ବିକାଶ ଜେନା ହତ୍ୟାକାଣ୍ଡ ଘଟଣା : ପାଲଟା ଜବାବ ରଖିଲା ବିଜେଡି

ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତାଙ୍କ ସହ ଫେରାର୍‌ ଅଭିଯୁକ୍ତଙ୍କ ଫଟୋ ଦେଖାଇଲେ

ମାହାଙ୍ଗା : ମାହାଙ୍ଗା ବ୍ଲକ୍‌ ବିକାଶ ଜେନା ହତ୍ୟାକାଣ୍ଡ ଘଟଣାରେ ବିଜେଡି ଆଜି ପାଲଟା ଜବାବ ରଖିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନିଜେ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଥିବାବେଳେ ବିଜେଡି ସରକାର ବିରୋଧରେ ଆଙ୍ଗୁଳି ଉଠାଇବା ହାସ୍ୟାସ୍ପଦ ବୋଲି କହିଛି। ଏଥିସହିତ, ମାହାଙ୍ଗା ଗସ୍ତରେ ଆସିଥିବା ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ସହିତ ବହୁ ସଂଗିନ ମାମଲାରେ ସଂପୃକ୍ତ ସାଲେପୁର ବିଜେପି ପ୍ରଭାରି କୁଳମଣି ବରାଳ ଏବଂ ନୁର୍ତ୍ତାଙ୍ଗ ସମିତି ସଭ୍ୟ ରମାକାନ୍ତ ବରାଳ ଉପସ୍ଥିତିର ଫଟୋ ଦେଖାଇ ଘଟଣାର ନିନ୍ଦା କରିଛି। କୁଳମଣି ଏବଂ ରମାକାନ୍ତଙ୍କ ବିରୋଧରେ ୨୦୧୩ରୁ ୨୦୧୯ ମଧ୍ୟରେ ୨୦ରୁ ଅଧିକ ମାମଲା ରହିଛି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି।

ଆଜି ଗୌଡ଼ପଡା ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବ୍ଲକ୍ ବିଜେଡି ସଭାପତି ରାଜକିଶୋର ଜେନା ଓ ବ୍ଳକ୍ ଅଧ୍ୟକ୍ଷ ଶରତ ନାୟକ ଉପସ୍ଥିତ ରହି ବିରୋଧୀ ଦଳ ନେତାଙ୍କ ସହ ଅଭିଯୁକ୍ତଙ୍କ ଫଟୋ ଦେଖାଇ ସେମାନଙ୍କର ଗିରଫ ଦାବି କରିଥିଲେ। ଅଭିଯୁକ୍ତଙ୍କୁ ସାଙ୍ଗରେ ଧରି ବୁଲୁଥିବା ବିରୋଧୀ ଦଳ ନେତା ମାହାଙ୍ଗାକୁ ଆସି ଅନ୍ୟ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବି କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଉଭୟ ଶ୍ରୀ ଜେନା ଓ ଶ୍ରୀ ନାୟକ କହିଥିଲେ। ଏଥିସହିତ ନୁର୍ତ୍ତାଙ୍ଗ ବିକାଶ ହତ୍ୟା ଘଟଣାରେ ଗିରଫ ହୋଇଥିବା ନିର୍ଦ୍ଦୋଷଙ୍କୁ ତୁରନ୍ତ ଖଲାସ କରାଯାଉ ବୋଲି ଦାବି କରିଥିଲେ।

ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖ ଦିନ ମାହାଙ୍ଗା ବ୍ଲକ୍ ନୁର୍ତ୍ତାଙ୍ଗ ଗ୍ରାମକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ ବିଜେପିର ବହୁ ଦଳୀୟ ନେତା ଯିବା ସହ ହତ୍ୟାକାଣ୍ତରେ ଶିକାର ହୋଇଥିବା ବିକାଶ ଜେନାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିଥିଲେ। ସେହିଦିନ ଗୌଡ଼ପଡା ଡାକବଙ୍ଗଳାଠାରେ ଏକ ସାମ୍ବାଦିକ ସମ୍ମଳିନୀରେ ବିରୋଧୀ ଦଳ ନେତା ଶ୍ରୀ ନାୟକ ମାହାଙ୍ଗା ଅଞ୍ଚଳରେ ହେଉଥିବା ବିଭିନ୍ନ ଦୁର୍ନୀତି ଓ ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ସମ୍ବନ୍ଧିତ ଖବର