ମହାନଦୀ ଜଳବିବାଦ ପ୍ରସଙ୍ଗ‌: ସମସ୍ତଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ

ଭୁବନେଶ୍ବର: ମହାନଦୀ ପ୍ରସଙ୍ଗଟି ପ୍ରତ୍ୟେକ ଓଡ଼ିଆଙ୍କର ହୃଦୟସ୍ପର୍ଶୀ ବିଷୟ ଅଟେ। ଓଡ଼ିଶାବାସୀଙ୍କ ସ୍ବାର୍ଥରକ୍ଷା ପାଇଁ ରାଜ୍ୟ ସରକାର ସବୁପ୍ରକାରର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆଗାମୀଦିନରେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସଂକଳ୍ପବଦ୍ଧ। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ବିଚାରାଧୀନ ଥିବାରୁ ଏହା ସମ୍ବନ୍ଧୀୟ ବିସ୍ତୃତ ବିବରଣୀ ବର୍ତ୍ତମାନ ରଖିବା ସମ୍ଭବ ନୁହେଁ। ତେଣୁ ଦଳମତ ନିର୍ବିଶେଷରେ ସମସ୍ତ ସଭ୍ୟ, ସଭ୍ୟା ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ସହଯୋଗ କରନ୍ତୁ। ଆଜି ଗୃହରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ବିବୃତି ରଖି ଏହା କହିଛନ୍ତି।

ମନ୍ତ୍ରୀ ଶ୍ରୀମତୀ ସାହୁ ସକହିଛନ୍ତି ଯେ, ମହାନଦୀ ଓଡ଼ିଶାର ଜୀବନରେଖା। ଏହାର ଜଳ ଉପରେ ରାଜ୍ୟର ୨୩ଟି ଜିଲ୍ଲାର ଲୋକଙ୍କ ଜୀବନ ଜୀବିକା ନିର୍ଭର କରେ। ଛତିଶଗଡ଼ ସରକାର ଓଡ଼ିଶାବାସୀଙ୍କ ଅଧିକାର ଓ ସ୍ବାର୍ଥକୁ ଉପେକ୍ଷା କରି ନିଜ ରାଜ୍ୟ ପାଇଁ ଏକତରଫା, ଯୋଜନାବଦ୍ଧ ଓ ବେଆଇନ ଭାବେ ମହାନଦୀର ଉପରମୁଣ୍ଡରେ ଅନେକଗୁଡ଼ିଏ ପ୍ରକଳ୍ପ ନିର୍ମାଣ କରିବା ଦ୍ବାରା ମୋଟ୍‌ ୨୭.୪୮ ନିୟୁତ ଏକର ଫୁଟ ଜଳ ବ୍ୟବହାର ପାଇଁ ମସୁଧା କରିଛନ୍ତି। ମୁଖ୍ୟତଃ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଦ୍ବାରା ୬ଟି ବିଶାଳକାୟ ଶିଳ୍ପଭିତ୍ତିକ ବ୍ୟାରେଜ୍ ନିର୍ମାଣ କରାଯାଇ ଅଣମୌସୁମୀ ସମୟରେ ହୀରାକୁଦକୁ ମହାନଦୀର ଜଳକୁ ଅବିଚାରିତ ଭାବେ ଅବରୋଧ କରାଯାଉଛି। କ୍ରମାଗତ ଭାବେ ହୀରାକୁଦ ଜଳଭଣ୍ଡାରକୁ ଅଣମୌସୁମୀ ସମୟେର ଜଳପ୍ରବାହ କମ୍‌ ହେବାରୁ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ, ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ଅତି କମ୍‌ରେ ୨ନିୟୁତ ଏକର ଫୁଟ ଜଳ ସୁନିଶ୍ଚିତ କରାଯାଉ। ପରବର୍ତ୍ତୀ ସମୟରେ ୨୦୧୬ରେ ମୁଖ୍ୟମନ୍ତ୍ରୀ ମହାନଦୀର ସ୍ଥିତାବସ୍ଥା ବଜାୟ ରଖିବା ପାଇଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦାବି କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହାପରେ କୌଣସି ସୁଫଳ ନମିଳିବାରୁ ରାଜ୍ୟ ସରକାରଙ୍କ ଦ୍ବାରା ୧୯୫୬ ଅଧିନିୟମ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଠାରେ ଏକ ବୈଧାନିକ ଅଭିଯୋଗ ଦାଖଲ କରି ଟ୍ରିବ୍ୟୁନାଲ ଗଠନ କରିବାକୁ ଦାବି କରାଯାଇଥିଲା। ଏହାପରେ ବି କେନ୍ଦ୍ର ସରକାର କୌଣସି ଜବାବ୍‌ ‌ନଦେବାରୁ ରାଜ୍ୟ ସରକାର ବାଧ୍ୟହୋଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ଆଦେଶକ୍ରମେ ମାର୍ଚ୍ଚ ୧୨, ୨୦୧୮ରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ କଲେ। ଏହାର କାର୍ଯ୍ୟକାଳ ୩ବର୍ଷ ପାଇଁ ଥିବାବେଳେ ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟକାଳକୁ ଆଉ ଦୁଇ ବର୍ଷ ବଢ଼ାଯାଇଥିଲା। ଏବେ ଏହାକୁ ଡ‌ିସେମ୍ବର ୧୪, ୨୦୨୪ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଛି। ରାଜ୍ୟ ସରକାର ଦେଶର ପ୍ରଖ୍ୟାତ ବୈଷୟିକ ବିଶାରଦମାନଙ୍କୁ ସାକ୍ଷୀ ହିସାବରେ ନିଯୁକ୍ତ କରିବା ସହ ବରିଷ୍ଠ ଆଇନଜୀବୀମାନଙ୍କ ସହାୟତାରେ ଟ୍ରିବ୍ୟୁନାଲରେ ନିଜର ଦାବି ଉପସ୍ଥାପନ କରୁଛନ୍ତି।

ଟ୍ରିବ୍ୟୁନାଲଙ୍କ ଗତ ଶୁଣାଣିର ନିର୍ଦ୍ଦେଶ ଅନୁଯାୟୀ, ଟ୍ରିବ୍ୟୁନାଲ ଛତିଶଗଡ଼ରେ ମହାନଦୀ ଅବବାହିକାର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବା ପାଇଁ ନିର୍ଦ୍ଧାରଣ କରିଛନ୍ତି। ଏହାର ପ୍ରଥମ ପର୍ଯ୍ୟାୟ ଆସନ୍ତା ଏପ୍ରିଲ ୧୮ରୁ ଏପ୍ରିଲ ୨୩ ଏବଂ ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ ୨୯ରୁ ମେ ୩ ପର୍ଯ୍ୟନ୍ତ ଛତିଶଗଡ଼ର ମହାନଦୀ ଅବବାହିକା ତଳମୁଣ୍ଡ ପରିଦର୍ଶନ କରିବା ପାଇଁ ସ୍ଥିର କରିଛନ୍ତି। ଏହାପରେ ଓଡ଼ିଶାରେ ମହାନଦୀ ଅବବାହିକା କ୍ଷେତ୍ର ପରିଦର୍ଶନ ପାଇଁ ସମୟ ସୂଚୀ ସ୍ଥିର କରାଯିବ।

ସମ୍ବନ୍ଧିତ ଖବର