ମହାନଦୀକୁ ନେଇ ମହାଖେଳ: ଟ୍ରିବ୍ୟୁନାଲରେ ମାମଲା, ହାତ ଝାଡ଼ିଦେଇ ବସିଛନ୍ତି ସରକାର

ଭୁବନେଶ୍ୱର : ସରକାରୀ ପରିସଂଖ୍ୟାନ ଅନୁସାରେ, ୧୯୯୦-୯୧ରୁ ୨୦୦୪-୦୫ ମଧ୍ୟରେ (୧୯୯୪କୁ ବାଦ୍ ଦେଇ) ଜୁନ୍ ମାସରେ ହାରାହାରି ୦.୭୬୪ ନିୟୁତ ଏକର ଫୁଟ ଜଳ ହୀରାକୁଦକୁ ପ୍ରବେଶ କରୁଥିଲା। ଲକ୍ଷ୍ୟ କରାଯାଇଛି ଯେ ୨୦୦୫-୦୬ରୁ ୨୦୨୧-୨୨ ମଧ୍ୟରେ ଏହା ୦.୪୫୮ ନିୟୁତ ଏକର ଫୁଟକୁ କମିଆସିଛି। ସର୍ବଶେଷ ଖବର ଅନୁସାରେ, ଚଳିତବର୍ଷ ଜୁନ୍ (ଗତମାସ)ରେ ବିଭିନ୍ନ ନଦୀ ଉପନଦୀ ଦେଇ ୦.୨୦୮ ନିୟୁତ ଏକର ଫୁଟ ଜଳ ପ୍ରବେଶ କରିଛି।

ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ଗତ ତିନି ଦଶନ୍ଧିର ଏହି ଗୋଟିଏ ମାସର ଚିତ୍ରକୁ ବିଚାରକୁ ନେଲେ ଜଣାପଡ଼ୁଛି ଯେ ଏକଦା ଜୁନ୍‌ମାସରେ ହୀରାକୁଦକୁ ଯେତିକି ଜଳ ପ୍ରବେଶ କରୁଥିଲା, ଆଜି ଦିନରେ ଏହାର ପରିମାଣ ପାଖାପାଖି ୭୩% ଅର୍ଥାତ୍ ୦.୫୫୬ ନିୟୁତ ଏକର ଫୁଟ କମିଗଲାଣି। ଏହି ତଥ୍ୟରୁ ଯେ କେହି ସହଜରେ ଅନୁମାନ କରିପାରିବ ଯେ ମହାନଦୀ ପ୍ରତି କେତେ ଭୀଷଣ ବିପଦ ମାଡ଼ିଆସୁଛି।

WordPress.com

ଏହି ପ୍ରସଙ୍ଗଟିର ଗମ୍ଭୀରତା ଆଉ କେଇଗୁଣ ବଢ଼ିଯାଉଛି, ଯେତେବେଳେ କି ଚଳିତ ବିଧାନସଭା ଅଧିବେଶନରେ ରାଜ୍ୟ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ ନିଜେ ତଥ୍ୟ ରଖୁଛନ୍ତି ଯେ ହୀରାକୁଦର ଉପରମୁଣ୍ଡରେ ଆନ୍ତଃରାଜ୍ୟ ନଦୀ, ଉପନଦୀରେ ବନ୍ଧ, ବ୍ୟାରେଜ୍ ଓ ଆଡ଼ିବନ୍ଧ ମହାନଦୀର ଜଳଧାରାକୁ ବ୍ୟାହତ କରିବ। ଅର୍ଥାତ୍ କେବଳ ଜୁନ୍‌ମାସର ତଥ୍ୟ ସହିତ ଯେଉଁ ଛାତି ଥରାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସୁଛି, ତାହା ଭବିଷ୍ୟତରେ ହୀରାକୁଦର ଜଳଧାରା ଶୁଖାଇ ଦେଇପାରେ।

ହେଲେ ଏତେସବୁ ପରିସଂଖ୍ୟାନ ଥାଇ ବି ରାଜ୍ୟ ସରକାର ଯେଉଁଭଳି ଭାବେ ମହାନଦୀ ସହିତ ଯୋଡିହୋଇଥିବା ସ୍ପର୍ଶକାତର ତଥା ସମ୍ବେଦନଶୀଳ ପ୍ରସଙ୍ଗରେ ନିଧଡ଼କ ହୋଇ ବସିଛନ୍ତି, ତାହା ବୁଦ୍ଧିଜୀବୀ ମହଲକୁ ଆଚମ୍ବିତ କରୁଛି।

