ଝାରସୁଗୁଡ଼ା : ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ରେ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ରବିବାରଠାରୁ ଆରମ୍ଭ ହୋଇଛି। ଏହି ଟିମ୍‌ ଦୁର୍ଗ ଜିଲ୍ଲା‌ରେ ଥିବା କୁମ୍‌ହାରୀ ଆନିକଟ ପରିଦର୍ଶନ କରିବା ସମୟରେ ଓଡ଼ିଶା- ଛତିଶଗଡ଼ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି।

Advertisment

ସୁପ୍ରିମ‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଏ.ଏମ୍‌. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଶନିବାର ରାୟପୁରରେ ପହଞ୍ଚିବା ପରେ ରାତିରେ ଉଭୟ ରାଜ୍ୟର ଅଧିକାରୀଙ୍କୁ ନେଇ ବୈଠକ ହୋଇଥିଲା। ରବିବାର ସକାଳୁ ଟିମ୍‌ ସଦସ୍ୟମାନେ ଦୁର୍ଗ ଜିଲ୍ଲାର କୁମ୍‌ହାରୀ ଆନିକଟରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିଥିଲେ। ଏହାପରେ ହରଡି-୨ ଆନିକଟ, ସିୱରି ନାରାୟଣ ବ୍ୟାରେଜ୍‌, ତାଲଦେୱରି ହସଦେବ ଆନିକଟ ପରିଦର୍ଶନ କରିବା ପରେ ବିଳାସପୁରରେ ପହଞ୍ଚିଛନ୍ତି।

ଆଜିର କ୍ଷେତ୍ର ପରିଦର୍ଶନ ସମୟରେ ମହାନଦୀ ଜଳପ୍ରବାହ ଓ ଏହି ଅଞ୍ଚଳରେ ହୋଇଥିବା ବ୍ୟାରେଜ୍‌ ଯୋଗୁ ଜଳସଞ୍ଚୟ ଓ ଉପଯୋଗ ଉପରେ ଏହି ଟିମ୍ ସଦସ୍ୟମାନେ ନିରୀକ୍ଷଣ କରିଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଏହି ଟିମ୍‌ ସଦସ୍ୟଙ୍କ ପରିଦର୍ଶନ ନେଇ ଛତିଶଗଡ଼ ସରକାର ଗଣମାଧ୍ୟମକୁ ମଧ୍ୟ ବିଭ୍ରାନ୍ତ କରିବାକୁ ପଛାଇନଥିଲେ। ମୌସୁମୀ ଋତୁରେ ଛତିଶଗଡ଼ର ବ୍ୟାରେଜ୍ ଓ ଆନିକଟରେ ଅତି କମ୍ ପରିମାଣରେ ଜଳସଞ୍ଚୟ ହେଉଥିବା ବେଳେ ମହାନଦୀରେ ଜଳପ୍ରବାହକୁ କେବେ ଅଟକାଇ ନାହିଁ ବୋଲି ଛତିଶଗଡ଼ ସରକାର ତଥ୍ୟ ଉପସ୍ଥାପନ କରିଥିଲେ। ବରଂ ଓଡ଼ିଶା ଏହି ପ୍ରସଙ୍ଗରେ ମିଥ୍ୟା ଅଭିଯୋଗ ଆଣୁଛି ବୋଲି କହିଥିଲେ।
ଅନ୍ୟପକ୍ଷରେ ଛତିଶଗଡ଼ରେ ମହାନଦୀ ବ୍ୟାରେଜ୍‌ ଓ ଆନିକଟରେ ପାଣି ଉଛୁଳୁଥିବା ବେଳେ ଓଡ଼ିଶା ପଟ ଶୁଖିଲା ପଡ଼ିଛି। ତେଣୁ ମହାନଦୀ ପାଣିକୁ ନେଇ ଓଡ଼ିଶା ନିଜର ଭାଗ ମାଗିଥିଲା। ଛତିଶଗଡ଼ର ୩ ଦିନର ଲଗାଣ ବର୍ଷା ପରେ ବି କାହିଁକି ଓଡ଼ିଶା ପାଣି ପାଇଲାନି ବୋଲି ପଚାରିବା ପରେ ଛତିଶଗଡ଼ର ଅଧିକାରୀମାନେ ରାଗି ଯାଇଥିବା ଏହି ସୂତ୍ରରୁ ସୂଚନା ମିଳିଛି। କିଛି ସମୟ ପାଇଁ ଦୁଇ ରାଜ୍ୟର ଅଧିକାରୀମାନଙ୍କ ମଧ୍ୟ‌େର ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି।  ସ୍ଥିତି ଏପରି ହୋଇଛି ଯେ ଛତିଶଗଡ଼ ଯାଇଥିବା ଓଡ଼ିଶାର ଅଧିକାରୀ ଓ ଆଇନଜୀବୀଙ୍କ ସହ ଛତିଶଗଡ଼ର ଅଧିକାରୀମାନେ ଉତ୍ତମ ବ୍ୟବହାର ପ୍ରଦର୍ଶନ ମଧ୍ୟ କରୁନଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ତେବେ ଟ୍ରିବ୍ୟୁନାଲ ସଦସ୍ୟଙ୍କ ପ୍ରଥମ ପର୍ଯ୍ୟାୟ ଛତିଶଗଡ଼ ଗସ୍ତ ପରଠାରୁ କଲ୍‌ମା ଦେଇ ମହାନଦୀକୁ ଅଳ୍ପ ଅଳ୍ପ ଜଳ ଛାଡ଼ିବା ସହ ଛତିଶଗଡ଼ ସରକାର ସେଠାକାର ବ୍ୟାରେଜ୍‌ ତଥା ଆନିକଟଗୁଡ଼ିକର ଜଳସ୍ତରକୁ କିଭଳି ନିୟନ୍ତ୍ରଣ କରିଛନ୍ତି, ସେନେଇ ଓଡ଼ିଶା ପକ୍ଷରୁ ବି ତଥ୍ୟ ଉପସ୍ଥାପନ ହୋଇଥିବା ସୂଚନା ମିଳିଛି। ବିଶେଷକରି ଶୁଖିଲା ପଡ଼ିଥିବା ଶୁଖାସୋଢ଼ାରେ ହଠାତ୍‌ କିଭଳି ପାଣି ଦେଖାଦେଇଥିଲା ସେ ପ୍ରସଙ୍ଗରେ ବି ଆଲୋଚନା ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ଚଳିତ ପର୍ଯ୍ୟାୟରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ କରିବେ। ‌ମେ ୧ରେ ଅର୍ପା ଭଇଁଷାଝର, ବାଙ୍ଗୋ ଓ ଦର୍‌ରି ବ୍ୟାରେଜ୍ ବୁଲି ଦେଖିବାପରେ ୨ ତାରିଖରେ ଉପର ମହାନଦୀ ମୁଖ୍ୟ ଉପଅବବାହିକା, ବସନ୍ତପୁର ବ୍ୟାରେଜ, ମିରୋନୀ ବ୍ୟାରେଜ, ମିନିମାତା ଆନିକଟ, କଲ୍‌ମା ବ୍ୟାରେଜ୍‌ ଓ ସୂରଜଗଡ଼ ସେତୁ ପରିଦର୍ଶନ କରିବେ। ଦ୍ବିତୀୟ ପର୍ଯ୍ୟାୟ ଗସ୍ତ କାର୍ଯ୍ୟକ୍ରମର ଅନ୍ତିମ ଦିନ ତଥା ୩ରେ ଟ୍ରିବ୍ୟୁନାଲ ଓଡ଼ିଶା ସୀମାନ୍ତକୁ ଲାଗି ରହିଥିବା ଶେଷ ପ୍ରକଳ୍ପ କେଲୋ ପରିଦର୍ଶନ କରିବାପରେ ସନ୍ଧ୍ୟାରେ ଝାରସୁଗୁଡ଼ାରୁ ବିମାନ ଯୋଗେ ଦିଲ୍ଲୀ ଫେରିଯିବେ। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏ.ଏମ୍‌. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଥିବା ଏହି ଟିମ୍‌ରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ ହାଇକୋର୍ଟର ବିଚାରପତି ଇନ୍ଦ୍ରମିତ କୌର କୋଚରଙ୍କ ସମେତ ରେଜିଷ୍ଟ୍ରାର, ୨ ଆସେସର, ଉଭୟ ରାଜ୍ୟର ଜଳସମ୍ପଦ ଅଧିକାରୀ, ଆଇନଜୀବୀ ଓ ବୈଷୟିକ ଟିମ୍‌ର ସଦସ୍ୟ କ୍ଷେତ୍ର ପରିଦର୍ଶନ କରୁଛନ୍ତି।