ଜବରଦଖଲରେ ମହାନଦୀ! ବଢୁଛି ପ୍ରଦୂଷଣ, ନଈପଠାରେ ଅଟ୍ଟାଳିକା

ଏନ୍‌ଜିଟିରେ ମାମଲା, ପ୍ରଶାସନ ଚୁପ୍

କଟକ-ବିଦ୍ୟାଧରପୁର: କଟକର ଦୁଇ ପାର୍ଶ୍ବରେ ସମାନ୍ତରାଳ ଭାବେ ରହିଛନ୍ତି ମହାନଦୀ ଓ କାଠଯୋଡ଼ି। କିନ୍ତୁ ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ କଟକରେ ବି ଏହି ଦୁଇ ନଦୀର ସ୍ଥିତି ପ୍ରତି ବିପଦ ବଢିବାରେ ଲାଗିଛି। ଗୋଟିଏ ପଟେ ଗଡ଼ଗଡ଼ିଆ ଘାଟ ଓ ହାଡ଼ିଆପଠା ପୋତା ଯିବା ଅଭିଯୋଗ ଆଣି ଏନ୍‌ଜିଟିରେ ମାମଲା ଗଡୁଥିବା ବେଳେ ଅନ୍ୟପଟେ କଟକର ଗଣ୍ଡରପୁର ଠାରୁ କେଶରପୁର ପର୍ଯ୍ୟନ୍ତ ଅଞ୍ଚଳରେ ମହାନଦୀକୁ ବର୍ଜ୍ୟଜଳ ଛଡ଼ା ଯିବା ଏବଂ ନଈ ପଠା ଜବରଦଖଲ ହେବା ମହାନଦୀର ସ୍ଥିତିକୁ ବିପନ୍ନ କରିଛି। ଏ କ୍ଷେତ୍ରରେ ପ୍ରଶାସନିକ ନିଷ୍କ୍ରିୟତା ଏବେ ଉଦ୍‌ବେଗର କାରଣ ହୋଇଛି।

ତଥ୍ୟ ଅନୁଯାୟୀ କଟକ ସହରରୁ ବାହାରୁଥିବା ବର୍ଜ୍ୟ ନର୍ଦ୍ଦମା ଜଳ ଏମ୍ ଏସ୍‌ ଡବ୍ଲୁ-୨ କେନାଲ ବାଟେ ଗଣ୍ଡରପୁର, ଚାଉଳିଆଗଞ୍ଜ, ନୂଆ ବଜାର, ବିଦ୍ୟାଧରପୁର, କେଶପୁର
ଏନ୍ ଆର୍ ଆର୍ ଆଇ ବାଟେ ସିଧାସଳଖ ଭଦିମୂଳ ଗୁଳୁଗୁଳି ପୋଲ ପାଖରେ ଜମା ହେଉଛି। ଏଠାରେ ଥିବା ପମ୍ପହାଉସ ଜରିଆରେ ଏହି ନର୍ଦ୍ଦମା ପାଣିକୁ ବିନା ବ‌ିଶୋଧନରେ ମହାନଦୀକୁ ଛାଡ଼ି ଦିଆଯାଉଛି। ସେହିଭଳି ଗଣ୍ଡରପୁର ଯୋବ୍ରା ରେଳ ଲାଇନ୍ ନିକଟରେ ମଧ୍ୟ ନର୍ଦ୍ଦମା ପାଣିକୁ ମହାନଦୀକୁ ଛାଡ଼ି ଦିଆଯାଉଛି। ମହାନଦୀ ଓ କାଠଯୋଡ଼ିକୁ ନର୍ଦ୍ଦମା ଜଳ ଛଡ଼ା ଯିବା ଉପରେ ହାଇକୋର୍ଟଙ୍କ ବାରମ୍ବାର ଚେତାବନୀ ଓ କଟକଣା ସତ୍ତ୍ବେ ଏହା ଜାରି ରହିବା ପରିବେଶବିତ୍‌ଙ୍କ ପାଇଁ ଉଦ୍‌ବେଗର କାରଣ ହୋଇଛି। ଅନ୍ୟପଟେ ଯୋବ୍ରାଠାରୁ କଟକ ସଦର ବ୍ଲକ୍‌ ଅଧୀନସ୍ଥ ମହାନଦୀ କୂଳପଠାରେ ହଜାର ହଜାର ଘର, ବିଭିନ୍ନ ଛୋଟ ଓ ମଧ୍ୟମ ଧରଣର କାରଖାନା ଗଢି ଉଠିଛି। ଏଥିରୁ ନିର୍ଗତ ବର୍ଜ୍ୟ ନର୍ଦ୍ଦମା ପାଣି ସିଧାସଳଖ ମହାନଦୀରେ ମିଶୁଛି। ଏହା ଦ୍ବାରା ମହାନଦୀ ପାଣି ଯୋବ୍ରାରୁ କେଶରପୁର ପର୍ଯ୍ୟନ୍ତ କୂଳେକୂଳେ ଦିନର ବିଭିନ୍ନ ସମୟରେ ସଂପୂର୍ଣ୍ଣ କଳା ହୋଇଯାଉଛି।

ବିଦ୍ୟାଧରପୁର ପୂଜା କମିଟି ଉପଦେଷ୍ଟା ଶିଳ୍ପପତି ଅଭୟ ଚରଣ ଦାଶ କହିବା ଅନୁଯାୟୀ ଅଞ୍ଚଳର ଅନେକ ଲୋକ ମହାନଦୀ ଉପରେ ଏବେ ବି ନିର୍ଭରଶୀଳ। କିନ୍ତୁ, ନର୍ଦ୍ଦମା ପାଣି ଛାଡ଼ି ପାଣିକୁ ଏକପ୍ରକାର ବିଷାକ୍ତ କରି ଦିଆଯାଇଥିବା ବେଳେ ଲୋକେ ବି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଯୋବ୍ରା ଠାରୁ ଭଦିମୂଳ ପର୍ଯ୍ୟନ୍ତ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧିନରେ ରହିଛି। କଟକ ମହାନଗର ନିଗମର ସ୍ପେଶାଲ୍ ସ୍କ୍ବାଡ୍ ବି ରହିଛି। କିନ୍ତୁ ମହାନଦୀର ପ୍ରଦୂଷଣ ଏବଂ ମହାନଦୀ ପଠାରେ ବେଆଇନ ଭାବେ ଜବରଦଖଲରେ ଗଢି ଉଠିଥିବା ଅଟ୍ଟାଳିକା ଉପରେ କାହାର ନଜର ନ ପଡ଼ିବା ଘଟଣା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ମହାନଦୀ ବଞ୍ଚାଅ ଆନ୍ଦୋଳନର ପୁରୋଧା ବରିଷ୍ଠ ରାଜନେତା ବିଜୟ ମହାପାତ୍ର କହିଛନ୍ତି, ‘ସରକାରଙ୍କ ଭୁଲ୍ ପାଇଁ ମହାନଦୀ ଦିନେ ମୃତ ଅବସ୍ଥାକୁ ହୁଏତ ଚାଲି ଯିବ। ୧୦ ବର୍ଷ ତଳେ ଆରମ୍ଭ ହୋଇଥିବା ‘ମହାନଦୀ ବଂଚାଅ’ ଆନ୍ଦୋଳନ ସମୟରେ ବି ଏ ପ୍ରସଙ୍ଗ ଉଠାଇ ମୁଁ ସରକାରଙ୍କୁ ଚେତାଇ ଥିଲି। ସେତେବେଳେ ବି ମହାନଦୀ କୂଳରେ ଏତେ ସଂଖ୍ୟକ ଘର ଦେଖି ଜିଲ୍ଲାପାଳଙ୍କୁ ପଚାରିବା ବେଳେ ସେ କହିଥିଲେ ଯେ ଏସବୁ ଭଙ୍ଗା ହେବ। କିନ୍ତୁ ଭଙ୍ଗା ହେବ କ’ଣ, ଘର ସଂଖ୍ୟା ବଢିବାରେ ଲାଗିଛି। ପ୍ରଶାସନ ଦେଖି ନ ଦେଖିଲା ପରି ରହୁଛି।’ ଏ ଦିଗରେ ସରକାର ତ୍ବରାନ୍ବିତ ପଦକ୍ଷେପ ନ ନେଲେ ଆଉ କିଛି ‌ବର୍ଷ ଭିତରେ ହୁଏତ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର