ମହାନଦୀକୁ ବସ୍‌ ଖସି ୧୦ ମୃତ, ମଇଁଷିକୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସିପଡ଼ିଲା ‘ଜଗନ୍ନାଥ’

କଟକ-ମହାନଦୀବିହାର: ୨୦ ବର୍ଷ ପରେ ମହାନଦୀର ବାଲୁକା ଶଯ୍ୟା ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣାର ମୂକସାକ୍ଷୀ ପାଲଟିଛି। ମଇଁଷିକୁ ଧକ୍କା ଦେଇ ଏକ ଯାତ୍ରୀବାହୀ ଖସି ପଡ଼ିବା ଫଳରେ ୧୦ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ୩୭ ଜଣ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ରାଜ୍ୟପାଳ ପ୍ର‌େଫସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋ‌ଷଣା କରିଛନ୍ତି।

ଆଜି ସଂଧ୍ୟା ପାଖାପାଖି ସାଢେ ଛଅଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ ତାଳଚେର ବଲଣ୍ଡାରୁ ଭୁବନେଶ୍ବର ଆସୁଥିବା ‘ଜଗନ୍ନାଥ’ ନାମକ ଏକ ଯାତ୍ରାବାହୀ ବସ୍‌ (ଓଡି ୩୫ଏ ୦୨୧୧) ମହାନଦୀ ପୋଲ ଅତିକ୍ରମ କରୁଥିଲା। ଠିକ୍‌ ପୋଲ ମଝିରେ ଏକ ମଇଁଷିକୁ ଧକ୍କା ଦେଇ ବସ୍‌ଟି ପୋଲର ବାଡା ଭାଙ୍ଗି ପ୍ରାୟ ୩୦ ଫୁଟ ତଳକୁ ଖସି ପଡିଥିଲା। ବସ୍‌ରେ ଥିବା ୪୭ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ୩୭ ଜଣ ଗୁରୁତର ଆହତ ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବାଲି ଉପରେ ବସ୍‌ଟି ପଡି ଥିବାବେଳେ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅନେକ ବସ୍‌ରୁ ଛିଟ୍‌କି ବାଲିରେ ପଡିଥିଲେ। ଅନେକ ଯାତ୍ରୀ ବସ୍‌ ଭିତରେ ଚାପି ହୋଇ ରହିଥିଲେ। ମହାନଦୀ ମଝିରେ ବସ ପଡିଥିବା ବେଳେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା। ଶିଖରପୁର ପଟୁ ୪ଟି ବୋଟ୍‌ରେ ଉଦ୍ଧାରକାରୀ ଦଳ ମହାନଦୀ ଭିତରକୁ ଯିବା ସହ କିଛି ବାଟ ବାଲିରେ ଚାଲି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଏହି ପ୍ରକ୍ରିୟାରେ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିବା ବେଳେ ପୋଲ ଉପରେ ପ୍ରବଳ ଭିଡ ଯୋଗୁଁ ରାସ୍ତା ଜାମ ହୋଇଯାଇଥିଲା। ଓଡ୍ରାଫ ଟିମ୍, ଅଗ୍ନିଶମ ବିଭାଗ, ସ୍ଥାନୀୟ ପୁଲିସ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ୧୦ଟି ଆମ୍ବୁଲାନ୍ସରେ ଆହତମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଉଦ୍ଧାର କାର୍ଯ୍ୟର ନେତୃତ୍ବ ନେଉଥିବା ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିବା ଅନୁଯାୟୀ, ବସ୍‌ ଭିତରେ ୧୫ରୁ ଅଧିକ ମହିଳା ଥିବା ବେଳେ ୭ ଜଣ ବରିଷ୍ଠ ନାଗରିକ ଓ କେତେଜଣ ଶିଶୁ ଥିଲେ। ତେବେ, ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ସ୍ପଷ୍ଟ ହୋଇଛି।

ମୃତକଙ୍କ ମଧ୍ୟରେ ୩ ମହିଳା, ୩୭ ଗୁରୁତର ଏସ୍‌ସିବିରେ ଭର୍ତ୍ତି
ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୨ ଲକ୍ଷର ସହାୟତା ଘୋଷଣା

