କଟକ/ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ଥାନା ସମ୍ମୁଖରେ ଗତ ୧୬ ତାରିଖ ନିଜ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିବା ଆନନ୍ଦପୁର ପଞ୍ଚାୟତ ଖର୍ତ୍ତାଙ୍ଗ ଗ୍ରାମର ଶଙ୍କର ଦାସଙ୍କ ପତ୍ନୀ ରଶ୍ମିତା ଦାସ (୩୪) ୬ ଦିନର ସଂଘର୍ଷ ପରେ ଆଜି ପ୍ରାଣ ହରାଇଛନ୍ତି। ସ୍ବାମୀଙ୍କୁ ମିଥ୍ୟା ଚୋରି ମାମଲାରେ ଫସା ଯାଇଥିବା ଏବଂ ଥାନା ଅଧିକାରୀ ଓ ମହିଳା ଏସ୍ଆଇ ତାଙ୍କୁ ନିର୍ଯାତନା ଦେବାରୁ ସେ ଏଭଳି ପଦକ୍ଷେପ ନେଇଥିବା ରଶ୍ମିତା ଅଭିଯୋଗ କରିଥିଲେ। ଅନ୍ୟପଟେ ଜେଲ୍ରେ ଥିବା ସ୍ବାମୀ ଆସିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଇ ଦିଆଯିବ ନାହିଁ ବୋଲି ଆଜି ପରିବାରବର୍ଗ ଅଡ଼ି ବସିଛନ୍ତି। ପୁଲିସ ସେମାନଙ୍କୁ ବୁଝାଇବାରେ ବିଫଳ ହୋଇଛି। ସ୍ବାମୀ ଜେଲ୍ରୁ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ରଶ୍ମିତାଙ୍କ ଭାଇ ଭଞ୍ଜକିଶୋର ବେହେରା କହିଛନ୍ତି।
ସୂଚନା ଅନୁଯାୟୀ, ମାହାଙ୍ଗା ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତ ଖର୍ତ୍ତାଙ୍ଗ ଗ୍ରାମର ଶଙ୍କର ଦାସଙ୍କୁ ଏକ ଚୋରି ମାମଲାରେ ଗତ ୧୫ ତାରିଖ ରାତିରେ ପୁଲିସ ଗିରଫ କରିଥିଲା। ୧୬ ତାରିଖ ତାଙ୍କ ପତ୍ନୀ ରଶ୍ମିତା ