ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲା : ୪୮ ଘଣ୍ଟା ପରେ ବି ହାତ ଖାଲି

ସନ୍ଦେହ ଘେରରେ ପୁଲିସ

ଡ‌ିସେମ୍ବର ୨୭ ରାତିରେ ଘଟିଥିଲା ଗଣ୍ଡଗୋଳ
ଥାନାରେ ମାମଲା ସତ୍ତ୍ବେ ହାତ ବାନ୍ଧି ବସିଥିଲା ପୁଲିସ

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସଂପର୍କୀୟ ଦିବ୍ୟସିଂହ ବରାଳଙ୍କୁ ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିବା ଘଟଣାକୁ ୪୮ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ପୁଲିସ ହାତ ଏବେ ବି ଖାଲି। ଏହାକୁ ନେଇ ପ୍ରତିକ୍ରିୟା ତ ବଢୁଛି, ତା’ସହିତ ବିଜେପି ପକ୍ଷରୁ ବିକ୍ଷୋଭ ଧାରଣା, ପ୍ରତିବାଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ପୁଲିସର ନିଷ୍କ୍ରିୟତା ଯୋଗୁଁ ଯେ ଏଭଳି ହତ୍ୟାକାଣ୍ଡ ଘଟିଛି, ତାହା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ପୁଲିସ କାହା ଚାପରେ ପଡି ଏଭଳି ନିଷ୍କ୍ରିୟ ରହିଛି ନା ନିଜର ଅପାରଗତା ଦର୍ଶାଇଛି, ତାହା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି।

ଜାନୁଆରି ୨ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିବାର ୭ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର ୨୭ ତାରିଖରେ ନୁର୍ତ୍ତାଙ୍ଗ ଓ ଯଁକୋଟୀ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏହାର ପରଦିନ ଅର୍ଥାତ୍‌ ଡିସେମ୍ବର ୨୮ତାରିଖରେ ଉଭୟ ପକ୍ଷ ଏ ନେଇ ଥାନାରେ ଅଭିଯୋଗ କରିବାପରେ ମାମଲା ରୁଜୁ ହୋଇଥିଲା। ମାତ୍ର ପୁଲିସ ମାମଲା ରୁଜୁ କରି ଚୁପ୍‌ ବସି ଯାଇଥିଲା। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିବା ସହ ପରସ୍ପର ଉପରେ ଆକ୍ରମଣ ଉଦ୍ୟମ କରାଯାଇଥିଲା। ଏହାର ଫଳସ୍ବରୂପ ରାସ୍ତାରେ ଦୁଇ ଦୁଇଟି ମୁଣ୍ଡ ଗଡ଼ିଲା। ପୁଲିସ ଉଭୟ ପକ୍ଷଙ୍କ ଏତଲା ଭିତ୍ତିରେ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ ହୁଏତ ଏଭଳି ଅଭାବନୀୟ ଘଟଣାକୁ ଏଡାଇ ଦିଆଯାଇ ପାରିଥାନ୍ତା ବୋଲି ମତପ୍ରକାଶ ପାଇଛି।

ସୂଚନା ଅନୁଯାୟୀ ଡିସେମ୍ବର ୨୭ ତାରିଖ ରାତି ପ୍ରାୟ ୧୦ଟାରେ କୁଳମଣି ବରାଳଙ୍କ ଘର ସାମନାରେ ତାଙ୍କ ପୁଅ ଓ ସାଙ୍ଗମାନେ କଥା ହେଉଥିଲେ। ଏହି ସମୟରେ ଯଁକୋଟୀ ଗ୍ରାମର ପଞ୍ଚାନନ ସେଠୀ, ସୁଧାଂଶୁ ସେଠୀ, ସନ୍ତୋଷ ପାଣି, କୈଳାସ ଚନ୍ଦ୍ର ଖଟୁଆ, ଉମେଶ ଖଟୁଆ, ଅରୁଣ ଖଟୁଆ, ନୁର୍ତ୍ତାଙ୍ଗ ଗ୍ରାମର ଲଳିତ ବରାଳ, ବିଜୟ ବରାଳ, କ୍ଷୀତିଶ ଆଚାର୍ଯ୍ୟ, ଉମାକାନ୍ତ ସ୍ବାଇଁ, ପ୍ରଫୁଲ୍ଲ ବିଶ୍ବାଳଙ୍କ ସମେତ ୨୦ରୁ ୨୫ ଲୋକ ମାରଣାସ୍ତ୍ର ଧରି ବାଇକ୍‌ରେ ଆସି ଗାଳିଗୁଲଜ କରିବା ସହ ସେମାନଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ। ଏ ସଂପର୍କରେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଅଭିଯୋଗ କରିଥିଲେ।

ଅନ୍ୟପଟେ, ଯଁକୋଟି ଗ୍ରାମର ବିଧବା ମହିଳା ମାତାଜୀ ସେଠୀ ମଧ୍ୟ ଥାନାରେ ଅନ୍ୟ ଏକ ଅଭିଯୋଗ କରିଥିଲେ। ମାତାଜୀଙ୍କ ଅଭିଯୋଗ ମୁତାବକ, ସେହି ୨୭ ତାରିଖ ରାତି ୧୧ଟାରେ ନୁର୍ତ୍ତାଙ୍ଗ ଗ୍ରାମର କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ, ରଂଜିତ ବରାଳ, ମନୋରଂଜନ ମହାପାତ୍ର, ରବୀନ୍ଦ୍ର ବେହେରା, ଗଣେଶ୍ବର ସାହୁ ପ୍ରମୁଖ ଠେଙ୍ଗା ଓ ଖଣ୍ଡା ଧରି ତାଙ୍କ ବାସଗୃହରେ ପହଞ୍ଚି ପୁଅ ପଞ୍ଚାନନଙ୍କୁ ଖୋଜିଥିଲେ। ଏହାପରେ ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ତାଙ୍କ ଘର କବାଟ ବାଡ଼େଇ ଭାଙ୍ଗି ଭିତରେ ପଶିବା ସହ ଖଟରେ ଶୋଇଥିବା ସାନପୁଅ ଚୈତନ୍ୟ ସେଠୀଙ୍କୁ ମାଡ଼ ମାରି ପଦାକୁ ଟାଣି ଆଣିଥିଲେ। ତାକୁ ଏକ ଦଉଡ଼ିରେ ବାନ୍ଧି ଏକ ଗାଡ଼ିରେ ନେଇ ଯାଇଥିଲେ। ଏହି ସମୟରେ ତାଙ୍କ ଘରକୁ ପେଟ୍ରୋଲ ପକାଇ ପୋଡ଼ି ଦେବାକୁ ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଥିଲା। ଏହି ଘଟଣାକୁ ନେଇ ଉଭୟପକ୍ଷ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। କିନ୍ତୁ ପୁଲିସ ଘଟଣାରେ ଜଣକୁ ବି ଗିରଫ କରି ପାରି ନଥିଲା।

ଏହି ଦୁଇ ପରସ୍ପର ବିରୋଧୀ ଗୋଷ୍ଠୀ ମଧ୍ୟରେ ବିବାଦ ୨୦୧୭ ପଂଚାୟତ ନିର୍ବାଚନ ବେଳଠାରୁ ଲାଗି ରହିଛି। ୨୦୧୮ ଡିସେମ୍ବର ୧୩ ତାରିଖରେ ସ୍ଥାନୀୟ ବିଜେପି ନେତା ବିକାଶ ଯେନାଙ୍କୁ ହତ୍ୟା କରାଯାଇଥିଲା। ସେହି ଘଟଣାରେ ମାତ୍ର ଦୁଇ ଜଣଙ୍କୁ ଗିରଫ କରାଯାଇଥିଲେ ବି ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ପ୍ରମୁଖ ସହଯୋଗୀମାନେ ଏବେ ବି ଫେରାର ଅଛନ୍ତି। ପୁଲିସ ସେମାନଙ୍କୁ ଜାଣିଶୁଣି ଗିରଫ କରୁ ନଥିବା ଅଭିଯୋଗ ହୋଇ ଆସିଛି। ଏବେ କୁଳମଣି ଓ ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡରେ ବି ପୁଲିସ ୪୮ ଘଣ୍ଟା ଭିତରେ ୧୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ବି ଗିରଫ କରି ନ ପାରିବା ଘଟଣା ଉତ୍ତେଜନାର କାରଣ ହୋଇଛି।

କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଏବେ ତଦନ୍ତ ଦାୟିତ୍ବରେ ଥିବା ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଉକ୍ତ ଅଧିକାରୀଙ୍କ ସମୟରେ ତାଙ୍କ ନାଁରେ ଅନେକ ମିଥ୍ୟା ମାମଲା ରୁଜୁ କରାଯାଇଥିଲା। ପୁଣି ତାଙ୍କ ନେତୃତ୍ବରେ ତଦନ୍ତରୁ କୌଣସି ଫଳ ମିଳିବା ଆଶା ବୃଥା।

ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତ ସମସ୍ତ ହତ୍ୟାକାରୀଙ୍କୁ ଗିରଫ, ମାହାଙ୍ଗା ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏତଲାରେ ରହିଥିବାରୁ ତାଙ୍କୁ ବହିଷ୍କାର ତଥା ଗିରଫ ଦାବିରେ ଆଜି କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ବରେ ବି‌କ୍ଷୋଭ ପ୍ରଦର୍ଶନ କରାଯାଇଛି। ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ, ଜିଲ୍ଲା ସଭାପତି ପ୍ରକାଶ ବେହେରା, ମାହାଙ୍ଗା ଯୁବନେତା ସାରଦା ପ୍ରଧାନ, ପୂର୍ବତନ ସମିତିସଭ୍ୟ ପୁର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବିଜେପିର ନେତୃମଣ୍ଡଳୀ ମୃତ କୁଳମଣି ବରାଳଙ୍କ ଘରେ ପହଞ୍ଚି ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ହରିଚନ୍ଦନ କହିଛନ୍ତି ଯେ ଏଭଳି ଦୁଇ ଜଣ ବରିଷ୍ଠ ତଥା ବୟୋଜ୍ୟେଷ୍ଠ ନେତାଙ୍କୁ ବର୍ବରୋଚିତ ଭାବେ ହତ୍ୟା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ହତ୍ୟାକାଣ୍ଡ ଓଡିଶା ରାଜନୀତିରେ ପ୍ରଥମ। ଏଥିରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ସଂପୃକ୍ତି ରହିଥିବା ଘଟଣା ଏଫ୍‌ଆଇଆରରେ ରହିଛି। ଶାସକଦଳର ଲୋକ ଏଭଳି ଘଟଣା ଘଟାଉଥିବା ବେଳେ ପୁଲିସ ତାଙ୍କୁ ଘଣ୍ଟ ଘୋଡାଉଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି। ପୁଲିସ ଏହି ଷଡ଼୍‌ଯନ୍ତ୍ରରେ ସାମିଲ ହୋଇଛି। ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେପିର ସଂଘର୍ଷ ଜାରି ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର