ଝାରସୁଗୁଡ଼ା: ଗତ ଦୁଇ ଦଶନ୍ଧି ହେବ ରାଜ୍ୟ ରାଜନୀତିରେ ପ୍ରମୁଖ ପ୍ରସଙ୍ଗର ସ୍ଥାନ ନେଇଛି ମହାନଦୀ। ମହାନଦୀ ସହିତ ହୋଇଥିବା ମହାଅନ୍ୟାୟ ବିରୋଧରେ କେବଳ ରାଜନୈତିକ ବୟାନବାଜି ଚାଲିଥିବାବେଳେ ନ୍ୟାୟ ଦେବାକୁ ବିଶେଷ ପ୍ରଚେଷ୍ଟା ହୋଇନି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ‘ଶୁଖାସୋଢ଼ା’ ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ ହୋଇଥିବା ବେଳେ ଏଠି ଖରାଦିନରେ ପାଣି ଧାର ଶୁଖିବାକୁ ବସିଲାଣି। ସ୍ଥିତି ଏମିତି ଯେ ଯେଉଁସ୍ଥାନରେ ବିଗତ ବର୍ଷମାନଙ୍କରେ ଛାତିଏ ପାଣି ରହୁଥିଲା, ଏବେ ସେଠି କେବଳ ବାଲି ହିଁ ବାଲି। ବର୍ତ୍ତମାନ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ବିଜେପିର ଶାସନ ଚାଲିଥିବାରୁ ସରକାର ଚାହିଲେ ମହାନଦୀକୁ ପାଣି ଆସିପାରନ୍ତା ବୋଲି ଲୋକେ ମତପ୍ରକାଶ କରିଛନ୍ତି।
୨୦୧୮ ମେ’ ୧୬ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୁଖାସୋଢ଼ାରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସ୍ଥାନରୁ ହିଁ ମହାନଦୀ ସୁରକ୍ଷା ଅଭିଯାନ ଘୋଷଣା କରିଥିଲେ। ଏହି ଅଭିଯାନ ଅନ୍ତର୍ଗତ ମହାନଦୀ ପ୍ରବାହିତ ହୋଇଥିବା ରାଜ୍ୟର ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀରେ ମହାନଦୀ ସୁରକ୍ଷା ପାଇଁ ସଭାସମିତି ହୋଇଥିଲା। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ବିବାଦ ଲାଗି ରହିବା ପରେ ୨୦୧୮ ମାର୍ଚ୍ଚ ୧୧ ତାରିଖରେ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା। ୨ ବର୍ଷ ତଳେ ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନ କରିବା ପରେ ମାମଲାର ଶୁଣାଣି ମଧ୍ୟ ଆରମ୍ଭ ହୋଇଛି। ଇତିମଧ୍ୟରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲର ଅବଧିକୁ ୨୦୨୬ ମସିହା ଏପ୍ରିଲ ୧୩ ତାରିଖ ଯାଏଁ ବୃଦ୍ଧି କରିଛନ୍ତି। ଛତିଶଗଡ଼ ସରକାର ଜଳସେଚନ ପ୍ରକଳ୍ପ ପାଇଁ ମହାନଦୀରେ ବିଭିନ୍ନ ବ୍ୟାରେଜ୍ ନିର୍ମାଣ ଶେଷ କରିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟ କମିବାରେ ଲାଗିଛି। ବିଶେଷ କରି ଅଣମୌସୁମୀ ଋତୁରେ ମହାନଦୀରେ ଜଳପ୍ରବାହ ହ୍ରାସ ପାଉଛି। ମହାନଦୀ ଅବବାହିକାରେ ଓଡ଼ିଶା ତୁଳନାରେ ଛତିଶଗଡ଼ର ଜଳଧାରଣା କ୍ଷମତା ୧୦ ପ୍ରତିଶତ ଅଧିକ ରହିଥିବାରୁ ଛତିଶଗଡ଼ ସରକାର ଗୋଟିଏ ପରେ ଗୋଟିଏ ବ୍ୟାରେଜ୍ ନିର୍ମାଣ କରିଚାଲିଛନ୍ତି। ସେପଟେ ରାଜ୍ୟ ସରକାର ମଧ୍ୟ ଘୋଷଣା ପରେ ଘୋଷଣା କରି ଚାଲିଥିବା ସତ୍ତ୍ବେ ବିଗତ ୭ ବର୍ଷରେ ହୀରାକୁଦ ତଳ ମୁଣ୍ଡରେ ଗୋଟିଏ ବି ବ୍ୟାରେଜ୍ ନିର୍ମାଣ କରି ପାରିନାହାନ୍ତି। ଫଳରେ ମହାନଦୀ ଉପରେ ନିର୍ଭରଶୀଳ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବିକା ଏବେ ବିପଦରେ ପଡ଼ିଛି।
ଛତିଶଗଡ଼ କଲ୍ମା ବ୍ୟାରେଜ୍ ନିର୍ମାଣ କରିବା ପୂର୍ବରୁ ଶୁଖାସୋଢ଼ାରେ ବର୍ଷସାରା ପ୍ରାୟ ୩୦ ଫୁଟ୍ ଗଭୀରର ଜଳସ୍ରୋତ ରହୁଥିଲା। କିନ୍ତୁ କଲ୍ମା ବ୍ୟାରେଜ୍ ନିର୍ମାଣ ପରେ ମହାନଦୀ ଜଳପ୍ରବାହରେ ରୋକ୍ ଲାଗିଯାଇଛି। କଲ୍ମା ଏହାର ୬୬ଟି ଗେଟ୍ ବନ୍ଦ କରିଦେବା ପରେ ଶୁଖାସୋଢ଼ା ସ୍ଥିତି ବଦଳିଯାଇଛି। ଗୋଟିଏ ପଟେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଆଉ ଗୋଟିଏ ପଟେ ଲୋକେ ପାଣି ପାଇଁ ଛଟପଟ ହେଉଛନ୍ତି। ମହାନଦୀ ଉପରେ ସିଧାସଳଖ ନିର୍ଭର କରୁଥିବା ଲୋକେ ପିଇବା ପାଣି ପାଇପାରୁ ନଥିବା ବେଳେ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଦୁଃଖ କହିଲେ ନସରେ। ସ୍ଥାନୀୟ ଚାଷୀ ବିଦ୍ୟାଧର ପ୍ରଧାନଙ୍କ କହିବାନୁସାରେ, କଲ୍ମା ବ୍ୟାରେଜ୍ରୁ ପାଣି ନ ଛାଡ଼ିଲେ ଆସନ୍ତା ୧୫ ଦିନ ମଧ୍ୟରେ ଶୁଖାସୋଢ଼ାରେ ମହାନଦୀ ସମ୍ପୂର୍ଣ୍ଣ ଶୁଖିଯିବ। ଛତିଶଗଡ଼ ପାଣି ଛାଡ଼ିଲେ ମତ୍ସ୍ୟଜୀବୀ ଓ ଚାଷୀ ରାହା ପାଇପାରନ୍ତେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କେବଳ ମହାନଦୀ ନୁହେଁ, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ କେଲୋ ନଦୀ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା। ୨ ବର୍ଷ ତଳେ ଛତିଶଗଡ଼ ସରକାର କେଲୋ ନଦୀର ନେତନାଗରଠାରେ ମଧ୍ୟ ୨ଟି ଡ୍ୟାମ୍ ତିଆରି କରିସାରିଲେଣି। ଫଳରେ କେଲୋ ନଦୀ ଏବେ ଶୁଖିଲା ପଡ଼ିଛି।