ଟ୍ରିବ୍ୟୁନାଲ୍‌ରେ ମହାନଦୀ ଜଳବିବାଦ ମାମଲା: ରାଜ୍ୟ ସରକାରଙ୍କ ଲିଖିତ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ: ଗତକାଲି ମହାନଦୀ ଜଳବିବାଦ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀ ଓ ବିଶେଷଜ୍ଞ ସ୍ତରୀୟ ବୈଠକରେ ମାମଲାର ସମାଧାନ ନେଇ କୌଣସି ପ୍ରକାର ନିଷ୍କର୍ଷ ବାହାରି ପାରିନଥିବାବେଳେ ଆଜି ଟ୍ରିବ୍ୟୁନାଲ୍‌ର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ସରକାରଙ୍କ ପକ୍ଷରୁ ଲିଖିତ ସତ୍ୟପାଠ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ୪୨ ପୃଷ୍ଠାର ଲିଖିତ ସତ୍ୟପାଠରେ ୨୦୧୬-୧୭ ଓ ୨୦୧୭-୧୮ ଜଳ ବର୍ଷରେ ଅଣମୌସୁମୀ ସମୟରେ ହୀରାକୁଦକୁ ଯଥାକ୍ରମେ ୦.୭୦୬ ନିୟୁତ ଏକର ଫିଟ୍‌ ଓ ୦.୭୭୬ ନିୟୁତ ଏକର ଫିଟ୍‌ (ଏମ୍ଏଏଫ୍‌) ଜଳସ୍ରୋତ ହ୍ରାସ ପାଇଛି। ୨୦୧୫-୧୬ ଜଳବର୍ଷରେ ୬ଟି ବ୍ୟାରେଜ୍‌ ନିର୍ମାଣ ଯୋଗୁଁ ବ୍ୟାପକଭାବେ ଜଳସ୍ରୋତ ହ୍ରାସ ପାଇଛି ବୋଲି କୁହାଯାଇଛି। କାର୍ଯ୍ୟକ୍ଷମ ଥିବା ବ୍ୟାରେଜ୍‌ ଗୁଡ଼ିକୁ ବନ୍ଦ କରାନଗଲେ ଅଣମୌସୁମୀ ସମୟରେ ହୀରାକୁଦରେ ଲଗାତାର ଜଳସ୍ରୋତ ହ୍ରାସ ପାଇବ ଏବଂ ଏହାଦ୍ବାରା ଓଡ଼ିଶା ଦୁର୍ଦ୍ଦଶା ଭୋଗିବ ବୋଲି ସତ୍ୟପାଠରେ କୁହାଯାଇଛି। ସତ୍ୟପାଠରେ କୁହାଯାଇଛି ଯେ ୬ଟି ବ୍ୟାରେଜ୍‌ ତଥା ସାମୋଦା, ବସନ୍ତପୁର, ମିରୋନି ଓ କଲ୍‌ମା ବ୍ୟାରେଜ୍‌ କାର୍ଯ୍ୟ ଶେଷ ହୋଇଛି ଏବଂ ବଳକା ଥିବା ଦୁଇଟି ବ୍ୟାରେଜ୍‌ ସାରାଦିହି ଓ ସିଅରିନାରାୟଣର କାର୍ଯ୍ୟ ଜାରି ରହିଛି। ଛତିଶଗଡ଼ର ଆଉ ୨ଟି ବ୍ୟାାରେଜ୍‌ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାକୁ ଅଣମୌସୁମୀ ସମୟରେ କିଛି ମଧ୍ୟ ପାଣି ମିଳିବନି। ‌ଜଳସ୍ରୋତ ହ୍ରାସ ପାଇଲେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏହା ପ୍ରଭାବ ପକାଇବା ସହ ଫସଲ ହାନି ହେବା ସ୍ବାଭାବିକ। ଏତଦ୍‌ବ୍ୟତୀତ ପରିବେଶର କ୍ଷତି ଓ ପିଇବା ପାଣିର ସମସ୍ୟା ହେବ ବୋଲି ସତ୍ୟପାଠରେ ଉଲ୍ଲେଖ ଅଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଅଣମୌସୁମୀ ସମୟରେ ନ୍ୟାୟସଙ୍ଗତ ଭାବେ ଓଡ଼ିଶାକୁ ଜଳ ବଣ୍ଟନ କରାଗଲେ ଛତିଶଗଡ଼ ଓ ଅନ୍ୟ ରାଜ୍ୟରେ ଏହାର ପ୍ରଭାବ ପଡ଼ିବନାହିଁ। ଛତିଶଗଡ଼ ଓ ଅନ୍ୟ ରାଜ୍ୟର ଭାଗ ଅଣମୌସୁମୀ ସହ ୮.୩୩ ନିୟୁତ ଏକର ଫିଟ୍‌ ରହିଛି। ଓଡ଼ିଶାକୁ ୫.୮୨ ନିୟୁତ ଏକର ଫୁଟ୍‌ (ଏମ୍‌ଏଏଫ୍‌) ସହ ଅଣମୌସୁମୀ ସମୟ ୨ ଏମ୍‌ଏଏଫ୍‌ (କଣ୍ଟାକ୍ଟ ପଏଣ୍ଟ୍‌ରୁ ୧.୭୪ ଏମଏଏଫ୍‌) ଜଳ ବଣ୍ଟନ କରିବା ନ୍ୟାୟ ସଙ୍ଗତ ବିଭାଜନ ହେବ ବୋଲି ଓଡ଼ିଶା ପକ୍ଷରୁ କୁହାଯାଇଛି।

ହୀରାକୁଦ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ୧୯୪୭ ଅନ୍ତର୍ଗତ ଯଦି ଛତିଶଗଡ଼ର ମହାନଦୀ ଜଳ ଆବଣ୍ଟନକୁ ନେଇ କୌଣସି ଅଭିଯୋଗ ଥିଲା ତାହାଲେ ଛତିଶଗଡ଼ ଆନ୍ତଃରାଜ୍ୟ ନଦୀଜଳ ଆଇନ ୧୯୫୬ର ଧାରା ୩ ଅନ୍ତର୍ଗତ ଅଭିଯୋଗ ପିଟିସନ୍‌ ଦାଖଲ କରିପାରିଥାନ୍ତା। ଅଭିଯୋଗ ପିଟିସନ୍‌ ଦାଖଲ ନକରି ଛତିଶଗଡ଼ ଉପରମୁଣ୍ଡ ରାଜ୍ୟ ଭାବେ ଆଇନକୁ ନିଜ ହାତକୁ ନେଇଛି, ଭିତ୍ତିଭୂମିର ବିକାଶ କରିଛି ଏବଂ ମହାନଦୀ ଅବବାହିକାର ବ୍ୟାପକ ଜଳ ଉପଯୋଗ କରିଛି ଯାହା ବେଆଇନ ବୋଲି ଓଡ଼ିଶା ଦାଖଲ କରିଥିବା ସତ୍ୟପାଠରେ କୁହାଯାଇଛି। ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ନିର୍ମାଣ କରିଥିବା ୬ଟି ବ୍ୟାରେଜ୍‌ ପରିବେଶ ସୁରକ୍ଷା ଆଇନ ୧୯୮୬ ଅନ୍ତର୍ଗତ ଆବଶ୍ୟକୀୟ ମଂଜୁରି ହାସଲ କରାନଯାଇଥିବା ଉଲ୍ଲେଖ କରାଯାଇଛି। ଏନେଇ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ଗତବର୍ଷ ଅଗଷ୍ଟ ୨୦ରେ କେନ୍ଦ୍ର ପର୍ଯ୍ୟାବରଣ ଓ ଜଙ୍ଗଲ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଥିବା ସତ୍ୟପାଠରେ ଉଲ୍ଲେଖ ଅଛି।

ସେହିପରି କାବେରୀ ଜଳବିବାଦ ଟ୍ରିବ୍ୟୁନାଲ୍‌ର ଅନ୍ତରୀଣ ଆଦେଶ ସମ୍ପର୍କରେ ମଧ୍ୟ ସତ୍ୟପାଠରେ ଦର୍ଶାଯାଇଛି। ତେବେ ଛତିଶଗଡ଼ ଦ୍ବାରା ନଭେମ୍ବରରୁ ମେ’ ମାସ ଅଣମୌସୁମୀ ନୁହେଁ ବୋଲି ଯେଉଁ ମନ୍ତବ୍ୟ ଦିଆଯାଇଥିଲା ତାକୁ ଖଣ୍ଡନ କରାଯାଇଛି। ଓଡ଼ିଶା କହିଛି ଯେ ମହାନଦୀ ଅବବାହିକାରେ ନଭେମ୍ବରରୁ ମେ’ ମାସ ପର୍ଯ୍ୟନ୍ତ ଅଣମୌସୁମୀ ସମୟ ରହିଥାଏ। ଦକ୍ଷିଣ ପଶ୍ଚିମ ମୌସୁମୀ ଅକ୍ଟୋବରରେ ପ୍ରତ୍ୟାହାର ହୋଇଥାଏ। ଛତିଶଗଡ଼କୁ ଏହି ତଥ୍ୟ ସ୍ବୀକାର କରିବାକୁ ପଡ଼ିବ ବୋଲି ଓଡ଼ିଶା ପକ୍ଷରୁ କୁହାଯାଇଛି ଏବଂ ଅନେକ ପ୍ରମାଣ ମଧ୍ୟ ଉପସ୍ଥାପନ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ୨ ଭାଗରେ ଦାଖଲ କରାଯାଇଥିବା ଲିଖିତ ସତ୍ୟପାଠରେ ୯ଟି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆସନ୍ତା ମାସ ୯ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ରେ ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ଲିଖିତ ସତ୍ୟପାଠ ଉପରେ ଟ୍ରିବ୍ୟୁନାଲ୍‌ ଶୁଣାଣି କରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର