବା ଅନୁଚିତ୍l ଏହାର ପ୍ରଭାବ ବହୁତ ବ୍ୟାପକ ଏବଂ ଏହାର ସମାଧାନ ଆନ୍ତରାଜ୍ୟ ଜଳ ବିବାଦର ସମାଧାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। 

ଜଳ ପୁରୁଷ ରାଜେନ୍ଦ୍ର ସିଂ କହିଲେ ଯେ ମହାନଦୀ  ଆମ ମା ସଦୃଶl ମlକୁ ପଣ୍ୟ ବସ୍ତୁ ଭଳି ବିକ୍ରି କରିବାର ମାନସିକତା ଅତ୍ୟନ୍ତ ଦୁର୍ଭାଗ୍ୟଜନକl ମହାନଦୀକୁ ମାତ୍ର ୩୦/୩୫ଟି କର୍ପୋରେଟ ପରିବାର ନିଜ ଲାଭ ପାଇଁ ବ୍ୟବହାର କରି ୫କୋଟି ଲୋକଙ୍କୁ ମରଣ ମୁହଁକୁ ଠେଲୁଛନ୍ତି ଓ ଭୟlନକ ପରିବେଶ ଅସନ୍ତୁଳନକୁ ଡାକି ଆଣୁଛନ୍ତିl ସରକାର କର୍ପୋରେଟ ପ୍ରୀତି ଛାଡ଼ି ଲୋକଙ୍କ ପାଇଁ କାର୍ଯ୍ୟ କରିବା ଉଚିତl ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଏଥିରେ ଯୋଗ ଦେଇ ମହାନଦୀ ର ସୁରକ୍ଷା ପାଇଁ ଆନ୍ଦୋଳନ କୁ ଦିଲ୍ଲୀ ରୁ ପଲ୍ଲୀ ପର୍ଯ୍ୟନ୍ତ ନେବାକୁ ଆହ୍ୱାନ ଦେଇଥିଲେl 

ବିଶିଷ୍ଟ ଆଇନଜୀବୀ ବିଭୂପ୍ରସାଦ ତ୍ରିପାଠୀ କହିଲେ ଯେ ମହାନଦୀ ଜଳ ବିବାଦର ସମାଧାନ କ୍ଷେତ୍ରରେ ଆପୋଷ ଆଲୋଚନା କେବଳ ସରକାରୀ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ  ସୀମିତ ନ ରହି ସମସ୍ତ ଅଂଶୀଦାରଙ୍କୁ ସାମିଲ କରିବା ଉଚିତ। ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଜଳ ବିବାଦ ସମାଧାନ ସମ୍ପର୍କରେ ବିକଳ୍ପ ପଦ୍ଦତି ସମ୍ପର୍କରେ ଉପସ୍ଥାପନା କରିବା ସହିତ ଆପୋଷ ଆଲୋଚନା ପୂର୍ବରୁ ମହାନଦୀ ସହିତ ଜଡିତ ବିଭିନ୍ନ ଅଂଶୀଦାର ଗୋଷ୍ଠୀ ଓ ବ୍ୟକ୍ତି ବିଶେଷ ତଥା ରାଜନୈତିକ ଦଳ ମାନଙ୍କ ସହିତ ବୁଚାର ବିମର୍ଷ କରି ଏକ ସହମତି ଅଣା ଯିବା ନିହାତି ଜରୁରୀ ବୋଲି କହିଥିଲେ l 

ନୂଆଦିଲ୍ଲୀରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ମହାନଦୀର ଉତ୍ପତ୍ତି ସ୍ଥାନରୁ ବଙ୍ଗୋପସାଗରରେ ଏହାର  ମିଶ୍ରଣ ପର୍ଯ୍ୟନ୍ତ ମହାନଦୀ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ପ୍ରଦୂଷଣ, ଅତ୍ୟଧିକ ଶୋଷଣ ଏବଂ ନଦୀ ଜମିର ଜବରଦଖଲ ବିରୁଦ୍ଧରେ ଅଭିଯାନକୁ ତୀବ୍ର କରିବାକୁ  ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ନଦୀ ଅଧିକାର କର୍ମୀମାନେଆଜିର ବୈଠକରେ ଯୋଗ ଦେଇଥିଲେ ଏବଂ ସେମାନଙ୍କର ସମର୍ଥନ ଜଣାଇଥିଲେ। 

ପ୍ରକାଶ ଥାଉ କି ମହାନଦୀର ଉପର ମୁଣ୍ଡରେ ବହୁ ସଂଖ୍ୟକ ବନ୍ଧ ଏବଂ ବ୍ୟାରେଜ୍ ନିର୍ମାଣ ପରେ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ମହାନଦୀ ଜଳ ବଣ୍ଟନକୁ ନେଇ ବିବାଦ ଉପୁଜିଥିଲା। ୨୦୦୪-୨୦୧୬ ମଧ୍ୟରେ ଛତିଶଗଡ଼ରେ ବେଆଇନ ବନ୍ଧ ବ୍ୟାରେଜ ଇତ୍ୟାଦି ନିର୍ମାଣ ପରିବେଶଗତ ଆଇନ ଉଲ୍ଲଂଘନ କରିଥିଲା ​​ଏବଂ ଜଳ ପ୍ରବାହକୁ ସୀମିତ କରିଥିଲା।