ବାଲେଶ୍ବର: ଦିନକୁଦିନ ସହର ଯେପରି ବଢ଼ୁଛି, ସହରବାସୀଙ୍କ ପାଇଁ ସୁବିଧା ବଢ଼ିବା ବଦଳରେ ସମସ୍ୟା ବଢ଼ିବାରେ ଲାଗିଛି। ବାଲେଶ୍ବର ସହରରେ ଜଳ ନିଷ୍କାସନ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ପୌର ପରିଷଦ ଏବଂ ଜଳ ନିଷ୍କାସନ ବିଭାଗ ମିଳିତ ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡ୍ରେନ୍ କାମ କରିଲେ। ତଥାପି ସମସ୍ୟା ଦୂର ହୋଇପାରିଲା ନାହିଁ। ଅସରାଏ ବର୍ଷା ହେଲେ ଡ୍ରେନ୍ରେ ପାଣି ନିଷ୍କାସନ ହୋଇପାରୁ ନଥିବା ବେଳେ ରାସ୍ତାଘାଟ ଓ ଲୋକଙ୍କ ଘରେ ବର୍ଷାଜଳ ଢେଉ ଖେଳୁଥିବା ଅଭିଯୋଗ ହୋଇଛି।
ଏବେ ଅସରାଏ ବଡ଼ବର୍ଷା ହେଲେ ସହରର ଛାତି ଉପରେ ଥିବା ଅଙ୍ଗାରଗଡ଼ିଆ, ନୀଳିଆବାଗ, ବ୍ୟାଙ୍କକଲୋନି, କଂଗ୍ରେସଗଳି, ରାଜାବଗିଚା, ସୁଏଲପୁର, ଆଜିମାବାଦ, ଶୋଭାରାମପୁର, ଗୁଡ଼ିପଦା, ଏଫ୍ଏମ୍ନଗର ଭଳି ଅଞ୍ଚଳ ଜଳବନ୍ଦୀ ହୋଇଯାଉଛି। ଏ ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ହୋଇପାରିନାହିଁ ବୋଲି ଏମିତି ସମସ୍ୟା ଉପୁଜିଛି ତା’ ନୁହେଁ ବରଂ ଯୋଜନାବିହୀନ ଭାେବ ଡ୍ରେନ୍ ନିର୍ମାଣ ଏବଂ ଜବରଦଖଲକାରୀଙ୍କ କବ୍ଜାରେ ରହିଥିବା ସ୍ଥାନଗୁଡ଼ିକୁ ଉଚ୍ଛେଦ କରାଯାଇନଥିବା କାରଣରୁ ଏପରି ସମସ୍ୟାର ସମାଧାନ ହୋଇପାରୁନଥିବା ଦେଖାଯାଇଛି। ଓଟିରୋଡ଼, ବିଇଡି କଲେଜ, ସୁଏଲପୁର, କଂଗ୍ରେସଗଳି, ଆର୍ତ୍ତକବିରାଜ ରୋଡ଼ ନିକଟରେ ମୁଖ୍ୟନାଳ ଉପରେ ଅନେକ ମୁଷ୍ଟିମେୟ ଲୋକଙ୍କ ଘର, ଆପାର୍ଟମେଣ୍ଟ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଧର୍ମାନୁଷ୍ଠାନ ରହିଥିବା ଯୋଗୁଁ ଜଳ ନିଷ୍କାସନ ଠିକ୍ ଭାବରେ ହୋଇପାରୁନାହିଁ।
ଏହି ସବୁ ଅଞ୍ଚଳରେ ମୁଖ୍ୟନାଳ ଆରମ୍ଭରୁ ଯେତିକି ଓସାରର ନିର୍ମାଣ ହୋଇଛି ଜବରଦଖଲ ହୋଇଥିବା ସ୍ଥାନରେ ସେତିକି ଓସାରର କରାଯାଇନାହିଁ। ସେଠାରେ ନାଳ ସଙ୍କୁଚିତ ଅବସ୍ଥାରେ ରହିଥିବାରୁ ଜଳ ନିଷ୍କାସନ ହୋଇନପାରି ବର୍ଷା ସମୟରେ ରାସ୍ତାଘାଟ ବୁଡ଼ିବା ସହିତ ଲୋକଙ୍କ ଘରେ ପାଣି ପଶି ଅବସ୍ଥା ସାଂଘାତିକ ହୋଇଯାଉଛି। ଏଥିସହ କିଛିମାସ ପୂର୍ବରୁ ଯେଉଁଠି ଜବରଦଖଲ ହଟାଯାଇ ଡ୍ରେନ୍ ନିର୍ମାଣ କରାଯାଇଥିଲା, ଏବେ ସେହି ସ୍ଥାନ ପୁଣିଥରେ ଜବରଦଖଲ ହୋଇସାରିଲାଣି।
ଏଭଳି ଦୟନୀୟ ସ୍ଥିତି ସମ୍ପର୍କରେ ପୌର ପରିଷଦ ଓ ଜଳ ନିଷ୍କାସନ ବିଭାଗର ଯନ୍ତ୍ରୀ ଓ ଅଧିକାରୀମାନେ ଜାଣିଥିଲେ ବି କେହି ଏହାର ପ୍ରତିକାର କରୁନାହାନ୍ତି। ବରଂ ଡ୍ରେନ୍କୁ ଜବରଦଖଲ କରିଥିବା ଲୋକଙ୍କୁ ସୁହାଇବା ଭଳି କାର୍ଯ୍ୟ କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି। କାଉନସିଲର ସତ୍ୟଶିବସୁନ୍ଦର ଦାସ, ପଦ୍ମଲୋଚନ ଲେଙ୍କା, ଚିତ୍ତରଂଜନ ପଣ୍ଡା, ଆଇନଜୀବୀ ମନୋଜ ନାୟକ, ସୂର୍ଯ୍ୟକାନ୍ତ କର, ଜିେତନ୍ଦ୍ର ଉପାଧ୍ୟାୟ, ପୂର୍ବତନ କାଉନସିଲର ଉପେନ୍ଦ୍ର ଶତପଥୀ ପ୍ରମୁଖ ଉଦ୍ବେଗ ପ୍ରକାଶ କରି ପୌର ପରିଷଦ କର୍ତ୍ତୃପକ୍ଷ ଏବଂ ଜଳ ନିଷ୍କାସନ ବିଭାଗ ଅଧିକାରୀଙ୍କ ଅପାରଗତା ପାଇଁ ସହରବାସୀ ଜଳବନ୍ଦୀ ସମସ୍ୟା ଭୋଗୁଛନ୍ତି। କିଛି ଲୋକଙ୍କ ବେଆଇନ ନିର୍ମାଣକୁ ଅନୁକମ୍ପା ଦେଖାଇବାକୁ ଯାଇ ହଜାର ହଜାର ଲୋକଙ୍କୁ ଜଳବନ୍ଦୀ କରାଯାଉଛି।
ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ହେଉଥିଲେ ବି ସମସ୍ୟାର ସମାଧାନ ପ୍ରତି କାହାରି ନିଘା ନାହିଁ। ଆଗକୁ ଏହି ସମସ୍ୟା ଆହୁରି ସଙ୍ଗିନ ହେବ। ତେଣୁ କର୍ତ୍ତୃପକ୍ଷ ଏବେଠାରୁ ସତର୍କ ହେବା ଜରୁରୀ ବୋଲି ସହରର ବୁଦ୍ଧିଜୀବୀ ମହଲ ପ୍ରତିକ୍ରିୟା ଦେଇଛନ୍ତି। ଏନେଇ ପୌରାଧ୍ୟକ୍ଷା ସବିତା ସାହୁଙ୍କୁ ପଚାରିବାରୁ ସହରରେ ଆଗଭଳି ଜଳ ନିଷ୍କାସନରେ ବିଶେଷ ସମସ୍ୟା ନାହିଁ। କିଛି ସ୍ଥାନରେ ଜବରଦଖଲ ସମସ୍ୟା ଯୋଗୁଁ ଡ୍ରେନ୍ ସଙ୍କୁଚିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଆସୁଛି। କାଉନ୍ସିଲ୍ ବୈଠକରେ ସେଗୁଡ଼ିକୁ ଆଲୋଚନା କରାଯାଇ ତୁରନ୍ତ ସମାଧାନର ବାଟ ଫିଟାଯିବ ବୋଲି ସେ କହିଛନ୍ତି।