ଭୁବନେଶ୍ବର/ଝାରସୁଗୁଡ଼ା/ ବରଗଡ : ଓଡ଼ିଶାର ସ୍ବାର୍ଥକୁ ପଛକୁ ଠେଲି ଦେଇ ମହାନଦୀ ଉପରେ ଏକତରଫା ଦଖଲ ଚଳାଇଲେ ଛତିଶଗଡ଼ ସରକାର। କେନ୍ଦ୍ର ସରକାର ନିରବ ରହିଲେ ଓ ଅଦୃଶ୍ୟ ବଳରେ ବଳିୟାନ୍ ହୋଇ କାହା କଥା ଶୁଣିଲାନି ଛତିଶଗଡ଼। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲର ସଦସ୍ୟ ଏବେ ଛତିଶଗଡରେ ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରୁଛନ୍ତି। େହଲେ ଛତିଶଗଡ଼ ସରକାରଙ୍କ ମନମାନି ତଥାପି କମିନି, ବରଂ ସୀମା ଟପିଛି। ଟ୍ରିବ୍ୟୁନାଲ ମହାନଦୀର ଉପରମୁଣ୍ଡରେ ବୁଲୁଥିବା ବେଳେ ନିଜେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କଡା ମନ୍ତବ୍ୟ ଦେଇ ଦୁଇ ରାଜ୍ୟର ବିବାଦକୁ ବଢାଇଛନ୍ତି। ଖୋଲାଖୋଲି ସେ କହିଛନ୍ତି, ଆମେ ବ୍ୟାରେଜ କରିଛୁ, ଆଗକୁ ବନ୍ଧ ବାନ୍ଧିବୁ।

Advertisment

ଓଡ଼ିଶା ମିଥ୍ୟା ଅଭିଯୋଗ ଆଣୁଛି ବୋଲି ପୁଣି କହିଲେ
ଗସ୍ତକୁ ନେଇ ଖୁସ୍ ନାହାନ୍ତି; ଅଘୋଷିତ ଅସହଯୋଗ

publive-image

ଶ୍ରୀ ବାଘେଲ ଆହୁରି କହିଛନ୍ତି ଯେ ମହାନଦୀ ଜଳ ବିବାଦ ମାମଲା ଟ୍ରିବ୍ୟୁନାଲକୁ ଯିବାର ନଥିଲା। ଛତିଶଗଡ଼ରେ କୌଣସି ଡ୍ୟାମ ନାହିଁ। ଏଠାରେ ହୋଇଥିବା ୭ଟି ବ୍ୟାରେଜକୁ ନେଇ ହିଁ ବିବାଦର ସୂତ୍ରପାତ। ଏହି ବିବାଦ ଟ୍ରିବ୍ୟୁନାଲକୁ ଯିବାରୁ ଆମେ ସରଗୁଜାରେ ଡ୍ୟାମ ଓ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ବନ୍ଦ କରିଦେଇଛୁ। ଛତିଶଗଡରୁ ମହାନଦୀ ବାହାରିଥିଲେ ହେଁ ସବୁ ପାଣି ଓଡ଼ିଶାକୁ ଚାଲିଯାଉଥିବାରୁ ଆମକୁ ଡ୍ୟାମ ଓ ବ୍ୟାରେଜ ନିର୍ମାଣ ପାଇଁ ଅନୁମତି ମିଳିବା କଥା। ମହାନଦୀ ଛତିଶଗଡର ଜୀବନ ରେଖା। ରାଜ୍ୟର ୭୮%ଲୋକ ମହାନଦୀ ଅବବାହିକାରେ ବାସ କରନ୍ତିl ତେଣୁ ଛତିଶଗଡକୁ ଡ୍ୟାମ ନିର୍ମାଣ ପାଇଁ ଏବେ ଅନୁମତି ଦିଆଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କେବଳ ସେତିକିରେ ଛତିଶଗଡ଼ର ଦାଦାଗିରି ସୀମିତ ନାହିଁ। ଟ୍ରିବ୍ୟୁନାଲ୍‌ ସଦସ୍ୟମାନେ ବର୍ତ୍ତମାନ ‌କ୍ଷେତ୍ର ପରିଦର୍ଶନ ଜାରି ରଖିଥିବା ବେଳେ ଛତିଶଗଡ଼ ସରକାର ଏବଂ ବରିଷ୍ଠ ଅଧିକାରୀମାନେ ଟ୍ରିବ୍ୟୁନାଲ୍‌କୁ ଅଘୋଷିତ ଅସହଯୋଗ କଲା ଭଳି ମନୋଭାବ ପୋଷଣ କରୁଥିବା ବିଶେଷଜ୍ଞମାନେ କହୁଛନ୍ତି। ସିଧା କହିବାକୁ ଗଲେ, ଟ୍ରିବ୍ୟୁନାଲ୍‌ର ଗସ୍ତକୁ ନେଇ ଛତିଶଗଡ଼ ଖୁସ୍‌ ନୁହଁ। ମହାନଦୀ ଉପରମୁଣ୍ଡରେ ଜଳ ନିୟନ୍ତ୍ରଣ କ୍ଷେତ୍ରରେ ଛତିଶଗଡ଼ର ମନମାନି କାହାରିକୁ ଅଛପା ନାହିଁ। ତେଣୁ ଏହି କ୍ଷେତ୍ର ପରିଦର୍ଶନର ରିପୋର୍ଟ ଛତିଶଗଡ଼କୁ ଅଡ଼ୁଆରେ ପକାଇବା ଆଶଙ୍କା ରହିଛି। ଏଣୁ ଛତିଶଗଡ଼ ସରକାର ଚାପ କୌଶଳ ପକାଉଥିବା କୁହାଯାଉଛି।

publive-image

ମହାନଦୀ ଜଳ ବିବାଦ ମାମଲା ନେଇ ଟ୍ରିବ୍ୟୁନାଲ ଗଠନର ୫ ବର୍ଷ ପରେ ବୁଧବାରଠାରୁ ଛତିଶଗଡ଼ରେ ଟ୍ରିବ୍ୟୁନାଲ ସଦସ୍ୟଙ୍କ କ୍ଷେତ୍ର ପରିଦର୍ଶନ ଆରମ୍ଭ ହୋଇଛି। ଗତକାଲି ଏହି ଟିମ୍‌ ଫାରସିଆ ଅଞ୍ଚଳ ବୁଲି ଦେଖିଥିବା ବେଳେ ଗୁରୁବାର ଓ ଶୁକ୍ରବାର ଉପର ମହାନଦୀ ମୁଖ୍ୟ ଉପଅବବାହିକା ଅଞ୍ଚଳ, ରବିଶଙ୍କର ସାଗର ପ୍ରକଳ୍ପ, ମୁରୁମସିଲି ଡ୍ୟାମ, ଦୁଧୱା ଡ୍ୟାମ ସାଇଟ୍‌, ନୂତନ ରୁଦ୍ରି ବ୍ୟାରେଜ, ସିଓନାଥ ଉପଅବବାହିକା, ଧାମଧା ସ୍ଥିତ ତିମାରି ମାଇନର ଟ୍ୟାଙ୍କ, ଖଇରାଗଡ଼ ସ୍ଥିତ ଉଦୟପୁର ମାଇନର ଟ୍ୟାଙ୍କ, ଖଇରାଗଡ଼ରେ ପ୍ରସ୍ତାବିତ ସିଦ୍ଧ ବାବା ଟ୍ୟାଙ୍କ, ଚୁଇଖଦମ ସ୍ଥିତ ପିପାରିଆ ଡ୍ୟାମ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଏହି ଟିମ୍‌ ୪ଟି ପ୍ରକଳ୍ପ ବୁଲି ଦେଖିଥିବା ବେଳେ ଆସନ୍ତାକାଲି ଅନ୍ୟ ୬ଟି ପ୍ରକଳ୍ପ ଦେଖିବେ। ଅର୍ଥାତ୍ ସବୁ ବିବାଦୀୟ ପ୍ରକଳ୍ପର ସରଜମିନ୍ ଅନୁଧ୍ୟାନ ଆରମ୍ଭ କରିଛନ୍ତି ଟ୍ରିବ୍ୟୁନାଲ। ଏପ୍ରିଲ ୨୨ରେ ଉପର ମହାନଦୀ ମୁଖ୍ୟ ଉପଅବବାହିକା ଅଞ୍ଚଳରେ ଥିବା ସାମୋଦା ବ୍ୟାରେଜ ପରିଦର୍ଶନ ପରେ ଟ୍ରିବ୍ୟୁନାଲ୍‌ ସଦସ୍ୟ ଦିଲ୍ଲୀ ଫେରିଯିବେ।

