ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ମଧ୍ୟରେ ବହୁକାଳରୁ ଲାଗି ରହିଥିବା ଜଳ ବିବାଦ ମାମଲା ଗୁଡ଼ିକର ସମାଧାନ ପାଇଁ କେନ୍ଦ୍ର ସରକାର ଗମ୍ଭୀର ରୂପେ ବିଚାର କରୁଛନ୍ତି। ପ୍ରଥମେ ବିଜେପି ଶାସିତ ରାଜ୍ୟମାନଙ୍କ ମଧ୍ୟରେ ବିବାଦ ସମାଧାନର ବାଟ ଖୋଜାଯିବ। ଏହି କ୍ରମରେ ପ୍ରଥମ ପ୍ରୟୋଗ ବିଜେପି ଶାସିତ ରାଜ୍ୟ-ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଦେଶରେ ବର୍ତ୍ତମାନ ରାଜ୍ୟ ରାଜ୍ୟ ମଧ୍ୟରେ ଜଳ ବିବାଦର ସମାଧାନ ପାଇଁ ଗଠନ କରାଯାଇଥିବା ଚାରିଟି ଟ୍ରିବ୍ୟୁନାଲ ଯଥା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ, ରବି ଓ ବ୍ୟାସ ଟ୍ରିବ୍ୟୁନାଲ, କ୍ରିଷ୍ଣା ଜଳ ବିବାଦ-୨ ଟ୍ରିବ୍ୟୁନାଲ ଓ ମହାଦେୟୀ ଜଳ ବିବାଦ ଟ୍ରିବ୍ୟୁନାଲ ସକ୍ରିୟ ରହିଛି। ଏହା ବାଦ୍ କିଛି ରାଜ୍ୟ ଯଥା ପଞ୍ଜାବ ଓ ହରିୟାଣା ମଧ୍ୟରେ ସତଲେଜ୍ ଜଳ ବିବାଦ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ମଧ୍ୟରେ ଦାମୋଦର ନଦୀ ଜଳ ବଣ୍ଟନ, କେରଳ ଓ ତାମିଲନାଡ଼ୁ ମଧ୍ୟରେ ମୁଲ୍ଲାପେରିୟର ବନ୍ଧକୁ ନେଇ ବିବାଦ ଲାଗି ରହିଛି। ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି, ଟ୍ରିବ୍ୟୁନାଲରେ ଅଥବା wପସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧୀନ ଥିବା ସତ୍ତ୍ବେ ବିବାଦରେ ଜଡ଼ିତ ରାଜ୍ୟମାନଙ୍କ ସ୍ବାର୍ଥ କିଭଳି ପ୍ରଭାବିତ ହେବ ନାହିଁ ସେ ନେଇ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରୟାସ କରାଯିବ। ଜଳ ବିବାଦ ମାମଲାଗୁଡ଼ିକର ଯେଭଳି ରାଜନୀତୀକରଣ ନ ହୁଏ ତାହାର ମଧ୍ୟ ପ୍ରୟାସ କରାଯିବ। ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଏକ ଫର୍ମୁଲା ଉପରେ କାର୍ଯ୍ୟ ଆରମ୍ଭ କରିଛି। ଫର୍ମୁଲାର ରୂପରେଖ ସଂପର୍କରେ କୌଣସି ସୂଚନା ଉପଲବ୍ଧ ହୋଇ ପାରିନଥିବା ବେଳେ ଫର୍ମୁଲାର ପ୍ରଥମ ପରୀକ୍ଷଣ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନକୁ ନେଇ ହେବ ବୋଲି ଜଣାପଡ଼ିଛି।
ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଓ କେନ୍ଦ୍ରରେ ବିଜେପି ଶାସନ ରହିଥିବାରୁ ବିବାଦ ସମାଧାନର ସମ୍ଭାବନା ଅଧିକ ରହିଛି। ଏହି କ୍ରମରେ ନିକଟରେ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଆପୋସ ଆଲୋଚନା ଜରିଆରେ ମାମଲାର ସମାଧାନ ପାଇଁ ସହମତି ମଧ୍ୟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ୨୦୧୮ରେ ଟ୍ରିବ୍ୟୁନାଲ ଗଠନ କରିଥିଲେ। ସାତବର୍ଷରୁ ଊର୍ଦ୍ଧ୍ବ ସମୟ ବିତିଯିବା ସତ୍ତ୍ବେ ମାମଲା ଏବେବି ଟ୍ରିବ୍ୟୁନାଲରେ ପଡ଼ି ରହିଛି। ସୂଚନାଯୋଗ୍ୟ, ରାଜ୍ୟ ରାଜ୍ୟ ମଧ୍ୟରେ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଅନ୍ତଃରାଜ୍ୟ ଜଳ ବିବାଦ ଆଇନ ୧୯୫୭ରେ ବ୍ୟବସ୍ଥା ରହିଛି। ଯଦି କୌଣସି ରାଜ୍ୟ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଦାବି କରନ୍ତି ଏବଂ ଆପୋସ ବୁଝାମଣାରେ ମାମଲା ସାମାଧାନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ମତ ରହେ ତାହେଲେ କେନ୍ଦ୍ର ସରକାର ଏହି ଆଇନର ଧାରା ୩ ଅନ୍ତର୍ଗତ ଟ୍ରିବ୍ୟୁନାଲର ଗଠନ କରିଥାନ୍ତି। ତଦନୁସାରେ ଟ୍ରିବ୍ୟୁନାଲ ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଥାନ୍ତି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ରାଜ୍ୟ ରାଜ୍ୟ ଭିତରେ ଜଳ ବିବାଦର ସମାଧାନ ପାଇଁ ଗତ ୫୭ ବର୍ଷରେ ଦେଶରେ ୯ଟି ଟ୍ରିବ୍ୟୁନାଲ ଗଠନ ହୋଇଛି। ଏଥି ମଧ୍ୟରୁ ୫ଟି ଟ୍ରିବ୍ୟୁନାଲ ରାୟ ଶୁଣାଇଛନ୍ତି। କାବେରୀ ଟ୍ରିବ୍ୟୁନାଲକୁ ୧୭ ବର୍ଷ, ବଂଶଧାରା ଟ୍ରିବ୍ୟୁନାଲକୁ ୧୧ ବର୍ଷ, ଗୋଦାବରୀ ଟ୍ରିବ୍ୟୁନାଲକୁ ୧୦ ବର୍ଷ, ନର୍ମଦା ଟ୍ରିବ୍ୟୁନାଲକୁ ୧୦ ବର୍ଷ ଓ କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲକୁ ୭ ବର୍ଷ ସମୟ ଲାଗିଥିଲା।