ଭୁବନେଶ୍ବର: ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ। ଟ୍ରିବ୍ୟୁନାଲ ନୁହେଁ, ମଧ୍ୟସ୍ଥତା ମାଧ୍ୟମରେ ଏହାର ସମାଧାନ ହେବା ଆବଶ୍ୟକ ବୋଲି ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋପାଳ ଗୌଡ଼ କହିଛନ୍ତି।  ଜଷ୍ଟିସ୍‌ ଗୌଡ଼ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୮ ମସିହାରେ ମହାନଦୀ ଟ୍ରିବ୍ୟୁନାଲ ଗଠିତ ହୋଇଥିଲା। ମାତ୍ର ବିବାଦର ସମାଧାନ ଦିଗରେ ଏ ପର୍ଯ୍ୟନ୍ତ କିଛି ପ୍ରଗତି ହୋଇନାହିଁ। କାବେରୀ ସହ ଅନ୍ୟାନ୍ୟ ନଦୀ ବିବାଦ ଭଳି ଜଳ ବିବାଦର ବିଚାର ବର୍ଷ ବର୍ଷ ଧରି ଚାଲିପାରେ। ମଧ୍ୟସ୍ଥତା ମାର୍ଗରେ ଗଲେ ଦ୍ରୁତ ସମାଧାନ ହୋଇପାରିବ। ଉଭୟ ପକ୍ଷଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ବର୍ତ୍ତମାନ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର ରହିଛି। ତେଣୁ ମଧ୍ୟସ୍ଥତା ମାଧ୍ୟମରେ ସମାଧାନର ସମ୍ଭାବନା ଅଧିକ। 

Advertisment

ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଦିଲ୍ଲୀରେ ମହାନଦୀ ସଂସଦ

ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ମହାନଦୀ ଜଳ ବିବାଦର ସମାଧାନ ପାଇଁ ନୂଆଦିଲ୍ଲୀରେ ‘ମହାନଦୀ ସଂସଦ’ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ତଥା ସଂସଦର ପିଟିସନ୍ କମିଟିର ଅଧ୍ୟକ୍ଷ ଏନ୍‌. ଡି ଗୁପ୍ତା ଯୋଗଦେଇ କହିଲେ, ମହାନଦୀ ପ୍ରସଙ୍ଗକୁ ଏକ ଛୋଟ ଜଳ ବିବାଦ ଭାବେ ବିଚାର କରାଯିବା ଅନୁଚିତ। ଏହାର ସମାଧାନ ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। ଜଳ ପୁରୁଷ ରାଜେନ୍ଦ୍ର ସିଂହ କହିଲେ, ମହାନଦୀ ଆମ ମା’ ସଦୃଶ। ମା’କୁ ପଣ୍ୟ ବସ୍ତୁ ଭଳି ବିକ୍ରି କରିବାର ମାନସିକତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ମହାନଦୀକୁ ୩୦-୩୫ଟି କର୍ପୋରେଟ ପରିବାର ନିଜ ଲାଭ ପାଇଁ ବ୍ୟବହାର କରି ୫କୋଟି ଲୋକଙ୍କୁ ମରଣ ମୁହଁକୁ ଠେଲୁଛନ୍ତି। ସରକାର କର୍ପୋରେଟ ପ୍ରୀତି ଛାଡ଼ି ଲୋକଙ୍କ ଲାଭ ପାଇଁ କାର୍ଯ୍ୟ କରିବା ଉଚିତ। ବିଧାୟକ ଅରୁଣ ସାହୁ କହିଲେ, ମହାନଦୀର ସୁରକ୍ଷା ପାଇଁ ଆନ୍ଦୋଳନକୁ ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ନିଆଯିବ। ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଲେ, ସଂସଦ ଏହି ବିବାଦର ଶୀଘ୍ର ସମାଧାନ ପାଇଁ ବହୁମୁଖୀ ରଣନୀତି ଗ୍ରହଣ କରିବାକୁ ସଂକଳ୍ପ ନେଇଛି।

ଯାହାଦ୍ୱାରା ଓଡ଼ିଶାର ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ। ବିଶିଷ୍ଟ ଆଇନଜୀବୀ ବିଭୂପ୍ରସାଦ ତ୍ରିପାଠୀ କହିଲେ, ମହାନଦୀ ଜଳ ବିବାଦର ସମାଧାନ କ୍ଷେତ୍ରରେ ଆପୋଷ ଆଲୋଚନା କେବଳ ସରକାରୀ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ସୀମିତ ନ ରହୁ। ସବୁ ଅଂଶୀଦାରଙ୍କୁ ଏଥିରେ ସାମିଲ କରିବା ଉଚିତ। ଆଜିର କାର୍ଯ୍ୟକ୍ରମରେ ମହାନଦୀର ଉତ୍ପତ୍ତି ସ୍ଥାନରୁ ବଙ୍ଗୋପସାଗରରେ ଏହାର ମିଶ୍ରଣ ପର୍ଯ୍ୟନ୍ତ ‘ମହାନଦୀ ଯାତ୍ରା’ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ନଦୀ ଅଧିକାର କର୍ମୀମାନେ ବୈଠକରେ ଯୋଗଦେଇ ସେମାନଙ୍କର ସମର୍ଥନ ଜଣାଇଥିଲେ। କ୍ରିଷ୍ଣା ନଦୀ ତରଫରୁ ସତ୍ୟ ବୁଲସେଟ୍ଟୀ, ଗୋଦାବରୀ ତରଫରୁ ପ୍ରକାଶ ରାଓ, ଯମୁନା ନଦୀ ତରଫରୁ ରମେଶ ଶର୍ମା, ବିଶିଷ୍ଟ ସାମ୍ୱାଦିକ ରାଜେଶ ମହାପାତ୍ରଙ୍କ ସମେତ ଅନେକ ଜାତୀୟ ସ୍ତରର ନଦୀ ଅଧିକାର କର୍ମୀ ଯୋଗ ଦେଇଥିଲେ। ମହାନଦୀ ବଞ୍ଚାଓ ଆନ୍ଦୋଳନର ଲଳିତ ପଟନାୟକ, ମନୋଜ ଜେନା, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ବିଜୟ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ଅନାଦି ସାହୁ, ଟଙ୍କଧର ଦାସ ଓ ଶରତ ରାଉତ ପ୍ରମୁଖ ଯୋଗ ଦେଇଛନ୍ତି।