ବସ୍‌ଟି ଆଜି ଦିନ ପ୍ରାୟ ସାଢେ ୨ଟା ବେଳେ ବଲଣ୍ଡାରୁ ଭୁବନେଶ୍ବର ଅଭିମୁଖେ ବାହାରି ଥିଲା। ବସରେ ୪୫ଟି ସିଟ ଥିବା ବେଳେ ୧୨ଟି ସ୍ଲିପର ସିଟ୍ ରହିଥିଲା। ବସର ମାଲିକ ଶ୍ରୀକାନ୍ତ କୁମାର ପାଣି ହେଉଛନ୍ତି ତାଳଚେର ବସ୍ ସଂଘ ସଭାପତି। ଘଟଣା ଜଣାପଡ଼ିବା ପରେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ‌ବିଧାୟକ ପ୍ରଭାତରଂଜନ ବିଶ୍ବାଳ, ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ପ୍ରଭାତ ତ୍ରିପାଠୀ, ମେୟର ମିନାକ୍ଷୀ ବେହେରା, ପୁଲିସ କମିସନର ସତ୍ୟଜିତ ମହାନ୍ତି, ଡିସିପି ଅଖିଳେଶ୍ବର ସିଂହ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଅନୁଭବ ମହାନ୍ତି, ପୂର୍ବତନ ମନ୍ତ୍ରୀ ସମୀର ଦେ, ତାଳଚେର ବିଧାୟକ ବ୍ରଜ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର ପ୍ରମୁଖ କଟକ ବଡ ମେଡିକାଲରେ ପହଞ୍ଚି ଆହତଙ୍କ ଚିକିତ୍ସା ଅବସ୍ଥା ଅନୁଧ୍ୟାନ କରିଥିଲେ। ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ, ନଗର କଂଗ୍ରେସ ସଭାପତି ଇଂଜିନିୟର ମହମ୍ମଦ ମୋକିମ, ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ସଂଜୟ ଜେନା ପ୍ରମୁଖ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ପ୍ରକାଶଥାଉକି, ୨୦ ବର୍ଷ ପୂର୍ବେ ସେହି ମହାନଦୀ ପୋଲରେ ଭୟଙ୍କର ଦୁର୍ଘଟଣା ଘଟିଥିଲା। କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆରୁ କଟକ ଆସୁଥିବା ‘କନକ ଦୁର୍ଗା’ ବସ ମହାନଦୀ ପୋଲରୁ ତଳକୁ ଖସି ପଡିଥିଲା। ବସର ଆଗ ଚକ ଟାୟାର ଫାଟିବାରୁ ବସଟି ନିୟନ୍ତ୍ରଣ ହରାଇ ତଳକୁ ଖସି ପଡିଥିଲା। ୧୯୯୮ ମସିହା, ନଭେମ୍ବର ୫ ତାରିଖ, ଗୁରୁବାର ସକାଳ ପାଖାପାଖି ୯ଟା ୧୫ରେ ଘଟିଥିବା ଏହି ଦୁର୍ଘଟଣାରେ ୪୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏହା ରାଜ୍ୟର ସବୁଠୁ ବଡ଼ ତଥା ହୃଦୟବିଦାରକ ଦୁର୍ଘଟଣା ଭାବେ ଆଜି ବି ପରିଗଣିତ ହୁଏ। ସେତେବେଳେ ବସ୍‌ଟି ଗୁରୁଦ୍ବାର ନିକଟରେ ଖସି ତଳକୁ ଖସି ପଡିଥିବା ବେଳେ ପାଣି ଭିତରୁ ବୋଟରେ ମୃତାହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ତେବେ, ଆଜିର ଘଟଣା ପୁଣିଥରେ ସେଦିନର ସେହି ଦୁଃଖଦ ଘଟଣାକୁ ମନେ ପକାଇ ଦେଇଛି।

୧୯୯୮ ନଭେମ୍ବର ୫
‘କନକ ଦୁର୍ଗା’ ବସ୍: ୪୭ ମୃତ
୧୯୯୮ ମସିହା ନଭେମ୍ବର ୫ରେ କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆରୁ କଟକ ଆସୁଥିବା ‘କନକ ଦୁର୍ଗା’ ବସ୍‌ ମହାନଦୀ ପୋଲରୁ ତଳକୁ ଖସି ପଡ଼ିବାରୁ ୪୭ ଜଣଙ୍କର ମୃତ୍ୟୁ ଘଟିଥିଲା।

୨୦୧୬ ଏପ୍ରିଲ୍‌ ୧୭
‘ଜନ୍ନତ’ ବସ୍: ୨୭ ମୃତ
୨୦୧୬ ମସିହା ଏପ୍ରିଲ୍‌ ୧୭ରେ ଦେବଗଡ଼ ଜିଲ୍ଲା ତଲେଇବଣି ବ୍ଲକର ଗଇଲୋ ଘାଟିରେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ‘ନାଟଶ୍ରୀ ଭାରତୀ ଗଣନାଟ୍ୟ’ର ୨୭ ଜଣ କଳାକାରଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା।

୨୦୧୬ ସେପ୍ଟେମ୍ବର ୯
‘ମହାରାଜା ’ବସ୍: ୧୯ ମୃତ
୨୦୧୬ ମସିହା ସେପ୍ଟେମ୍ବର ୯ରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ ଅନ୍ତର୍ଗତ ପୁରୁଣାମଣତ୍ରୀଠାରେ ଏକ ଯାତ୍ରୀବାହି ବସ୍‌ ‘ମହାରାଜା’ ୫୦ ଫୁଟ ପୋଲ ତଳକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ୧୯ ଜଣ ଲୋକ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର