ଝାରସୁଗୁଡ଼ା: ଜୁନ୍‌ ମାସର ଅଧାଦିନ ଗଲାଣି। ହେଲେ, ଏବେ ବି ଟାଙ୍ଗରା ପଡ଼ିଛି ଓଡ଼ିଶାର ଜୀବନରେଖା ମହାନଦୀ। ଉପରମୁଣ୍ଡରେ ବର୍ଷା ହେଉନଥିବା କାରଣରୁ ଛତିଶଗଡ଼ ସରକାର ମଧ୍ୟ କଲ୍‌ମା ବ୍ୟାରେଜରୁ ଏପର୍ଯ୍ୟନ୍ତ ଜଳ ନିଷ୍କାସନ କରିନାହାନ୍ତି। ଫଳସ୍ବରୂପ ଓଡ଼ିଶାରେ ମହାନଦୀର ପ୍ରବେଶସ୍ଥଳ କୁହାଯାଉଥିବା ଶୁଖାସୋଢ଼ାରେ ୫-୬ ଫୁଟ ମାତ୍ର ପାଣି ଥିବା ବେଳେ ଶରଧାଘାଟରେ ପାଣିର ଚିହ୍ନବର୍ଣ୍ଣ ନାହିଁ। ସ୍ଥିତି ଏପରି ହେଲାଣି ଯେ ମହାନଦୀ ତଟସ୍ଥ ଗ୍ରାମର ଗୋରୁଗାଈମାନେ ବି ପାଣି ମୁନ୍ଦାଏ ପାଇପାରୁନାହାନ୍ତି।

Advertisment

ଗତବର୍ଷ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲଙ୍କ ଗସ୍ତ ପୂର୍ବରୁ ଛତିଶଗଡ଼ ସରକାର ତଞ୍ଚକତା କରି କଲମା ବ୍ୟାରେଜ୍‌ରୁ ପ୍ରଥମେ ୨ଟି ଓ ପରେ ୫ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରିଥିଲା। ଫଳସ୍ବରୂପ ଜୁନ୍‌ମାସରେ ବି ଓଡ଼ିଶା ପାର୍ଶ୍ବରେ ମହାନଦୀରେ ପାଣି ଦେଖିବାକୁ ମିଳିଥିଲା। ମାତ୍ର, ଚଳିତବର୍ଷ ସ୍ଥିତି ଉଦ୍‌ବେଗଜନକ ହୋଇଛି। ଏବେ ମହୁଲପାଲି ସେତୁରୁ ମହାନଦୀ ଟାଙ୍ଗରା ପଡ଼ିଛି। କେଉଁଠି ମହାନଦୀରେ ପାଣିର ଏକ ଛୋଟ ଧାର ଯାଉଥିବା ବେଳେ ଅନ୍ୟସ୍ଥାନଗୁଡ଼ିକରେ କେବଳ ବିସ୍ତୀର୍ଣ୍ଣ ବାଲି ଦେଖାଯାଉଛି। ମହାନଦୀରେ ପାଣି ନଆସିବା କାରଣରୁ ଏହାର ପ୍ରଭାବ ଶାଖାନଦୀ କେଲୋ ଉପରେ ମଧ୍ୟ ପଡ଼ିଛି। କେଲୋ ନଦୀରେ ପାଣି କମିଯିବା ଦ୍ବାରା ଓଡ଼ିଶାର ସୀମାନ୍ତବର୍ତ୍ତୀ ଝାରସୁଗୁଡା ଜିଲାର କନକତୋରା, ଲୁହାବଗା, ଅମାପାଲି, ବଡ଼ଧରା, କୁଶମେଲ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲଗାଯାଇ ଥିବା ଉଠା ଜଳସେଚନ ପଏଣ୍ଟଗୁଡ଼ିକ କାମରେ ଆସୁନି। ପରିସ୍ଥିତିରେ ପଡ଼ି ଲୋକେ ଚାଷ ଛାଡ଼ି ସାରିଲେଣି।

ମହାନଦୀ ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀଙ୍କ ଅବସ୍ଥା ମଧ୍ୟ ଚିନ୍ତାଜନକ ହୋଇଛି। ସେମାନଙ୍କ ରୋଜଗାର ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଶରଧା ଗ୍ରାମର ଚାଷୀ ପ୍ରଫୁଲ୍ଲ ସାହୁଙ୍କ କହିବା ଅନୁସାରେ, ‘ନଦୀରେ ପାଣି ନଥିବାରୁ ମେଗା ଜଳସେଚନ ପଏଣ୍ଟଗୁଡ଼ିକ ଅଚଳ ହୋଇ ପଡ଼ିରହିଛି। ତେଣୁ ନଦୀରେ ପାଣି ଆସିବାପରେ ଯାଇ ଧାନ ବୁଣିବା କାମ ଆରମ୍ଭ ହୋଇପାରିବ।’ ସାଧାରଣତଃ ପ୍ରତିବର୍ଷ ଜୁନ୍‌ ମାସ ୧୬ ତାରିଖରେ ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରିଥାନ୍ତି। ମାତ୍ର ଆଜି ସନ୍ଧ୍ୟା ସୁଦ୍ଧା ଛତିଶଗଡ଼ରେ ବର୍ଷା ହୋଇନଥିବା ବେଳେ ଆସନ୍ତା ୧୬ ତାରିଖରେ କଲ୍‌ମାରୁ ଜଳ ନିଷ୍କାସନ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ସେପଟେ, ଛତିଶଗଡ଼ରେ ମୌସୁମୀ ବାୟୁର ପ୍ରଭାବରେ କାଁ ଭାଁ ବୃଷ୍ଟିପାତ ହେଉଥିବା ବେଳେ ଆଗାମୀ ୨-୩ ଦିନ ପାଇଁ କିଛି ସ୍ଥାନରେ ଅରେଞ୍ଜ ଆଲର୍ଟ ମଧ୍ୟ ଜାରି କରାଯାଇଛି।

ଏଠାରେ ଉଲ୍ଲେଖନୀୟ ଯେ ଗୋଟିଏପଟେ ଛତିଶଗଡ଼ ସରକାର ବ୍ୟାରେଜ୍‌ରେ ବର୍ଷତମାମ ପାଣି ଗଚ୍ଛିତ କରି ରଖୁଥିବା ବେଳେ ଓଡ଼ିଶା ସରକାର ମହାନଦୀ ତଳମୁଣ୍ଡରେ ୭ଟି ବ୍ୟାରେଜ୍‌ ନିର୍ମାଣ ପାଇଁ ଘୋଷଣା କରିବା ‌ସତ୍ତ୍ବେ ଏଦିଗରେ ଅଦ୍ୟାବଧି କୌଣସି ଆଖିଦୃଶିଆ ଅଗ୍ରଗତି ହୋଇପାରିନି। ପ୍ରତିବର୍ଷ ପାଣିକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଟଣାଓଟରା ଲାଗିରହୁଛି। ଏବେ ରାଜ୍ୟରେ ବିଜେପି ସରକାର ଆସିଯାଇଥିବାରୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେବା ନେଇ ନଦୀକୂଳିଆ ଲୋକେ ଆଶାବାଦୀ ରହିଛନ୍ତି।