ମିଳିଥିବା ରିପୋର୍ଟ ଅନୁସାରେ, ମହାନଦୀର ଜଳପ୍ରବାହ ଓ ଏହି ଅଞ୍ଚଳରେ ହୋଇଥିବା ଡ୍ୟାମ୍‌ ଯୋଗୁ ଜଳ ସଞ୍ଚୟ ଏବଂ ଉପଯୋଗର ନିରୀକ୍ଷଣ କରିଛି ଏହି ଟିମ୍‌। ତେବେ ଟ୍ରିବ୍ୟୁନାଲଙ୍କ ପରିଦର୍ଶନ ନେଇ ଛତିଶଗଡ଼ ସରକାର ଗଣମାଧ୍ୟମକୁ ମଧ୍ୟ ବିଭ୍ରାନ୍ତି କରିବାକୁ ପଛାଇନାହାନ୍ତି। ମୌସୁମୀ ଋତୁରେ ଛତିଶଗଡ଼ର ବ୍ୟାରେଜ୍‌ ଓ ଆନିକଟରେ ଅତି କମ୍ ମାତ୍ରାରେ ଜଳ ସଞ୍ଚୟ ହେଉଥିବା ବେଳେ ମହାନଦୀରେ ଜଳପ୍ରବାହକୁ କେବେ ଅଟକାଇ ନାହିଁ ବୋଲି ଛତିଶଗଡ଼ ସରକାର ଗଣମାଧ୍ୟମକୁ ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ବରଂ ଓଡ଼ିଶା ଏହି ପ୍ରସଙ୍ଗରେ ମିଥ୍ୟା ଅଭିଯୋଗ ଆଣୁଥିବା କହି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଛତିଶଗଡ଼ ପକ୍ଷରୁ ତଥ୍ୟ ପ୍ରସ୍ତୁତ କରାଯାଇଛି।

ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ୱିଲକରଙ୍କ ଅଧ୍ୟକ୍ଷତାରେ ଥିବା ଏହି ଟିମ୍‌ରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର, ୨ ଆସେସର, ଉଭୟ ରାଜ୍ୟର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମର ସଦସ୍ୟ କ୍ଷେତ୍ର ପରିଦର୍ଶନ କରୁଛନ୍ତି।
ଉଲ୍ଲେଖଥାଉକି, ପୂର୍ବରୁ ଏହି ବିବାଦ ଯେତେବେଳେ ଚରମ ସୀମାରେ ଥିଲା, ଛତିଶଗଡ଼ର ଗଣମାଧ୍ୟମ ବି ପ୍ରସଙ୍ଗକୁ ଶିରୋନାମାରେ ରଖୁଥିଲେ। ଓଡ଼ିଶାର ସ୍ବାର୍ଥହାନି କଲା ଭଳି ଖବର ବି ପ୍ରସାରିତ ହୋଇଥିବା ନଜିର ରହିଛି। ମହାନଦୀର ଉତ୍ପତ୍ତି ଛତିଶଗଡ଼ରୁ ଏବଂ ଉପରମୁଣ୍ଡରେ ତିଆରି ହୋଇଥିବା ବ୍ୟାରେଜ୍‌ଗୁଡ଼ିକ ଉପରେ ଛତିଶଗଡ଼ର ନ୍ୟାୟିକ ଅଧିକାର ଥିବା ଖବର ବାହାରୁଥିଲା। ଏହା ସହିତ, ଓଡ଼ିଶା ସରକାରଙ୍କ ମହାନଦୀ ଜଳ ପରିଚାଳନାରେ ତ୍ରୁଟିଥିବା ସେଠାକାର ରାଜନେତା ଓ ବିଶେଷଜ୍ଞମାନେ ମତମନ୍ତବ୍ୟ ଦେଇଥିଲେ। କିନ୍ତୁ ଏବେ ସମସ୍ତେ ନିରବ।

publive-image

ଅନ୍ୟପକ୍ଷରେ ଛତିଶଗଡ଼ରେ ବିଜେପି ବି ଏହି ପ୍ରସଂଗରୁ ନିଜକୁ ଦୂରେଇ ରଖିଛି। ୨୦୧୪ ସାଧାରଣ ନିର୍ବାଚନ ବେଳେ ଛତିଶଗଡ଼ରେ ବିଜେପି ମହାନଦୀ ଉପରମୁଣ୍ଡରେ ଥିବା ବିଭିନ୍ନ ପ୍ରକଳ୍ପକୁ ଏଜେଣ୍ଡା କରିଥିଲା। ଉକ୍ତ ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବା ଏବଂ ବିଭିନ୍ନ ଜଳଭଣ୍ଡାରର କ୍ଷମତା ବୃଦ୍ଧି, ବ୍ୟାରେଜ୍‌ ନିର୍ମାଣ କରି ଶିଳ୍ପ ଓ କୃଷି କ୍ଷେତ୍ରର ବିକାଶ କଥା ଉଠାଇଥିଲା ବିଜେପି। ଆଗକୁ ପୁଣି ସାଧାରଣ ନିର୍ବାଚନ ଥିବାରୁ ବିଜେପି ମହାନଦୀ ପ୍ରସଂଗରୁ ନିଜକୁ ଦୂରେଇ ରଖିବାକୁ ପ୍ରାଣପଣେ ଚେଷ୍ଟା କରୁଥିବା ପରିଲକ୍ଷିତ ହେଉଛି।

ଟ୍ରିବ୍ୟୁନାଲ୍‌ର କ୍ଷେତ୍ର ପରିଦର୍ଶନ ସଂପର୍କରେ ଛତିଶଗଡ଼ର ବରିଷ୍ଠ ସାମ୍ବାଦିକ ପ୍ରକାଶଚନ୍ଦ୍ର ହୋତାଙ୍କ ମତାମତ ଲୋଡ଼ାଯାଇଥିଲା। ଏହି ଗସ୍ତସୂଚୀ ସଂପର୍କରେ ବିଧିବଦ୍ଧ ଭାବେ ଗଣମାଧ୍ୟମକୁ କୌଣସି ଯୋଗାଯୋଗ କରାଯାଇନି ବୋଲି ଶ୍ରୀ ହୋତା ମତ ରଖିଛନ୍ତି।
ଏପଟେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ କାଦୁଅଫିଙ୍ଗା ଆରମ୍ଭ ହୋଇଛି। ଆଜି ରାଜ୍ୟ କଂଗ୍ରେସ ଏହି ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କୁ ଘେରିଛି। ଝାରସୁଗୁଡ଼ାରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ବିବୃତି ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାର ଚାହିଥିଲେ ସେତେବେଳେ ମହାନଦୀରେ ବ୍ୟାରେଜ୍‌ ନିର୍ମାଣ ହୋଇପାରିଥାନ୍ତା ଓ ଆଜି ଚାଷୀ ଜଳକଷ୍ଟର ସମ୍ମୁଖୀନ ହେଉନଥାନ୍ତେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।