ଆମେ କିଛି ଲୁଚାଇନୁ, ତଥ୍ୟ ଦେଇଛୁ

ମହାନଦୀ ବିବାଦ ଓଡ଼ିଶାର ସାନି ସତ୍ୟପାଠ

ମଧ୍ୟବର୍ତ୍ତିକାଳୀନ ରାୟ ପାଇଁ ବି ପ୍ରାର୍ଥନା

ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲ ଗଠନକୁ ଫାଙ୍କିବାକୁ ଯାଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତାହାର ପ୍ରତିଜବାବ ଦେଇଛି ଓ଼ଡ଼ିଶା। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇ ଦୁଇଟି ପଦକ୍ଷେପ ନିଆଯାଇଛି। ୬୦ପୃଷ୍ଠାର ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାରଙ୍କ ସତ୍ୟପାଠରେ ଥିବା ଅସତ୍ୟ ତଥ୍ୟକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର। ଦ୍ୱିତୀୟତଃ ଏହି ମାମଲାରେ ତୁରନ୍ତ ମଧ୍ୟବର୍ତ୍ତୀକାଳୀନ ରାୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଦରଖାସ୍ତ ଦାଖଲ କରାଯାଇଛି। ନିର୍ଦିଷ୍ଟ ସମୟ ମଧ୍ୟରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ନ କରି ଟାଳଟୁଳ ନୀତି କରୁଥିବା ପରିିପ୍ରେକ୍ଷୀରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ଏ ସଂକ୍ରାନ୍ତରେ ରାୟ ଦେବାକୁ ନିବେଦନ କରାଯାଇଥିବା ଖବର ମିଳିଛି।

ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପ୍ରସ୍ତାବକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଜଣାଇଛନ୍ତି ଯେ ଏଭଳି ବୋର୍ଡ ଗଠନ କେବଳ ସମୟ ଅପଚୟ କରିବ, ଆଉ କିଛି ନୁହେଁ। କାରଣ, ଯେହେତୁ ଏହାର ବୈଧାନିକ କ୍ଷମତା ନାହିଁ,ଏଣୁ ଏଥିରେ ନିଷ୍ପତ୍ତିକୁ ମାନିବାକୁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ। ଏପରିସ୍ଥଳେ ଯଦି ଓଡ଼ିଶା ସପକ୍ଷରେ ନ୍ୟାୟ ହୁଏ, ତେବେ ଛତିଶଗଡ଼ ମାନିବ ବୋଲି ଗ୍ୟାରେଣ୍ଟି କଣ? ଖାସ୍‌ ଏଇଥିପାଇଁ ହିଁ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି।

ରାଜ୍ୟ ସରକାର ତଥ୍ୟ ଦେଇନାହାନ୍ତି ବୋଲି ଯାହା କୁହାଯାଇଛି ତାହା ଠିକ୍‌ ନୁହେଁ। କେନ୍ଦ୍ର ସରକାରଙ୍କ ନିକଟରେ ଟ୍ରିବ୍ୟୁନାଲ ପାଇଁ ପ୍ରାର୍ଥନା କରିବା ବେଳେ ୭୦୦ ପୃଷ୍ଠାର ତଥ୍ୟ ଦିଆଯାଇଛି। କେବଳ କେନ୍ଦ୍ରକୁ ନୁହେଁ, କେନ୍ଦ୍ରୀୟ ଜଳ ଆୟୋଗ ନିକଟରେ ସରକାର ତଥ୍ୟ ରଖିଛନ୍ତି, ଛତିଶଗଡ଼ ସରକାରଙ୍କୁ ଦିଆଯାଇଛି ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହାଇଡ୍ରୋଲୋଜି, ରୁର୍‌କିକୁ ବି ତଥ୍ୟ ଦିଆଯାଇଛି। ଅନ୍ୟଥା ସେମାନେ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କଲେ କେମିତି?

ରାଜ୍ୟ ସରକାର ଆହୁରି କହିଛନ୍ତି, ବୁଝାମଣା କମିଟିକୁ ରାଜ୍ୟ ସରକାର ଆରମ୍ଭରୁ ପ୍ରତ୍ୟାଖ୍ୟାନ କରିଛନ୍ତି। କାହିଁକି ପ୍ରତ୍ୟାଖ୍ୟାନ କରାଯାଇଛି, ସେ ନେଇ ଖୋଦ୍‌ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ଓ ଜଳସଂପଦ ବିଭାଗ ବି ଜଣାଇଛି। ଅତ୍ୟନ୍ତ ସମ୍ବେଦନଶୀଳ ଏହି ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କୁ ଉପେକ୍ଷା କରି ଯେଉଁ କମିଟି ଗଠନ କରାଗଲା, ସେ ସଂପର୍କରେ ବିଶଦ ତଥ୍ୟ ଅବତାରଣା କରାଯାଇଛି।

ସତ୍ୟପାଠରେ ସରକାରଙ୍କ ପକ୍ଷରୁ କେନ୍ଦ୍ର ଉପରେ ପାଲଟା ଅଭିଯୋଗ ଲଦାଯାଇଛି। ରାଜ୍ୟ ସରକାର ଦର୍ଶାଇଛନ୍ତି, ନିୟମତଃ ରାଜ୍ୟ ସରକାର ଆବେଦନ କରିବାର ବର୍ଷେ ଭିତରେ ଟ୍ରିବ୍ୟୁନାଲ ଗଠନ କରିବାକୁ ସରକାର ବାଧ୍ୟ। ଅକ୍ଟୋବର ୯ ତାରିଖରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ନଭେମ୍ବର ୧୯ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ କଥା କହିଛନ୍ତି। କେବଳ ସେତିକି ନୁହେଁ, ସଂସଦରେ ମଧ୍ୟ ତତ୍କାଳୀନ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଟ୍ରିବ୍ୟୁନାଲ ଗଠନ ନେଇ କହିଛନ୍ତି। ତା ପରେ ବି କାହିଁକି କେନ୍ଦ୍ର ପଛଘୁଞ୍ଚା ଦେଇଛି, ତା ଉପରେ ପ୍ରଶ୍ନ ଉଠାଇଛି ଓଡ଼ିଶା।

କେନ୍ଦ୍ର ସରକାର ସତ୍ୟପାଠରେ ଓଡ଼ିଶା ସଂପର୍କରେ ରଖିଥିବା ପ୍ରତିଟି ଅଭିଯୋଗ ଓ ଆକ୍ଷେପର ଉତ୍ତର ରଖାଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୧୧ ତାରିଖରେ ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବିଚାରପତି ଏସ୍‌ ଏ ବବ୍‌ଡେ, ବିଚାରପତି ଏଲ୍‌ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯିବ। ଅକ୍ଟୋବର ୯ ତାରିଖରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ନଭେମ୍ବର ୧୯ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରାଯିବ। ମାତ୍ର ପରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ଅନାବଶ୍ୟକ ବୋଲି ସୂଚାଇଛନ୍ତି।

ସମ୍ବନ୍ଧିତ ଖବର