ଭୁବନେଶ୍ବର : ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ବେଆଇନ୍ ଭାବେ ବ୍ୟାରେଜ୍ ନିର୍ମାଣ କରୁଛି। ଫଳରେ ଓଡ଼ିଶାରେ ଜଳ ପ୍ରବାହ କମୁଛି। ତୁରନ୍ତ ବ୍ୟାରେଜ୍ ନିର୍ମାଣ ଉପରେ ରୋକ୍ ଲଗାଯାଉ।
ଓଡ଼ିଶା ପକ୍ଷରୁ ଏହି ଗୋଟିଏ ଦାବି କେନ୍ଦ୍ର ସରକାରଙ୍କ ନିକଟରେ ଦୁଇ ବର୍ଷ ଉପସ୍ଥାପନ କରାଗଲା। କେନ୍ଦ୍ର ଦିନ ଗଡ଼ାଇ ଚାଲିଲା ଓ ଶେଷରେ ଟ୍ରିବ୍ୟୁନାଲ୍ ଗଠନ କଲା। ତାହା ପରେ ୩ ବର୍ଷ ହେଲା ଟ୍ରିବ୍ୟୁନାଲରେ ଆଇନଗତ ଲଢ଼େଇ ଚାଲିଛି। ୩ ବର୍ଷରେ ୨୦ ଥର ଶୁଣାଣି ହେଲା। କାଗଜପତ୍ର ଦାଖଲ ହେଲା, ଜବାବ – ପ୍ରତିଜବାବ ଚାଲିଲା। କିନ୍ତୁ ସର୍ବନିମ୍ନ ଆଶ୍ବସ୍ତି ମଧ୍ୟ ଓଡ଼ିଶାକୁ ମିଳିପାରିଲା ନାହିଁ। ଚୂଡ଼ାନ୍ତ ରାୟ ଦୂରର କଥା। ଛତିଶଗଡ଼ର କୌଣସି ନିର୍ମାଣ ଉପରେ ଟ୍ରିବ୍ୟୁନାଲ୍ ସାମୟିକ ରୋକ୍ ଲଗାଇଲେ ନାହିଁ। ମହାନଦୀ ଲଢ଼େଇରେ ଓଡ଼ିଶାର ସ୍ଥିତି ୫ ବର୍ଷ ତଳେ ଯେଉଁଠି ଥିଲା, ଏବେ ସେଇଠି।
ଫଳାଫଳ ଶୂନ।
ମହାନଦୀ ପାଣିକୁ ନେଇ ଓଡ଼ିଶା ବାରମ୍ବାର ପ୍ରତାରଣାର ଶିକାର ହୋଇ ଚାଲିଛି। ତିନି ବର୍ଷରେ ଟ୍ରିବ୍ୟୁନାଲ୍ ଶୁଣାଣି ଶେଷ କରି ନ ପାରିବାରୁ ଏବେ କାର୍ଯ୍ୟକାଳ ଆହୁରି ଦୁଇ ବର୍ଷ ବଢ଼ିଛି। କେବଳ ଆଇନଗତ ଲଢ଼େଇ ପ୍ରକ୍ରିୟା ଲମ୍ବା ହେବ ଓ ରାଜକୋଷରୁ ବେଶ୍ କିଛି ଅର୍ଥ ଶ୍ରାଦ୍ଧ ହେବା ସିନା, କୌଣସି ଉତ୍ସାହଜନକ ଫଳାଫଳ ମିଳିବା ନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକଟ ହେଲାଣି।
ଟ୍ରିବ୍ୟୁନାଲ୍ ଗଠନ ପରେ ଓଡ଼ିଶା କୌଣସି ଦୃଷ୍ଟିରୁ ଲାଭବାନ ହୋଇପାରି ନାହିଁ। ଓଲଟା ମାମଲା ଚାଲିଥିବାରୁ ଓଡ଼ିଶାର ଅନ୍ୟାନ୍ୟ ପ୍ରକଳ୍ପରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଛତିଶଗଡ଼ର ପ୍ରକଳ୍ପକୁ ନେଇ ଟ୍ରିବ୍ୟୁନାଲରେ ମାମଲା ଚାଲିଛି। ସେହି ପ୍ରକଳ୍ପର ନିର୍ମାଣ ଉପରେ ତ ରୋକ୍ ଲଗାଗଲାନି। ବରଂ ମହାନଦୀର ତଳ ମୁଣ୍ଡରେ ଓଡ଼ିଶା ପକ୍ଷରୁ କରାଯାଉଥିବା କିଛି ପ୍ରକଳ୍ପକୁ କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି) ଅନୁମୋଦନ ଦେଉ ନାହାନ୍ତି। ଆଳ ଦେଖାଉଛନ୍ତି ଯେ ଟ୍ରିବ୍ୟୁନାଲରେ ମାମଲା ବିଚାରାଧୀନ ଅଛି। ଏହା କି ପ୍ରକାର ଯୁକ୍ତି, ତାହା ବିଶେଷଜ୍ଞମାନେ ବୁଝି ପାରୁ ନାହାନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଅଛି ତେଲ୍ ଇଣ୍ଟ୍ରିଗ୍ରେଟେଡ୍ ଡ୍ୟାମ୍, ଲକ୍ଷ୍ମୀପଥର ଡ୍ୟାମ୍, ତେଲିଜୋର୍ ଡ୍ୟାମ୍, ଖଡ଼ଗୋ ବ୍ୟାରେଜ୍, ସତୀଘାଟ, କଟାଙ୍ଗୀ ଡ୍ୟାମ୍, ଲୋୟର୍ ଉଦନ୍ତି ଓ ଅପର୍ ଉଦନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ଓଡ଼ିଶାର ଜଳସେଚନ କ୍ଷମତା ବଢ଼ାଇବା ପାଇଁ ବେଶ୍ ଗୁରୁତ୍ବ ବହନ କରୁଛନ୍ତି। କିନ୍ତୁ ଟ୍ରିବ୍ୟୁନାଲରେ ମାମଲା ଚାଲିଥିବାରୁ ଆୟୋଗ ଏସବୁକୁ ଅନୁମତି ଦେଉ ନାହାନ୍ତି।
ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ୍ ବ୍ୟାରେଜ୍ ନିର୍ମାଣ ଯୋଗୁ ଅଣମୌସୁମୀ ସମୟରେ ଓଡ଼ିଶାକୁ ମହାନଦୀରେ ଜଳ ପ୍ରବାହ କମୁଛି। ସେହି ସମୟରେ ଛତିଶଗଡ଼ରେ ଯଥେଷ୍ଟ ପାଣି ଥିଲେ ମଧ୍ୟ ଓଡ଼ିଶାରେ କମ୍ ରହୁଛି। ଏ କଥା ଖୋଦ୍ ଜଳସମ୍ପଦ ମନ୍ତ୍ରୀ ବିଧାନସଭାରେ ଜଣାଇଛନ୍ତି। ଓଡ଼ିଶା ପକ୍ଷରୁ ଏହି ତଥ୍ୟ ବାରମ୍ବାର ଦିଆଯାଉଥିଲେ ବି ଟ୍ରିବ୍ୟୁନାଲରୁ ଓଡ଼ିଶାକୁ କୌଣସି ଆଶ୍ବସ୍ତି ମିଳୁ ନାହିଁ। ନଭେମ୍ବର ମାସରେ ଛତିଶଗଡ଼ ପ୍ରସ୍ତାବ ଦେଇଥିଲା ଯେ ଅଣମୌସୁମୀ ସମୟରେ ଓଡ଼ିଶାକୁ ୦.୪ ଏମ୍ଏଏଫ୍ ଜଳ ଛାଡ଼ିବା ପାଇଁ। କିନ୍ତୁ ଓଡ଼ିଶା ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ଓଡ଼ିଶା ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ଶୁଣାଣି ପୂର୍ବରୁ ଅଣମୌସୁମୀ ସମୟରେ ଜଳପ୍ରବାହ ୦.୮ ଏମ୍ଏଫ୍ ଥିଲା। ତେଣୁ ଛତିଶଗଡ଼ ପ୍ରସ୍ତାବ ଗ୍ରହଣଯୋଗ୍ୟ ନୁହେଁ। ପରବର୍ତ୍ତୀ ସମୟରେ ଓଡ଼ିଶା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା ଯେ ଅଣମୌସୁମୀ ସମୟରେ ଓଡ଼ିଶାକୁ ୧.୦୦୨ ଏମ୍ଏଏଫ୍ ଜଳ ଛଡ଼ାଯାଉ। ଏହା ଉପରେ ମଧ୍ୟ କୌଣସି ରାୟ ଦିଆଯାଇ ନାହିଁ। ଓଡ଼ିଶା ତା'ର ଦାବି ଠିକ୍ ଭାବେ ଉପସ୍ଥାପନ କରିପାରୁ ନାହିଁ ନା ଏଥିରେ ଆଉ କ'ଣ ସମସ୍ୟା ରହୁଛି, ତାହାକୁ ଭଲ ଭାବେ ଅନୁଧ୍ୟାନ କରିବାକୁ ମତପ୍ରକାଶ ପାଉଛି।
ଏହା ମଧ୍ୟରେ ମହାନଦୀକୁ ନେଇ ରାଜନୈତିକ ଲଢ଼େଇ ବି ଶିଥିଳ ପଡ଼ିଯାଇଛି। ତିନି ପ୍ରମୁଖ ଦଳଙ୍କ ଏଜେଣ୍ଡାରେ ମହାନଦୀ ଥିଲା ପରି ଅନୁଭବ ହେଉ ନାହିଁ। ଛତିଶଗଡ଼ର ରାଜନୈତିକ ଚିତ୍ର ବଦଳିଥିଲେ ବି ଓଡ଼ିଶା ସେଥିରୁ ଫାଇଦା ପାଇ ପାରି ନାହିଁ।
ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ ବୃଦ୍ଧି କରାଯିବା ସମ୍ପର୍କରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ ଟ୍ରିବ୍ୟୁନାଲ୍ ଗଠନ ହେଲା ପରେ ଠିକ୍ ସମୟରେ ରାୟ ପ୍ରକାଶ ପାଇବ ଓ ଓଡ଼ିଶାକୁ ନ୍ୟାୟ ମିଳିବ ବୋଲି ଆଶା ଥିଲା। କିନ୍ତୁ ୩ ବର୍ଷ ଭିତରେ ରାୟ ଆସିପାରିଲା ନାହିଁ। ଓଡ଼ିଶା ତାର ଦାବିକୁ ଉପସ୍ଥାପନ କରିଛି। କିନ୍ତୁ ଛତିଶଗଡ଼ର କୌଣସି ପ୍ରକଳ୍ପ ଉପରେ ଟ୍ରିବ୍ୟୁନାଲ୍ ଏ ଯାଏ ରୋକ୍ ଲଗାଇ ନାହାନ୍ତି। ଏବେ ଏକାଥରେ ଦୁଇ ବର୍ଷ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ ବଢ଼ାଯାଇଛି। ତେଣୁ ଏହି ଆଇନଗତ ଲଢ଼େଇ ପ୍ରକ୍ରିୟା ବିଳମ୍ବ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/mahanadi-4-750x430-1.jpg)