ଭୁବନେଶ୍ବର : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ସଦସ୍ୟ ଛତିଶଗଡ଼ ପରିଦର୍ଶନରେ ଆସିବା ପରେ ମହାନଦୀକୁ ନେଇ ରାଜନୀତି ତେଜିବାରେ ଲାଗିଛି।
ବୁଧବାର ଦିନ ଏ ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି ଯେ ମହାନଦୀକୁ ନେଇ ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ମୁଁ ଦେଢ଼ ବର୍ଷ ହେଲା ମନ୍ତ୍ରୀ ହେଲିଣି, ହେଲେ ଏହି ବିବାଦ ନେଇ ଆଜି ପର୍ଯ୍ୟନ୍ତ ମୋ ସହ କେହି ଆଲୋଚନା କରିନାହାନ୍ତି। ମହାନଦୀ ଉପରେ ରାଜ୍ୟ ସରକାର କାହିଁକି ବ୍ୟାରେଜ୍ କରୁନାହାନ୍ତି। ଆଗକୁ ନିର୍ବାଚନ ଥିବାରୁ ମହାନଦୀକୁ ନେଇ ନାଟକ କରାଯାଉଛି।
ସେହିପରି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଛନ୍ତି, ଟ୍ରିବ୍ୟୁନାଲ ଯେତେ ସମୟ ନେଲେଣି ଲାଗୁନି ଓଡ଼ିଶାବାସୀଙ୍କୁ ଟ୍ରିବ୍ୟୁନାଲରୁ ନ୍ୟାୟ ମିଳିବ। ମହାନଦୀରେ ପାଣି ନଥିବାରୁ ଓଡ଼ିଶାବାସୀ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି। ନଦୀନାଳରେ ପାଣି ନାହିଁ, ସବୁଆଡ଼େ ହାହାକାର ସ୍ଥିତି। ରାଜ୍ୟ ସରକାର ଡ୍ୟାମ୍, ବ୍ୟାରେଜ୍ କରିବାରେ ବିଫଳ ହୋଇଛନ୍ତି। ମନ୍ଦିର ନିର୍ମାଣ ପାଇଁ ସରକାର ଶହଶହ କୋଟି ଖର୍ଚ୍ଚ କରୁଛନ୍ତି, କିନ୍ତୁ ବ୍ୟାରେଜ୍ କି ଡ୍ୟାମ୍ କଲେ ନାହିଁ। ଗୋଟେପଟେ ଛତିଶଗଡ଼ର ବେଆଇନ କାମ, ଅନ୍ୟପଟେ ରାଜ୍ୟ ସରକାର ନିରବ ରହିବାର ଫଳ ଓଡ଼ିଶାବାସୀ ଭୋଗୁଛନ୍ତି।
ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବୟାନ ଉପରେ ମନ୍ତବ୍ୟ ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ସେ ବୋଧେ ଭୁଲିଯାଉଛନ୍ତି ମହାନଦୀ ଏକ ଅନ୍ତଃରାଜ୍ୟ ନଦୀ। ଏହା କେବଳ ଛତିଶଗଡ଼ର ନୁହେଁ। ଅନ୍ତଃରାଜ୍ୟ ନଦୀ ନେଇ ଆଇନ ଅଛି। ମହାନଦୀ ଉପରେ କୌଣସି ରାଜ୍ୟ ଏକଚାଟିଆ ବ୍ୟବହାର କରିପାରିବେନି। ଆମେ ଯାହା କରିବୁ ତାଙ୍କ ଅନୁମତି ଆଣିବୁ, ସେମାନେ ଯାହା କରିବେ ଆମ ଅନୁମତି ନେବେ। ଛତିଶଗଡ଼ ସରକାରଙ୍କ ବେଆଇନ କାମକୁ ଟ୍ରିବ୍ୟୁନାଲ ଅନୁଧ୍ୟାନ କରିବେ ବୋଲି ଆଶା କରୁଛୁ।