ନୂଆଦିଲ୍ଲୀ: ଶନିବାର ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ଆଜି ଓଡ଼ିଶା ପକ୍ଷରୁ ବରିଷ୍ଠ ଆଡଭୋକେଟ୍‌ ମୁକୁଲ୍‌ ରୋହତଗୀ ଯୁକ୍ତି ଉପସ୍ଥାପନ କରି ଛତିଶଗଡ଼ ସରକାର ବେଆଇନ ଭାବେ ମହାନଦୀର ଉପରମୁଣ୍ଡରେ ୬ଟି ବ୍ୟାରେଜ ନିର୍ମାଣ କରୁଥିବାରୁ ଓଡ଼ିଶାରେ ମହାନଦୀରେ ଜଳପ୍ରବାହ କମିଛି ବୋଲି ଜଣାଇଥିଲେ।  ବିଶେଷ କରି ଅଣ ମୌସୁମୀ ସମୟରେ ଜଳପ୍ରବାହ କମିବା ସହ ଜଳ ସଙ୍କଟ ଦେଖା ଦେଇଛି। ଏଥିସହ ଏହି ସବୁ ବ୍ୟାଜେର ନିର୍ମାଣ ଉପରେ ରହିତାଦେଶ ଜାରି ଲାଗି ଓଡ଼ିଶା ଦାବି ଜଣାଇଥିଲା।

Advertisment

ଓଡ଼ିଶାର ଯୁକ୍ତିକୁ ଗ୍ରହଣ କରି ଟ୍ରିବ୍ୟୁନାଲ ଓଡ଼ିଶାକୁ ଗତ ୨୦ବର୍ଷରେ ମହାନଦୀରେ ଜଳ ପ୍ରବାହର ଏକ ସବିଶେଷ ରିପୋର୍ଟ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ରିପୋର୍ଟ ସହ ଏକ ସତ୍ୟାପାଠ ଦାଖଲ ଲାଗି ମଧ୍ୟ ଟ୍ରିବ୍ୟୁନାଲ କହିଛନ୍ତି।

publive-image

୨୦୧୯ ଜାନୁଆରି ୧୨ ତାରିଖ ସୁଦ୍ଧା ଓଡ଼ିଶା ପକ୍ଷରୁ ସାନି ସତ୍ୟପାଠ ଦାଖଲ ପରେ ପରବର୍ତ୍ତୀ ୨ ସପ୍ତାହ ମଧ୍ୟରେ ଏହାର ପ୍ରତି ଜବାବ ରଖିବାକୁ ଛତିଶଗଡ଼କୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ। ଛତିଶଗଡ଼ର ଜବାବ ଦାଖଲ ପରେ ୨୦୧୯ ଫେବ୍ରୁଆରି ୯ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ଅକ୍ଟୋବର ୯ ତାରିଖରେ ଛତିଶଗଡ଼ ଦ୍ଵାରା ମହାନଦୀର ଉପରମୁଣ୍ଡରେ ନିର୍ମାଣ କରାଯାଇଥିବା ୬ଟି ବ୍ୟାାରେଜ୍‌ର ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବା ପାଇଁ ଓଡ଼ିଶା ଦ୍ଵାରା ଅନ୍ତରୀଣ ଆବେଦନ କରାଯାଇଥିଲା। ମହାନଦୀ ଟ୍ରିବ୍ୟୁନାଲ୍‌ର ପ୍ରଥମ ଶୁଣାଣିରେ ଓଡ଼ିଶାର ଅନ୍ତରୀଣ ଆବେଦନକୁ ଗ୍ରହଣ କରି ଟ୍ରିବ୍ୟୁନାଲ୍‌ ଛତିଶଗଡ଼ ସମେତ ୪ ରାଜ୍ୟକୁ ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଚଳିତମାସ ୩ ତାରିଖରେ ଛତିଶଗଡ଼ ଓ ମହାରାଷ୍ଟ୍ର ଦ୍ଵାରା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ସତ୍ୟପାଠ ଦାଖଲ କରାଯାଇଥିଲା। ଉଭୟ ରାଜ୍ୟ ଦ୍ଵାରା ଓଡ଼ିଶା ଆବେଦନକୁ ଖାରଜ କରିବା ପାଇଁ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।