ଟ୍ରିବ୍ୟୁନାଲର ୨୯ଟି ବୈଠକରେ ୯୨ ଲକ୍ଷ ଖର୍ଚ୍ଚ
୧୬ଜିଲ୍ଲା ପ୍ରତି ବିପଦ ବଢ଼ିଚାଲିଛି
ଆଉ ଗର୍ଜୁନି ବିଜେଡି, ଦ୍ବିଧାରେ ବିଜେପି ଓ କଂଗ୍ରେସ
ତିନିଦଶନ୍ଧିର ହିସାବ: କେବଳ ଜୁନ୍‌ରେ ୭୩% ଜଳ ହ୍ରାସ
ନଦୀଗର୍ଭ ଜଳାଶୟ ବିକଳ୍ପ ନୁହେଁ: ବିଶେଷଜ୍ଞ

ଟ୍ରିବ୍ୟୁନାଲ ହାତରେ ସବୁକିଛି ଛାଡ଼ି ରାଜ୍ୟ ସରକାର ହାତ ଝାଡ଼ି ଦେଇଛନ୍ତି।

ବର୍ଷେ କି ଦୁଇବର୍ଷ ନୁହେଁ, ପୂରା ପାଞ୍ଚବର୍ଷ ହେଲାଣି ଏହି ମାମଲାକୁ ନେଇ ସେଠାରେ କେବଳ କାଗଜପତ୍ର ଖେଳଚାଲିଛି। ନା ମହାନଦୀ ନା ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିବା ଭଳି ସାମାନ୍ୟ ଖବର ବି ଆସିପାରିନାହିଁ। ନା ଛତିଶଗଡ଼ ସରକାର ଉପରମୁଣ୍ଡରେ କାମ ବନ୍ଦ କରିଛନ୍ତି ନା ଓଡ଼ିଶା ଏହି ପ୍ରସଙ୍ଗରେ କେନ୍ଦ୍ର ଓ ଛତିଶଗଡ ସରକାରଙ୍କୁ ପ୍ରଭାବିତ କରିପାରିଲା।

ସବୁଠାରୁ ବଡ଼ କଥା ହେଲା, ପଲ୍ଲୀଠୁ ଦିଲ୍ଲୀ ଯାଏ ବିଜେଡି-ବିଜେପି ଏବଂ କେନ୍ଦ୍ର-ରାଜ୍ୟ ମଧ୍ୟରେ ନିବିଡ଼ତା ନେଇ ହୁରି ପଡ଼ୁଛି। ଏହା ସତ୍ତ୍ବେ ରାଜ୍ୟ ସରକାର ରାଜନୈତିକ ଚାପ ସୃଷ୍ଟି କରିବାରେ ବି ସମର୍ଥ ହେଲେ ନାହିଁ। ଗୋଟିଏ ଆଞ୍ଚଳିକ ଦଳ ହିସାବରେ ବିଜେଡି ଓଡ଼ିଶା ସ୍ବାର୍ଥ ସପକ୍ଷରେ ନାରାବାଜି କରୁଥିଲେ ହେଁ ସାଧାରଣ ନିର୍ବାଚନ ପରେ ସେମାନେ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। ନା ରାଜରାସ୍ତାକୁ ବିଜେଡି ଆସୁଛି ନା ସଂସଦରେ ଗର୍ଜୁଛି। ପୂର୍ବରୁ ଏହି ପ୍ରସଙ୍ଗରେ ଗର୍ଜନ ତର୍ଜନ କରୁଥିଲେ ହେଁ, ଏବେ କଂଗ୍ରେସର ଦଶା ବିଜେପି ଭଳି ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବିଜେପି ସରକାର ଥିବା କାରଣରୁ ଗେରୁଆ ଦଳ ଓଡ଼ିଶାରେ ଦ୍ବିବିଧାରେ ପଡ଼ିଥିଲେ। ଏବେ ସେଠାରେ କଂଗ୍ରେସ ସରକାର ଥିବା କାରଣରୁ ଏଠାରେ ତାଙ୍କ ଦଳର ନେତାଙ୍କ ତୁଣ୍ଡରେ ଏକରକମ ତାଲା ଲାଗିଛି।

୧୬ଟି ଜିଲ୍ଲାର ଜନଜୀବନ ସହିତ ଓତଃପ୍ରୋତ ଭାବେ ଯୋଡି ହୋଇରହିଥିବା ମହାନଦୀ ଉପରେ ଛତିଶଗଡ଼ ସରକାର ପାଖାପାଖି ୬ଟି ଶିଳ୍ପଭିତ୍ତିକ ବ୍ୟାରେଜ୍, ୧୨ଟି ନଦୀବନ୍ଧ ଏବଂ କିଛି ଆଡ଼ିବନ୍ଧ ନିର୍ମାଣ କରିଛନ୍ତି। ଏହାର ପ୍ରଭାବରେ ଅଣମୌସୁମୀ ସମୟରେ ଜଳପ୍ରବାହ ହ୍ରାସ ପାଇଛି, ଏକଥା ସମସ୍ତେ ଜାଣନ୍ତି।

ସରକାରଙ୍କ ତଥ୍ୟକୁ ବିଶ୍ବାସ କଲେ, ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ଅଣମୌସୁମୀ କାଳରେ ହାରାହାରି ୧.୨୫୨ ନିୟୁତ ଏକର ଫୁଟ ଜଳ ମହାନଦୀକୁ ପ୍ରବେଶ କରୁଥିଲା। ୨୦୨୦-୨୧ରେ ଏହା ୧.୧୮୫ ନିୟୁତ ଏକର ଫୁଟକୁ କମିଗଲା। ଅତଏବ ଧୀରେ ଧୀରେ ମହାନଦୀ ଉପରେ ଚାପ ବଢ଼ିବାରେ ଲାଗିଛି।

Isha Foundation

ଏଠାରେ ସ୍ମରଣଥାଉକି, ମହାନଦୀ ପ୍ରତି ସମ୍ଭାବ୍ୟ ବିପଦ ସଂପର୍କରେ ଘନ ଘନ ରିପୋର୍ଟ ପ୍ରକାଶ ପରେ ୨୦୧୫ ବେଳକୁ ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ବାଧ୍ୟ ହୋଇ ୨୦୧୬ ନଭେମ୍ବର ୧୯ ତାରିଖରେ ଅନ୍ତଃରାଜ୍ୟ ନଦୀଜଳ ବିବାଦ ଆଇନ ୧୯୫୬ର ଧାରା ୩ ଅନୁସାରେ ଗୋଟିଏ ବୈଧାନିକ ଅଭିଯୋଗ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିଥିଲେ। ହେଲେ କେନ୍ଦ୍ର ଏହାଉପରେ ବିଶେଷ କୌଣସି ପଦକ୍ଷେପ ନ େନବା କାରଣରୁ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ଗୋଟିଏ ଇଞ୍ଜକ୍‌ସନ୍ ସୁଟ୍ ଏବଂ ଦୁଇଟି ଇଣ୍ଟେର୍ଲୋକୁଟୋରି ଆପ୍ଲିକେସନ୍ ମାଧ୍ୟମରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେଲେ।

୨୦୧୮ ମାର୍ଚ୍ଚ ୧୩ ତାରିଖରେ ସୁପ୍ରିମକୋର୍ଟ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କଲେ ଓ ଏବେ ସୁଦ୍ଧା ୨୯ଟି ବୈଠକ ଶେଷ ହୋଇଛି। ରାଜ୍ୟ ସରକାର ୯୨ଲକ୍ଷ ୨୯ ହଜାର ୨୩ ଟଙ୍କା ଖର୍ଚ୍ଚ କରିସାରିଲେଣି। ହେଲେ ତଥ୍ୟ ଆଦାନ ପ୍ରଦାନ, ପ୍ରମାଣ ଯୋଗାଡ ଭିତରେ ସମୁଦାୟ ପ୍ରକ୍ରିୟା ଅଟକି ରହିଛି। ଓଡ଼ିଶା ସପକ୍ଷରେ କୌଣସି ରାୟ ବା ମତ ଆସିପାରିନାହିଁ।

ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ମଧ୍ୟ ସନ୍ଦେହମୁକ୍ତ ନୁହେଁ। ମହାନଦୀ ଆନ୍ଦୋଳନବେଳେ ରାଜ୍ୟ ବିରୋଧରେ ଏକ ବଡ ଅଭିଯୋଗ ଥିଲା କି ମୌସୁମୀ ସମୟରେ ପ୍ରବାହିତ ଜଳ ସଂରକ୍ଷଣ କରିବାରେ ଓଡ଼ିଶା ବିଫଳ। ସବୁ ପାଣି ସମୁଦ୍ରକୁ ଚାଲିଯାଉଛି। ଛତିଶଗଡର ତତ୍କାଳୀନ ରମଣ ସିଂହ ସରକାର ବି ଅନୁରୂପ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ସରକାର ପ୍ରତିହତ କରିପାରିଲେ ନାହିଁ। କାରଣ ଗତ ଦୁଇ ଦଶନ୍ଧି ମଧ୍ୟରେ ଗୋଟିଏ ବି ବଡ ବ୍ୟାରେଜ୍ ବା ନଦୀବନ୍ଧ ରାଜ୍ୟ ସରକାର କରିପାରିନାହାନ୍ତି; ଯଦିଓ ବିଜେଡି ବିପୁଳ ସଂଖ୍ୟାରେ ସରକାରକୁ ଆସିଛି। କେହି କେହି ସରକାରଙ୍କ ଦୂରଦୃଷ୍ଟିହୀନତାକୁ ବି ଏଥିପାଇଁ ଅନେକାଂଶରେ ଦାୟୀ କରିଛନ୍ତି।

ଏବେ ଚାରିଆଡୁ ସମାଲୋଚିତ ହେବା ପରେ ଜଳସଂପଦ ବିଭାଗ ଗୋଟିଏ ଗଳାବାଟ ବାହାର କରିଛି। ନଦୀଗର୍ଭ ଜଳାଶୟ ପାଇଁ ୧୧ହଜାର ୭୦୦ କୋଟିର ଗୋଟିଏ ବଡ଼ ଯୋଜନା ସରକାର କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୦ଟି (୨୦୨୧-୨୨)ନଦୀଗର୍ଭ ଜଳାଶୟ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିରୁ ୧୭ଟି କାର୍ଯ୍ୟ ଆରମ୍ଭ ହୋଇଥିବା ସରକାର ଦାବି କରୁଛନ୍ତି ଏବଂ ୧୨ଟି ଟେଣ୍ଡର ପ୍ରକ୍ରିୟା ଭିତରେ ରହିଛି। ଗୋଟିଏ ପ୍ରକଳ୍ପ ଅନୁମୋଦନ ଅପେକ୍ଷାରେ ରହିଛି। ଚଳିତବର୍ଷ ଆଉ ୧୬ଟି ପ୍ରକଳ୍ପ କରିବା ଲାଗି ସରକାର ଯୋଜନା କରିଛନ୍ତି।

commons.wikimedia.org

ହେଲେ ବିଶେଷଜ୍ଞ ମହଲ ଯେଉଁ ତିନିଟି ବଡ ଅଭିଯୋଗ କରୁଛନ୍ତି, ତାହା ଏ ସମୁଦାୟ ଯୋଜନାର ଉପକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲାଣି। ଏମାନଙ୍କର ଯୁକ୍ତି ହେଉଛି, ଏହି ପ୍ରକ୍ରିୟାରେ ଜଳସେଚନ, ଶିଳ୍ପ ଆଦି ପାଇଁ ଆବଶ୍ୟକ ଜଳଯୋଗାଣ ହୋଇପାରେ। ମାତ୍ର ଯେଉଁ ତିନିଟି ଅଦୃଶ୍ୟ ବିପଦ ଦେଖାଦେବ, ସେ ନେଇ ସରକାରୀ ପ୍ରସ୍ତୁତି ଥିବା ଭଳି ମନେ ହେଉନାହିଁ। ପ୍ରଥମତଃ ରାଜ୍ୟରେ ପ୍ରମୁଖ ୧୧ଟି ନଦୀ ଅର୍ଥାତ୍ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ଋଷିକୁଲ୍ୟା, ସୁବର୍ଣ୍ଣରେଖା ଆଦି ନଦୀ ଦେଇ କେତେ ପରିମାଣର ଜଳ ସମୁଦ୍ରକୁ ଯାଉଛି ତାହା ଏଯାଏ ଆକଳନ ହୋଇନାହିଁ। ଦ୍ବିତୀୟତଃ, ମହାନଦୀ ଭଳି ନଦୀ ଦେଇ ଯଦି ସମୁଦ୍ରକୁ ବିପୁଳ ଜଳ ପ୍ରବେଶ ନ କରେ, ତେବେ ଉପକୂଳ ଆଡ଼କୁ ମାଟିତଳେ ଲୁଣାଜଳ ମାଡ଼ି ଆସିବା ବିଚିତ୍ର ନୁହେଁ। ଏମିତି ହେଲେ ପୂରା ଉପକୂଳର ପାଣି ପିଇବା ଉପଯୋଗୀ ହୋଇ ରହିବ ନାହିଁ। ତୃତୀୟତଃ, ଚିଲିକା, ଅଂଶୁପା, ଭିତରକନିକା ଆଦିର ସୁରକ୍ଷା ଏହାଦ୍ବାରା କିଭଳି ହେବ, ତାହାର ମଧ୍ୟ ଏକ ବିସ୍ତୃତ ଆକଳନ ଆବଶ୍ୟକ, ଯାହା ଏଯାଏ ସରକାର କରିନାହାନ୍ତି।

ସୁତରାଂ ମହାନଦୀ ସମେତ ବିଭିନ୍ନ ନଦୀ ସୁରକ୍ଷା ପ୍ରସଙ୍ଗକୁ ରାଜ୍ୟ ସରକାର ଯେଭଳି ଗମ୍ଭୀରତାର ସହିତ ନେବା କଥା, ସେ ନେଇ ଏଯାଏ ହେଜିନାହାନ୍ତି, ଏକଥା ଜୋର୍ ଦେଇ କୁହାଯାଇପାରିବ।

ସମ୍ବନ୍ଧିତ ଖବର