ଭୁବନେଶ୍ବର: ମହାନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହୋଇଥିବାବେଳେ ଓଡ଼ିଶା ପକ୍ଷରୁ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଗତ ମାସକ ମଧ୍ୟରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ହୋଇଥିବା ଆଲୋଚନା ବିଷୟରେ ସୂଚନା ଦେଇଛନ୍ତି। ଦୁଇ ରାଜ୍ୟ ଏବେ ଆପୋସ ସମାଧାନ ପାଇଁ ରାଜି ହୋଇଥିବାରୁ ଟ୍ରିବ୍ୟୁନାଲ ଦୁଇ ପକ୍ଷଙ୍କୁ ଆଉ କିଛି ସମୟ ‌େଦଇଛନ୍ତି। ଯେପରି ଏହି ବିବାଦର ଯଥାସମ୍ଭବ ସମାଧାନର ରାସ୍ତା ବାହାରିବ ସେନେଇ ଟ୍ରିବ୍ୟୁନାଲ ଅକ୍ଟୋବର ୧୧ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। 

Advertisment

ଆଜିର ଶୁଣାଣି ପରେ ଆଡଭୋକେଟ୍ ଜେନେରାଲ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି ବିବାଦର ସମାଧାନ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ତାହା ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି। ଦୁଇ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆପୋସ ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ଓଡ଼ିଶା ପ୍ରୟାସ କରୁଛି। ଗତ ୭ବର୍ଷ ଧରି ଏହି ମାମଲାରେ ବିଶେଷ ଅଗ୍ରଗତି ହୋଇନଥିବାବେଳେ ଟ୍ରିବ୍ୟୁନାଲଙ୍କ ସକାରାତ୍ମକ ଆଭିମୁଖ୍ୟ, କେନ୍ଦ୍ର ଜଳ ଆୟୋଗ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ଜଳସମ୍ପଦ ମନ୍ତ୍ରୀ ସି.ଆର୍‌ ପାଟିଲଙ୍କ ହସ୍ତକ୍ଷେପ ଯୋଗୁ ଏବେ ଦୁଇ ରାଜ୍ୟ ଆପୋସ ସାମଧାନ ପାଇଁ ରାଜି ହୋଇଛନ୍ତି। ଓଡ଼ିଶାର ପଦକ୍ଷେପ ପାଇଁ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ୍ ବି.ଏମ୍ ତ୍ରିବେଦୀ ପ୍ରଶଂସା କରିଛନ୍ତି। 

ସେହିପରି ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି ଯେ ଗତକାଲି (ସେପ୍ଟେମ୍ବର ୫ରେ) ଦୁଇ ରାଜ୍ୟର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ବୈଷୟିକ ଟିମ୍ ମଧ୍ୟରେ ଆଲୋଚନା ହୋଇଛି। ପ୍ରାୟ ୪୦ଟି ବିବାଦୀୟ ପ୍ରସଙ୍ଗ ଥିବାରୁ ‌ବୈଷୟିକ ଟିମ୍‌ର ନିୟମିତ ବୈଠକ ମାଧ୍ୟମରେ ଏହାର ସମାଧାନ ବାଟ ବାହାର କରାଯାଉଛି। ଆଇନଗତ ଲଢ଼େଇରେ ବିବାଦର ସମାଧାନ ବିଳମ୍ବ ହେବ। ତେଣୁ ରାଜନୈତିକ ସ୍ତରରେ ଆଲୋଚନା କରି ବିବାଦର ଶୀଘ୍ର ସମାଧାନ କରିବାକୁ ଉଦ୍ୟମ କରାଯାଇଛି। ଏହାବ୍ୟତୀତ ଅକ୍ଟୋବରରେ ମୁଖ୍ୟ ସଚିବଙ୍କ ସ୍ତରରେ ଆଲୋଚନା ହେବ। ଏଥିରୁ କିଛି ସମାଧାନ ବାହାରିଲେ ଡିସେମ୍ବରରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଆଲୋଚନା ହୋଇଥିବା ନେଇ ଟ୍ରିବ୍ୟୁନାଲଙ୍କୁ ଅବଗତ କରିଛି। ଏବେ ବିବାଦର ସମାଧାନ ନେଇ ସମସ୍ତେ ସକରାତ୍ମକ ଥିବାରୁ ଏହାର ଖୁବ୍‌ଶୀଘ୍ର ସ୍ଥାୟୀ ସମାଧାନ ହୋଇପାରେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।