ମହାନଦୀ ସମେତ ଶାଖା ନଦୀ ଜଳ ପ୍ରଦୂଷିତ

କଟକ ଓ ସମ୍ବଲପୁର ପୌରସଂସ୍ଥା ବିରୋଧରେ ହୋଇଛି ଫୌଜଦାରୀ ମାମଲା

ଭୁବନେଶ୍ୱର : ମହାନଦୀ ଏବଂ ତାହାର ଉପନଦୀ ଓ ଶାଖା ନଦୀଗୁଡ଼ିକର ଜଳ ବହୁ ସ୍ଥାନରେ ଅତିମାତ୍ରାରେ ପ୍ରଦୂଷିତ। ଅନେକ ସ୍ଥାନରେ ନଦୀ ଜଳର ମାତ୍ରା ତୃତୀୟ ବର୍ଗର ମଧ୍ୟ ରହୁନଥିବାରୁ ଏହାକୁ ବିଶୋଧନ କରି ପାନୀୟ ଜଳ ଭାବେ ବ୍ୟବହାର କରାଯାଇପାରିବନି। କିନ୍ତୁ ଲୋକଙ୍କୁ ଏହି ପାଣି ବିଶୋଧନ କରି ଦିଆଯାଉଛି। ଅପରପକ୍ଷେ ନଦୀ ଜଳ ପ୍ରଦୂଷିତ କରୁଥିବା ଅଭିଯୋଗରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଟକ ଓ ସମ୍ବଲପୁର ପୌର ସଂସ୍ଥା ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିଛି। ବିଧାୟକ ଦିଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଦେଇଥିବା ବିସ୍ତତ ତଥ୍ୟରୁ ଏହା ଜଣାପଡ଼ିଛି।

ବିଧାନସଭାରେ ମନ୍ତ୍ରୀ କହିଛନ୍ତି ଯେ, ମହାନଦୀର ଉପନଦୀ ଭେଡେନ୍‌ରେ ଫ୍ଲୋରାଇଡ୍‌ ପରିମାଣ ଉଦ୍ଦିଷ୍ଟ ମାନ ଠାରୁ ଅଧିକ ରହୁଥିବାବେଳେ ମହାନଦୀ ଏବଂ ଏହାର ଉପନଦୀ ଓ ଶାଖା ନଦୀରେ ମୁଖ୍ୟତଃ ସମ୍ବଲପୁର, କଟକ, ଭୁବନେଶ୍ୱର ଓ ପାରାଦୀପ ସହରାଞ୍ଚଳରୁ ନିର୍ଗତ ନର୍ଦ୍ଦମା ଜଳ ଓ ବର୍ଜ୍ୟବସ୍ତୁ ମିଶୁଛି। ସେହିପରି ମହାନଦୀ ଏବଂ ଏହାର ଉପ ଓ ଶାଖା ନଦୀଗୁଡ଼ିକରେ ଇଫ୍‌କୋ, ପାରାଦୀପ ଫସଫେଟ୍‌ସ, ଜଗତପୁରର କସ୍‌ ବୋର୍ଡ, ମନୋହରପାଲୀର ଇବ୍‌ ଥର୍ମାଲ, ବେଦାନ୍ତ, ଭୂଷଣ, ହିନ୍ଦାଲକୋ, ପାରାଦୀପ ବନ୍ଦର ଆଦିର ବର୍ଜ୍ୟ ଜଳ ମିଶୁଛି। ମହାନଦୀ କୋଲ୍‌ ଫିଲ୍‌ଡସର କେତେକ କୋଇଲା ଖଣିର ବର୍ଜ୍ୟ ଜଳ ମଧ୍ୟ ଏହି ନଦୀରେ ମିଶୁଛି। ଇବ୍‌ ଓ ଭେଡେନ୍‌ ନଦୀର ଜଳ ଝାରସୁଗୁଡ଼ାରେ, ମହାନଦୀର ଜଳ ସମ୍ବଲପୁର ଓ କଟକରେ ବେଶୀ ପ୍ରଦୂଷିତ ଥିବାବେଳେ କାଠଯୋଡ଼ି ଜଳ କଟକ, ମତଗଜପୁର, କମାଶାସନ ଠାରେ ବି ଅତିମାତ୍ରାରେ ପ୍ରଦୂଷିତ। କୁଆଖାଇ ଜଳ ହଂସପାଳ ଠାରେ ପଦୂଷିତ ଥିବାବେଳେ ଦୟା ନଦୀ ଜଳ ଭୁବନେଶ୍ୱରରୁ କଣାସ ପର୍ଯ୍ୟନ୍ତ ସବୁଠି ପ୍ରଦୂଷିତ। କୁଶଭଦ୍ରାର ଜଳ ଭିଙ୍ଗାରପୁର, ନିମାପଡ଼ା ଓ ଗୋପ ଠାରେ ପ୍ରଦୂଷିତ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି। ଏହାବାଦ୍‌ ବହୁ ନଦୀର ଜଳ ବିଭିନ୍ନ ସ୍ଥାନରେ ପ୍ରଦୂଷିତ। ନଦୀ ଜଳ ପ୍ରଦୂଷଣ କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକୁ ବର୍ଜ୍ୟ ଜଳର ବିଶୋଧିକରଣ ସହ ପୂର୍ଣ୍ଣ ବ୍ୟବହାର ଲାଗି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହୁଥିଲେ ହେଁ ଏହା କାର୍ଯ୍ୟକାରୀ ହେଉନି। ବୋର୍ଡ ନିର୍ଦ୍ଦେଶ ପାଳନ କରୁନଥିବାରୁ କଟକ ପୌରସଂସ୍ଥା ବିରୋଧରେ ୨୦୧୪ରେ ଏବଂ ସମ୍ବଲପୁର ପୌରସଂସ୍ଥା ବିରୋଧରେ ୨୦୧୦ରେ ଦୁଇଟି ଫୌଜଦାରୀ ମାମଲା ରୁଜୁ ହୋଇଥିବା ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର