‘ଓଡ଼ିଆଙ୍କୁ ଏକାଠି ହେବାକୁ ମହାନଦୀ ମହାସଂଗ୍ରାମ ଆଉ ଏକ ସୁଯୋଗ ଦେଇଛି’

ବ୍ରହ୍ମଗିରି/ପୁରୀ: ଏକଦା ଭାଷା ଆନ୍ଦୋଳନ ସମଗ୍ର ଓଡ଼ିଆ ଜାତିକୁ ଯୋଡିବାର ସୁଯୋଗ ଆଣି ଦେଇଥିଲା। ଦଳ ମତ ନିର୍ବିଶେଷରେ ସମସ୍ତେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏବେ ପୁଣି ଥରେ ମହାନଦୀ ପାଇଁ ମହାସଂଗ୍ରାମ ପ୍ରତ୍ୟେକ ଓଡ଼ିଆଙ୍କୁ ଯୋଡିବା ସହିତ ଏକାଠି ହେବାକୁ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି। ଏଭଳି ସୁଯୋଗକୁ ହାତଛଡା ନ କରି ସମସ୍ତ ଓଡ଼ିଆ ମହାନଦୀ ମହାସଂଗ୍ରାମରେ ସାମିଲ ହେବା ପାଇଁ ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ଢାବା ଛକଠାରେ ଆୟୋଜିତ ଏକ ସାଧାରଣ ସଭାରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି। ଉଦ୍‌ବୋଧନ ପ୍ରସଙ୍ଗରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମହାନଦୀ ଆନ୍ଦୋଳନ କେବଳ ବିଜେଡି ଦଳର ନୁହେଁ। ଧନଜୀବନକୁ ସୁରକ୍ଷା ଦେବା ସରକାର ଓ କ୍ଷମତାସୀନ ଦଳର ମୁଖ୍ୟ କର୍ତ୍ତବ୍ୟ। ବିଜେଡି ଦଳ ସେହି ନ୍ୟାୟରେ ତାର ଦାୟିତ୍ଵ ନିର୍ବାହ କରୁଛି। ମହାନଦୀ ଓଡ଼ିଶାର ଜୀବନ ରେଖା ହୋଇଥିବାରୁ ଏହାର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ୍‌ ହେବାର ସମୟ ଆସିଛି। ମାଣିକ ଗୌଡୁଣୀ ଉପାଖ୍ୟାନର ଅବତାରଣା କରି ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଆଙ୍କୁ ଏକାଠି କରିବା ପାଇଁ ସ୍ୱୟଂ ଜଗନ୍ନାଥ ସଂଗ୍ରାମୀ ଭୂମିକା ଗ୍ରହଣ କରିଥାନ୍ତି। ସୁତରାଂ ମହାନଦୀ ପ୍ରସଙ୍ଗରେ ଜଗନ୍ନାଥ ମାଟିରୁ ସବୁ ଓଡ଼ିଆ ଏକାଠି ହେବା ଆବଶ୍ୟକ। ମହାନଦୀ ସଂପର୍କରେ ଟ୍ରିବ୍ୟୁନାଲ ନିଷ୍ପତ୍ତି ନ ହେବା ଯାଏ ପୂର୍ବଭଳି ଜଳବଣ୍ଟନ ବ୍ୟବସ୍ଥା ଚାଲୁ ରଖିବାକୁ ଛତିଶଗଡ଼ ସରକାରଙ୍କୁ ସେ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ମନ୍‌ କି ବାତ କହି ଚର୍ଚ୍ଚାରେ ରହିଥାନ୍ତି। ଆସନ୍ତା ୨୬ ତାରିଖ କଟକ ସଭାରେ ମହାନଦୀକୁ ନେଇ ତାଙ୍କର ମନର କଥା କଣ ହେବ ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାର ଆବଶ୍ୟକତା ଥିବା ଶ୍ରୀ ପଟ୍ଟନାୟକ କହିଥିଲେ।

ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ମହାନଦୀ ମହାସଂଗ୍ରାମ, ଭାର୍ଗବୀ, ଚିଲିକା ସୁରକ୍ଷା ଅଭିଯାନ’ ସମାବେଶରେ ଯୋଗ ଦେଇ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମହାନଦୀ ଅବବାହିକା ଶୁଖିଲା ପଡିବା ନେଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ମହାନଦୀ ଶୁଖିଗଲେ ଏହାର ସମସ୍ତ ଶାଖା ନଦୀଗୁଡ଼ିକ ଶୁଖିଯିବ। ମରାଳମାଳିନୀ ଚିଲିକା ବି ଶ୍ରୀହୀନ ହୋଇଯିବ। ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମହାନଦୀ ମହାସଂଗ୍ରାମର ଡାକରା ଦିଆଯାଇଛି। ଏହା କେବଳ ବିଜେଡିର ଆନ୍ଦୋଳନ ନୁହେଁ। ଏହି ଆନ୍ଦୋଳନରେ ଓଡ଼ିଆମାନେ ସାମିଲ ନ ହେଲେ ଭବିଷ୍ୟତ ପିଢି କେବେ ବି ଆମକୁ କ୍ଷମା ଦେବେ ନାହିଁ ବୋଲି ସେ କହିଥିଲେ। ସମାବେଶରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗ ଦେଇ ମହାନଦୀ, ମା ମାଟି ପାଇଁ ସଂଗ୍ରାମ କରିବାକୁ କହିଥିଲେ। ମହାନଦୀ ପାଇଁ ସେ ଜୀବନ ଦେବାକୁ ପ୍ରସ୍ତୁତ। ମହାନଦୀ ଶୁଖିଗଲେ ଆଗାମୀ ଦିନରେ ଆମକୁ ଆଉ ଏକ ନଅଙ୍କ ଦୁର୍ଭିକ୍ଷର ସାମ୍ନା କରିବାକୁ ପଡ଼ିବ। କେବଳ ଆନ୍ଦୋଳନ କଲେ ହେବ ନାହିଁ, ମହାନଦୀ ପାଇଁ କର ବା ମର ପରିସ୍ଥିତିକୁ ଆପଣେଇବାକୁ ପଡିବ ବୋଲି ସେ କହିଥିଲେ।

ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ତୀବ୍ର ସମାଲୋଚନା କରି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ରର ଏନଡିଏ ସରକାର ରାଜ୍ୟବାସୀଙ୍କୁ ଧୋକ୍କା ଦେଇଥିବା କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ପ୍ରସଙ୍ଗରେ ଓଡ଼ିଶାକୁ ହତାଶ କରିଛନ୍ତି। ଦେଶର ସଂଘୀୟ ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ବିପନ୍ନ କରିଥିବା ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ। ନୟାଗଡ ବିଧାୟକ ଅରୁଣ ସାହୁ ମହାନଦୀ ଜଳ ବଣ୍ଟନ ପ୍ରସଙ୍ଗକୁ ଉତ୍‌ଥାପନ କରି ପ୍ରଧାନମନ୍ତ୍ରୀ ଛତିଶଗଡ଼ର ବିଜେପି ସରକାରକୁ ସୁରକ୍ଷା ଦେବା ପାଇଁ କାମ କରୁଥିବା କହିଥିଲେ। ହୀରାକୁଦ ବନ୍ଧ ହେବା ଦିନରୁ ଜଳ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଚୁକ୍ତି ଅନୁସାରେ ଓଡ଼ିଶା ୬୦ ପ୍ରତିଶତ ଜଳ ବ୍ୟବହାର କରିବ ଓ ଛତିଶଗଡ଼ ୪୦ ପ୍ରତିଶତ ବ୍ୟବହାର କରିବ ବୋଲି ଚୁକ୍ତି ହୋଇଥିଲା। ଏବେ କିନ୍ତୁ ଛତିଶଗଡ଼ ସରକାର ଏହାକୁ ଅବଜ୍ଞା କରି ଓଡ଼ିଶା ପ୍ରତି ଅବିଚାର କରିଛନ୍ତି ବୋଲି ସେ ଉଦ୍‌ବୋଧନ ଛଳରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର