ମହାନଦୀ ଜଳବିବାଦ : ସବୁ ଦଳ ଏକାଠି ହୋଇପାରିଲେନି

ଯୋଗ ଦେଲେନି ପ୍ରମୁଖ ବିରୋଧୀ ଦଳ, ଜନ ଆନ୍ଦୋଳନ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ଖାସ୍‌ ବିଜେଡିର ଗୋଠଖଣ୍ଡିଆ ନୀତି ଯୋଗୁଁ ମହାନଦୀ ମହାଆନ୍ଦୋଳନ ଦୁର୍ବଳ ହୋଇଗଲା ଓଡ଼ିଶାରେ। ଏବେ ନେଡ଼ି ଗୁଡ଼ କହୁଣୀକୁ ବୋହିବା ପରେ ଚୈତନ୍ୟୋଦୟ ହୋଇଛି। ଗୋଟିଏ ସମୟରେ ସବୁ ବିରୋଧୀ ଦଳ ଏକାଠି ହୋଇଥିବାବେଳେ ତାକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଥିବା ବିଜେଡି ନେତାମାନେ ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ। ତେବେ ସବୁ ପ୍ରମୁଖ ରାଜନୈତିକ ଦଳର ଅନୁପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବିଜେଡିକୁ ଆନ୍ଦୋଳନର ନେତୃତ୍ୱ ନେବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏମିତି ମନେ ହେଉଥିଲା ଯେମିତି ମହାନଦୀ ଆନ୍ଦୋଳନକୁ ଫୁସ୍‌କାଇଦେଇଥିବା ବିଜେଡି ଏବେ ଏହି ପ୍ରସଙ୍ଗକୁ ଆୟୂଧ କରିବା ଲାଗି ଏଭଳି ବାଟ ନିଜେ ଖୋଲିଛି। ଏଥିସହିତ ଆଜି ବୈଠକରେ ନିଷ୍ପତ୍ତି ହୋଇଛି ଯେ ମହାନଦୀ ଆନ୍ଦୋଳନ ଜୋରଦାର ହେବ। ଗାଁ ଗାଁରେ ଲୋକଙ୍କୁ ସଚେତନ କରାଯିବ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ରାଜନୈତିକ ମତପାର୍ଥକ୍ୟକୁ ଭୁଲି ମହାନଦୀ ମହାବିବାଦ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଥିଲେ ଖୋଦ୍‌ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସବୁ ପ୍ରମୁଖ ରାଜନୈତିକ ଦଳର ନେତା, ସାମାଜିକ କର୍ମୀ, ବିଶିଷ୍ଟ ବ୍ୟକ୍ତି ଏହି ବୈଠକରେ ଯୋଗଦେଇଥିଲେ। ହେଲେ ମହାନଦୀ ମହାବିିବାଦର ଶ୍ରେୟ କାଳେ ହାତରୁ ଚାଲିଯିିବ, ଏଣୁ ଦୂରେଇ ରହିଥିଲା ବିଜେଡି। କେବଳ ସେତିିକି ନୁହେଁ, ଏହି ବୈଠକ କିଭଳି ବିଫଳ ହେବ, ସେ ନେଇ କୌଣସି ଗୋଟିଏ ବି ସୁଯୋଗ ନେତାମାନେ ଛା଼ଡିଲେନି। ଏପରିକି ସମାନ୍ତରାଳ ଚାପ ସୃଷ୍ଟି କରିବା ଲାଗି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେବାର ପ୍ରକ୍ରିୟା ଆରମ୍ଭ ହେଲା।

ହେଲେ ବିଜେଡି ଓ ସରକାର ମହାନଦୀକୁ ନେଇ ବର୍ଷକ ଭିତରେ ଯେଉଁ କସରତ କରିଛନ୍ତି, ତାର ପରିଣାମ ହେଉଛି, ମହାନଦୀ ପ୍ରସଙ୍ଗ ସେବେ ଯେଉଁଠି ଥିଲା ସେଇଠି ଅଟକିଛି। ଛତିଶଗଡ଼ ସରକାର ପ୍ରକଳ୍ପ ବନ୍ଦ କରିନାହାନ୍ତି। କେନ୍ଦ୍ର ଓଡ଼ିଶାର ଦାବି ପ୍ରତି ଆଦୌ ଅନୁକୂଳ ମନୋଭାବ ପୋଷଣ କରିନାହିଁ। ବରଂ ଶୁଖିଲା ହୋଇଯାଇଛି ମହାନଦୀ। ତଳମୁଣ୍ଡରେ ପାଣି ନାହିଁ, ଚାଷୀ ଓ ୧୬ଟି ଜିଲ୍ଲାର ଲୋକେ ଏକ ବଡ଼ ଧରଣର ବିପଦକୁ ସାମ୍ନା କରିବା ଲାଗି ଯାଉଛନ୍ତି।

ସ୍ଥିତି ଦିନକୁ ଦିନ ସଙ୍ଗିନ ଆଡ଼କୁ ଯାଉଥିବାରୁ, ଏବେ ବିଜେଡି ପୁଣି ଏକ କସରତ ଆରମ୍ଭ କରିଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ସଂସ୍ଥାର କାନ୍ଧରେ ଲାଉ ହୋଇ, ମହାନଦୀ ବିଫଳତାର ଅପବାଦରୁ ମୁକ୍ତି ପାଇବାକୁ ଯୋଜନା କରିବା ସହିତ ପୁଣି ଥରେ ନିଜ ନେତୃତ୍ୱରେ ଏହି ଆନ୍ଦୋଳନକୁ ଆଗକୁ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛି। ସବୁ ପ୍ରମୁଖ ରାଜନୈତିକ ଦଳ ଓ ନେତାଙ୍କ ଅନୁପସ୍ଥିତିରେ ଏହା କେତେଦୂର ଫଳପ୍ରସୂ ହେବ ତାହା ତ ଅଲଗା କଥା, କିନ୍ତୁ ପ୍ରସଙ୍ଗକୁ ଆୟୁଧ କରି ନିର୍ବାଚନ ଡେଇଁଯିବ ବିଜେଡି।

ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଡକାଯାଇଥିବା ସର୍ବଦଳୀୟ ବୈଠକକୁ ବିଜେପି ବର୍ଜନ କରିଥିଲା। କଂଗ୍ରେସର ନେତା ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସେ ବ୍ୟକ୍ତିଗତ ଭାବେ ଯୋଗ ଦେଇଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କିନ୍ତୁ ବୈଠକରେ ଅନୁପସ୍ଥିତ ଥିଲେ। ବ୍ୟକ୍ତିଗତ ଖାତିରରେ ଯୋଗଦେଇଥିଲେ କିଛି ତୁଙ୍ଗ ନେତା ଓ ଛୋଟ ରାଜନୈତିକ ଦଳ। ହେଲେ ବିଜେଡିର ନେତା ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ପ୍ରତାପ ଦେବ ଏଥିରେ ଭାଗ ନେଇଥିଲେ। ବୈଠକରେ ମହାନଦୀକୁ କିପରି ବଞ୍ଚାଇ ହେବ, ଓଡ଼ିଶାରେ ମହାନଦୀ ପାଣି କିପରି ପୂର୍ବ ପରି ବହିବ ସେଥିପାଇଁ ପ୍ରସ୍ତାବ ଆସିଥିଲା।

ବୈଠକ ଶେଷରେ ୬ଟି ପ୍ରସ୍ତାବ ଗୃହୀତ ହୋଇଥିଲା। କେନ୍ଦ୍ର ସରକାର ଛତିଶଗଡ଼ ମୋହରେ ଓଡ଼ିଶାକୁ ଅବହେଳା କରିଥିବା ତଥା ଟ୍ରିବ୍ୟୁନାଲ ଗଠନ କରିନଥିବାରୁ ସମସ୍ତେ ନିନ୍ଦା କରିଥିଲେ। ଏ ପ୍ରସଙ୍ଗରେ ଓଡ଼ିଶା ପ୍ରତିନିଧିଙ୍କ ସହ ଯୋଗାଯୋଗ କରାଯାଇ ବିଧାନସଭା, ଲୋକସଭା, ରାଜ୍ୟସଭାରେ ଅଣାଯିବା ଲାଗି ସ୍ଥିର ହୋଇଥିଲା। ନିଷ୍ପତ୍ତି ନିଆଯାଇଥିଲା ଯେ ଆଉ ଏକ ସର୍ବଦଳୀୟ ବୈଠକ ଡାକିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ କୁହାଯିବ। ରାଜଭବନ ସାମ୍ନାରେ ଧାରଣା ଦିଆଯିବ। ଡିସେମ୍ବର ୯ରେ ସୁପ୍ରିମକୋର୍ଟରେ ଶୁଣାଣି ଥିବାରୁ ଏହା ପୂର୍ବରୁ ନୂଆଦିଲ୍ଲୀରେ ଆନ୍ଦୋଳନ କରାଯିବ। ଏଥିପାଇଁ ଏକ କୋର୍‌ କମିଟି ଗଠନ କରାଯିବ।

ଦଳୀୟ ମତ ନୁହେଁ, ବରଂ ଏହା ତାଙ୍କ ନିଜସ୍ୱ ମତ ବୋଲି ସୂଚାଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମହାନଦୀ ପ୍ରସଙ୍ଗକୁ ବିଧାନସଭା ଏବଂ ସଂସଦ ଉଠାଇବା ଲାଗି ପରାମର୍ଶ ଦେଇଥିଲେ। କହିଥିଲେ, ଏ ପ୍ରସଙ୍ଗରେ ଜନସଚେତନତା ସୃଷ୍ଟି କରିବାରେ ସବୁ ରାଜନୈତିକ ଦଳ ବିଫଳ ହୋଇଛନ୍ତି। ଲୋକଙ୍କ ନିକଟରେ ମହାନଦୀ ପ୍ରସଙ୍ଗ ପହଞ୍ଚାଇବାକୁ ପଡ଼ିବ। ବୈଠକରେ ଅଧ୍ୟକ୍ଷତା କରୁଥିବା ମହାନଦୀ ବଞ୍ଚାଅ କମିଟିର ଆବାହକ ସୁଦର୍ଶନ ଦାସ କହିଥିଲେ ଯେ, ବିଜେଡି ଏହି ଆନ୍ଦୋଳନର ନେତୃତ୍ୱ ନେଉ। ଉପସ୍ଥିତ ବିଜେଡି ନେତା ସହମତି ପ୍ରକାଶ କରିଥିଲେ। ବିଜେପି ଆଜିର ବୈଠକରେ ଯୋଗ ଦେଇନଥିବା ଘଟଣାକୁ ନେଇ କିଛି ନେତା ନିନ୍ଦା କରିଥିଲେ। ଓଡ଼ିଶା ବିଜେପି ମହାନଦୀ ନେଇ ଆଭିମୁଖ୍ୟ ସ୍ପଷ୍ଟ ନ କରି ଓଡ଼ିଶା ବାସୀଙ୍କୁ ଧୋକା ଦେଉଛି ବୋଲି କହିଥିଲେ।

ପୂର୍ବରୁ ବିରୋଧୀ ଦଳ ନେତା ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ଯୋଗ ଦେଇନଥିବାବେଳେ ଆଜି ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଡକାଯାଇଥିବା ବୈଠକରେ କିପରି ଯୋଗଦେଲେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିଥିଲେ। ଉତ୍ତର ଦେଇ ପ୍ରତାପ ଦେବ କହିଥିଲେ ଯେ, ବିରୋଧୀ ଦଳ ନେତା ଡାକିଥିବା ବୈଠକ ପିସିସି ସଭାପତି କି ବିଜେପି ସଭାପତିଙ୍କ ସହମତିରେ ହୋଇ ନଥିଲା। ତେଣୁ ବିଜେଡି ସଭାପତି ଏଥିରେ ଯୋଗ ନ ଦେବା ଠିକ୍‌ ବୋଲି ଭାବିଥିଲେ। ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାନଦୀ ପାଇଁ ଲଢ଼େଇ ଆରମ୍ଭ କରିଥିବାରୁ ଆମେ ଏଥିରୁ ସାମିଲ୍‌ ହେଉଛୁ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଅନନ୍ତ ସେଠୀ, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ନାରାୟଣ ରେଡ୍ଡୀ, ସିପିଏମ୍‌ର ଶିବାଜୀ ପଟ୍ଟନାୟକ, ଫରଓ୍ଵାର୍ଡ ବ୍ଲକର ଜ୍ୟୋତି ମହାପାତ୍ର, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, କଳିଙ୍ଗ ସେନାର ହେମନ୍ତ ରଥ, ଉତ୍କଳ ଭାରତର କାଲିମୁଦ୍ଦିନ ଅହମଦ୍‌, ସମୃଦ୍ଧ ଓଡ଼ିଶାର ନିରାକର ବେହୁରା, ତୃଣମୂଳ କଂଗ୍ରେସର ଆର୍ଯ୍ୟ ଜ୍ଞାନେନ୍ଦ୍ର, ସମତା କ୍ରାନ୍ତି ଦଳର ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ବିଧାୟକ କିଶୋର ଦାସ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଲଳିତ ମୋହନ ପଟ୍ଟନାୟକ, ବାସୁଦେବ ଭଟ୍ଟ, ମନୋଜ ଜେନା, ବିଜୟ ପ୍ରଧାନ, ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ, ପଦ୍ମାକର ଗୁରୁ, ନିରୋଦ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର