ଝାରସୁଗୁଡ଼ା : ମହାନଦୀ ଜଳ ବିବାଦ ମାମଲା ନେଇ ଗଠିତ ଟ୍ରିବ୍ୟୁନାଲର ପ୍ରଥମ ପର୍ଯ୍ୟ‌ାୟ କ୍ଷେତ୍ର ପରିଦର୍ଶନ ଶେଷ ହୋଇଛି। ଶନିବାର ଅନ୍ତିମ ଦିନରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କମିଟି ପ୍ରଥମେ ମହାସମୁନ୍ଦ ଜିଲ୍ଲାର ନିସଦା ବ୍ୟାରେଜରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଉପର ମହାନଦୀ ମୁଖ୍ୟ ଉପ-ଅବବାହିକା ଅଞ୍ଚଳରେ ଥିବା ସାମୋଦା ବ୍ୟାରେଜ ପରିଦର୍ଶନ କରିଛନ୍ତି ଟିମ୍‌। ପରିଦର୍ଶନ ସମୟରେ ଟିମ୍‌ ସମ୍ମୁଖରେ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାର ଅଧିକାରୀମାନେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିବା ସୂଚନା ମିଳିଛି। ସନ୍ଧ୍ୟାରେ ରାୟପୁରରୁ ଏହି ଟିମ୍‌ ଦିଲ୍ଲୀ ଅଭିମୁଖେ ଫେରି ଯାଇଛନ୍ତି। ଆସନ୍ତା ୨୯ ତାରିଖରୁ ଛତିଶଗଡ଼ରେ ପୁଣି ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ।

Advertisment

ଟିମ୍‌ ନିସଦା ବ୍ୟାରେଜ ପରିଦର୍ଶନ ସମୟରେ ଟ୍ରିବ୍ୟୁନାଲ୍‌ ସମ୍ମୁଖରେ ଛତିଶଗଡ଼ର ସରକାର ଏକ ସାଂଘାତିକ ଚିତ୍ର ଉପସ୍ଥାପନ କରି ଥିବା ସୂଚନା ମିଳିଛି। ସେଠାରେ ଉପଯୁକ୍ତ ଭାବେ ଜଳ ପରିଚାଳନା କରାଯାଉଥିବା ଦର୍ଶାଇ ଟ୍ରିବ୍ୟୁନାଲ ଆଗରେ ତଥ୍ୟ ରଖିଥିବା ଜଣାଯାଇଛି। ପ୍ରକାଶାଥଉ କି, ଏପ୍ରିଲ୍‌ ମାସରେ ‌ଯେଉଁଠି ମହାନଦୀର ତଳମୁଣ୍ଡରେ ଲୋକେ ପିଇବା ପାଣିଟିକିଏ ପାଇବା ପାଇଁ ଡହଳବିକଳ ହେଉଛନ୍ତି ସେତେବେଳେ ନିସଦା ଓ ସମୋଦା ବ୍ୟାରେଜ୍‌ କୂଳରେ ଥିବା ୨ଶହରୁ ଅଧିକ ଗ୍ରାମବାସୀ ଏବେ ବି ପର୍ଯ୍ୟାପ୍ତ ପାଣି ପାଉଛନ୍ତି। ସେଠାକାର ଲୋକେ ଜଳକଷ୍ଟ କଣ ଜାଣି ନାହାନ୍ତି। କେବଳ ସେତିକି ନୁହେଁ ଏହି ୨ ବ୍ୟାରେଜ୍‌ରୁ ଛତିଶଗଡ଼ ସରକାର ବିଭିନ୍ନ କଳକାରଖାନାକୁ ପାଣି ବିକ୍ରି କରି ରାଜକୋଷ ବୃଦ୍ଧି କରୁଛନ୍ତି। ଆରଙ୍ଗ ଓ ମହାସମୁନ୍ଦକୁ ବାଦ୍‌ ଦେଲେ ବିରକୋନେ କ୍ଷେତ୍ରରେ ବି ୬୦ରୁ ଅଧିକ ବଡ଼ କଳକାରଖାନା ରହିଛି। ଯେଉଁଠାକୁ ଦୈନିକ ୫ ଲକ୍ଷ ଲିଟର ପାଣି ଦିଆଯାଉଥିବା ସୂଚନା ମିଳିଛି।

ପ୍ରଥମ ପର୍ଯ୍ୟାୟର ଏହି ଗସ୍ତରେ ଏହି ଟିମ୍‌ ଫାରସିଆ, ରବିଶଙ୍କର ସାଗର ପ୍ରକଳ୍ପ, ମୁରୁମସିଲି ଡ୍ୟାମ, ଦୁଧୱା ଡ୍ୟାମ ସାଇଟ, ନୂତନ ରୁଦ୍ରି ବ୍ୟାରେଜ, ସିଓନାଥ ଉପ ଅବବାହିକା, ଧାମଧାସ୍ଥିତ ତିମାରି ମାଇନର ଟ୍ୟାଙ୍କ, ଖଇରାଗଡ଼ସ୍ଥିତ ଉଦୟପୁର ମାଇନର ଟ୍ୟାଙ୍କ, ଖଇରାଗଡ଼ରେ ପ୍ରସ୍ତାବିତ ସିଦ୍ଧବାବା ଟ୍ୟାଙ୍କ, ଚୁଇଖଦମସ୍ଥିତ ପିପାରିଆ ଡ୍ୟାମ, ନିସଦା ଓ ସମୋଦା ବ୍ୟାରେଜ୍‌  ପରିଦର୍ଶନ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ଜଙ୍କ୍ ଓ ଉପର ମହାନଦୀ ମୁଖ୍ୟ ଉପଅବାବାହିକା, ବଲ୍ଲାର ଜଳଭଣ୍ଡାର, କାଶଦଲ ଓ ସୀଓରିନାରାୟଣ ବ୍ୟାରେଜ, ଅର୍ପା ଭଇଁଷାଝର, ହାସଦେଓ ବାଙ୍ଗୋ ଓ ଦାରୀ ବ୍ୟାରେଜ୍‌ ବୁଲି ଦେଖିବେ ବୋଲି ଜଣାପଡ଼ିଛି।