ମହାନଦୀ ମହାବିବାଦ : ସନ୍ଦେହରେ ରାଜ୍ୟ-କେନ୍ଦ୍ରର ଭୂମିକା

ମୁଖ୍ୟମନ୍ତ୍ରୀ ନିରବ କାହିଁକି?
ବିଭ୍ରାନ୍ତି ବଢ଼ାଉଛି କେନ୍ଦ୍ର

ଭୁବନେଶ୍ୱର : ମହାନଦୀ ଜଳବିବାଦ ମାମଲା ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ପରବର୍ତୀ ଶୁଣାଣି ହେବ। ଇତିମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜ ସପକ୍ଷରେ ପୃଥକ୍‌ ସତ୍ୟପାଠ ଦାଖଲ କରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲିର ଶୁଣାଣିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ଏହି ମାମଲାରେ ମଧ୍ୟବର୍ତ୍ତିକାଳୀନ ଆଦେଶ ପାଇଁ କୋର୍ଟଙ୍କ ନିକଟରେ ଦୃଢ ଯୁକ୍ତି ରଖିପାରନ୍ତି। ଯେହେତୁ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଉପରେ ଓଡ଼ିଶା ସରକାର ପ୍ରତିଜବାବ ରଖିଛନ୍ତି, ଏହାକୁ ଅନୁଧ୍ୟାନ କରିବା ପାଇଁ ଜଳସଂପଦ ମନ୍ତ୍ରାଳୟ କୋର୍ଟରେ ଅଧିକ ସମୟ ଲୋଡ଼ିପାରେ।

ଏପଟେ ମହାନଦୀ ମହାବିବାଦ ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହେଲାଣି। କେନ୍ଦ୍ର ସରକାରଙ୍କ ସତ୍ୟପାଠ ବିବାଦର ମଞ୍ଜି ବୁଣିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଟ୍ରିବ୍ୟୁନାଲ ଗଠନକୁ କେହି ରୋକିପାରିବେ ନାହିଁ। ଅନ୍ୟପଟରେ ଏହି ପ୍ରସଙ୍ଗ ବିଜେପି ଭିତରେ ଥିବା ମତାନ୍ତରକୁ ବିଭାଜନ ମୁହାଁ କରିଛି। ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ବିଜେପି ମଧ୍ୟରେ ଦୂରତା ଅନେକ ବଢାଇ ଦେଇଛି। ତେବେ ସତ୍ୟପାଠକୁ ନେଇ ବିଜେଡି ମପାଚୁପା ଶବ୍ଦ ବ୍ୟବହାର କରୁଥିବା ବେଳେ ରାଜ୍ୟ ସରକାରଙ୍କ ଅସମ୍ଭବ ନିରବତା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି।

ରାଜ୍ୟ ସରକାର ସୁପ୍ରିମ କୋର୍ଟରେ କେନ୍ଦ୍ର ସତ୍ୟପାଠର କେବଳ ଜବାବ ରଖିଛନ୍ତି। ହେଲେ ରାଜ୍ୟ ସରକାର ବର୍ତମାନ ସୁଦ୍ଧା ତାଙ୍କର ମତ ସ୍ପଷ୍ଟ କରୁ ନାହାନ୍ତି। ଅନ୍ୟପକ୍ଷରେ ୧୬ଟି ଜିଲ୍ଲା ଅନ୍ତର୍ଗତ ୨ କୋଟି ଲୋକଙ୍କୁ ଅନ୍ଧାରରେ ରଖିଛନ୍ତି। ବିରୋଧୀ ଦଳ ଅଭିଯୋଗ କରୁଛନ୍ତିି ଯେ କେନ୍ଦ୍ରର ସତ୍ୟପାଠ ରାଜ୍ୟର ସ୍ୱାର୍ଥ ବିରୋଧୀ। ଏହି ଅଭିଯୋଗ ସତ ନା ମିଛ? ରାଜ୍ୟ ସରକାର ଏସଂପର୍କରେ ମୁହଁ ଖୋଲୁ ନାହାନ୍ତି କାହିଁକି? ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଜଳସଂପଦ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଗୃହରେ ଏସଂପର୍କରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ପଛଘୁଞ୍ଚା ଦେଉଛନ୍ତି କାହିଁକି?

ଛତିଶଗଡ଼ ପ୍ରକଳ୍ପ କରିବା ଦ୍ୱାରା ମହାନଦୀ ପ୍ରତି କି ବିପଦ ସୃଷ୍ଟି ହେବ, ସେ ନେଇ ମୁଖ୍ୟଶାସନ ସଚିବ ଓ ଜଳସଂପଦ ବିଭାଗର ଶାସନ ସଚିବ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟବାସୀଙ୍କୁ ଅବଗତ କରିଥିଲେ। ଯାହା ସୂଚନା ମିଳୁଛି, ସତ୍ୟପାଠରେ ଏସଂପର୍କରେ ଟିପ୍‌ପଣୀ ରହିଛି। ଏବେ ସେମାନେ ଚୁପ୍‌ କାହିଁକି?

ଏମିତି ଅନେକ ପ୍ରଶ୍ନ ଏବେ ଚର୍ଚାର ବିଷୟ ହେଲାଣି। ବାସ୍ତବରେ ମହାନଦୀ ମାମଲାଟି କେଉଁ ଦିଗକୁ ଯାଉଛି, ଓଡ଼ିଶାର ସ୍ୱାର୍ଥ ହାସଲ ହେବ ନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବଳ କଷାକଷି ଓ ରାଜନୈତିକ ପଶାପାଲିର ଗୋଟି ସାଜିବ।

ରାଜନୈତିକ ମହଲ ଏହି ଘଟଣାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖିବା ଆରମ୍ଭ କଲେଣି। ସରକାରଙ୍କ ଅସମ୍ଭବ ନିରବତା ଅନେକ କିଛି ଆଶଙ୍କା ସୃଷ୍ଟି କରିବା ଲାଗି କ୍ଷେତ୍ର ପ୍ରସ୍ତୁତ କରୁଛି। ଏପରିକି ସତ୍ୟପାଠରେ ସାନି ଆଲୋଚନାର ପ୍ରସ୍ତାବ ସଂପର୍କରେ କେନ୍ଦ୍ର ସରକାର ଠାରିଛନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏ ନେଇ ଗଣମାଧ୍ୟମରେ ସୂଚନା ଦେଇସାରିଲେଣି। ଏହାକୁ ସରକାର ଗ୍ରହଣ କରୁଛନ୍ତି ନା ଖଣ୍ଡନ କରୁଛନ୍ତି, ତାହା ବି ସ୍ପଷ୍ଟ କରୁନାହାନ୍ତି।

ଅନ୍ୟପକ୍ଷରେ ମହାନଦୀ ମହାବିବାଦ ପ୍ରସଙ୍ଗରେ କେନ୍ଦ୍ର ସତ୍ୟପାଠ ଦାଖଲ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ହେଲେ ସତ୍ୟପାଠ ସମ୍ପର୍କରେ ଧର୍ମେନ୍ଦ୍ରଙ୍କ ମତ ବିଭ୍ରାନ୍ତି କମାଇବା ପରିବର୍ତେ ବଢାଇ ଦେଇଛି। ବାସ୍ତବରେ କେନ୍ଦ୍ର ସରକାରଙ୍କ ମତଟି କଣ, ତାହା ତାଙ୍କ ବକ୍ତବ୍ୟରୁ ଠଉରାଇ ହେଉନାହିଁ। କେନ୍ଦ୍ର ସାନି କଥାବାର୍ତ୍ତା ଲାଗି ବାଟ ଖୋଲିବାକୁ ଚାହୁଁଛି ନା ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ସମୟକୁ ଗଡେଇବା ଲାଗି ଏହା ଏକ କୌଶଳ। ନୂଆ ବିଲ୍‌ ଅନୁମୋଦନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଅପେକ୍ଷା କରୁଛନ୍ତି କି? ଏ ନେଇ କେନ୍ଦ୍ର ସ୍ପଷ୍ଟ ଆଭିମୁଖ୍ୟ ରଖିବାରେ ଅସୁବିଧା କେଉଁଠି? ଦ୍ୱିତୀୟତଃ ଥରେ ବୁଝାମଣା ବିଫଳ ହେବା ପରେ ସାନି କଥାବାର୍ତା ଲାଗି ସତ୍ୟପାଠରେ ପ୍ରସ୍ତାବ ରଖିବା ପୂର୍ବରୁ କେନ୍ଦ୍ର ସରକାର କଣ ରାଜ୍ୟ ସରକାରର ମତ ଲୋଡିଛନ୍ତି? ନା ମନକୁ ମନ ଏଭଳି ଏକ ପ୍ରସ୍ତାବର କଳ୍ପନା କରି କୋର୍ଟକୁ ଜଣାଇ ଦିଆଯାଇଛି। ଛତିଶଗଡ଼ ସରକାର କରୁଥିବା ବେଆଇନ ପ୍ରକଳ୍ପ ବନ୍ଦ ପ୍ରସଙ୍ଗରେ କେନ୍ଦ୍ର କଠୋର ଆଭିମୁଖ୍ୟ ଗ୍ରହଣ କରୁନାହିଁ କାହିଁକି?

ସମଗ୍ର ଘଟଣା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣିନେଇଛି।

ମହାନଦୀ ମହାବିବାଦ ପ୍ରସଙ୍ଗରେ ଦୁଇବର୍ଷ ଧରି ସବୁ ରାଜନୈତିକ ଚର୍ଚ୍ଚା, ଆଲୋଚନା, ସମାଲୋଚନା ଜାରି ରଖିଛନ୍ତି। ଏହି ପ୍ରସଙ୍ଗ ଉପରେ ଛିଡ଼ା ହୋଇ ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତି ନିଜ ଉଚ୍ଚତା ବଢାଇବାକୁ ପ୍ରତିଯୋଗିତା କରି ଚାଲିଛନ୍ତି। ହେଲେ ମହାନଦୀ ପ୍ରତି ବିପଦ କମିବା ବଦଳରେ ବଢିଚାଲିଛି ଓ ତାର ପରାଭବ ରାଜ୍ୟବାସୀ ଭୋଗିବା ଆରମ୍ଭ କଲେଣି। ଏହା ଆଉ କେତେ ଦିନ ଚାଲିବ?

କଥାବାର୍ତ୍ତାର ରାସ୍ତା ବନ୍ଦ ନ ହେଉ: ଧର୍ମେନ୍ଦ୍ର

ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲ୍‌ ଗଠନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁହଁ ଖୋଲିଛନ୍ତି। ଗଣମାଧ୍ୟମକୁ କହିଛନ୍ତି, ଟ୍ରିବ୍ୟୁନାଲ୍‌ ନ କରିବା ନେଇ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଏକ ଭୁଲ୍‌ ତଥ୍ୟ। ପୂର୍ବରୁ ଟ୍ରିବ୍ୟୁନାଲ୍‌ ଗଠନ ହେଲେ ୮/୧୦ ବର୍ଷରୁ ୩୦ ବର୍ଷ ପର୍ଯ୍ୟନ୍ତ ମାମଲାଗୁଡ଼ିକ ଲଟକି ରହିବାର ଉଦାହରଣ ରହିଛି। ତତ୍କାଳିକ ଭାବେ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ ଟ୍ରିବ୍ୟୁନାଲ୍‌ର ନାଁ ନିଆଯାଇପାରେ। ମାତ୍ର ଏଥିରୁ ସମାଧାନ ମିଳିବ, ଏକଥା ଠୋସ୍‌ ଭାବେ କହିହେବ ନାହିଁ। ଏହି ସମସ୍ୟାକୁ ଦେଖି କେନ୍ଦ୍ର ସରକାର ଆଣୁଥିବା ନୂଆ ନିୟମରେ ଟ୍ରିବ୍ୟୁନାଲ୍‌ ଗଠନର ତିନି ବର୍ଷ ମଧ୍ୟରେ ରାୟ ପ୍ରକାଶ ପାଇବାର ବିଧି ବ୍ୟବସ୍ଥା ତିଆରି ହେଉଛି। ଗଣତନ୍ତ୍ରରେ କଥାବାର୍ତ୍ତାର ଗୁରୁତ୍ୱ ଦୃଷ୍ଟିରୁ ଉଭୟ ରାଜ୍ୟ ପରସ୍ପର ସହ କଥାବାର୍ତ୍ତା ହେବା ପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ପୋଲାଭରମ୍‌ ମାମଲାରେ ଆନ୍ଧ୍ର ବିରୋଧରେ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ଅଛନ୍ତି। ସଂଘୀୟ ବ୍ୟବସ୍ଥାରେ ନିଜ ନିଜ ରାଜ୍ୟର ସମସ୍ୟା ଦୃଷ୍ଟିରୁ ବିବାଦ ରହିପାରେ। ମାତ୍ର କଥାବର୍ତ୍ତାର ରାସ୍ତା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଠିକ୍‌ ହେବ ନାହିଁ। ଏହି ମାମଲାରେ ରାଜ୍ୟ ସରକାର କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଯଦି କୋର୍ଟ ଟ୍ରିବ୍ୟୁନାଲ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦିଅନ୍ତି, କିଏ ରୋକିପାରିବ?

ଜଳସମ୍ପଦ ମନ୍ତ୍ରୀ ସଂଜୀବ ବାଲ୍ୟାନ ପ୍ରତିଶ୍ରୁତି ଦେଲା ପରେ ଟ୍ରିବ୍ୟୁନାଲ ଗଠନ ନ ହେବା ପ୍ରସଙ୍ଗରେ ମନ୍ତ୍ରୀ କହିଥିଲେ, କ୍ୟାବିନେଟ୍‌ ନୋଟ୍‌ ପ୍ରସ୍ତୁତ ହୋଇଥିଲା। ମାତ୍ର ଉପର ସ୍ତରରେ ଜଳ ବିବାଦ ମାମଲାର ତ୍ୱରିତ ସମାଧାନ ପାଇଁ ନୂଆ ଆଇନ୍‌ ପରିପ୍ରେକ୍ଷୀରେ ଟ୍ରିବ୍ୟୁନାଲ୍‌ ଗଠନ ନ କରିବାକୁ ନିଷ୍ପତ୍ତି ଓଡ଼ିଶା ଓ ଜଳ ବିବାଦ ନେଇ ପ୍ରତିବାଦୀ ରାଜ୍ୟଗୁଡ଼ିକର ସ୍ୱାର୍ଥର ସପକ୍ଷରେ ରହିଛି।

ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଅଭିଯୋଗ ସଂପର୍କରେ ଶ୍ରୀ ପ୍ରଧାନ କହିଥିଲେ, ସେ ଏଯାଏ ଶୁଣିନାହାନ୍ତି, କିଏ କଣ କହିଲେ। ତେବେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସ୍ତରରେ ସମାଲୋଚନା ଜାରି ରହିଛି। ନିଜର ଅଜ୍ଞତା ଓ ରାଜନୈତିକ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ଅପପ୍ରଚାର ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର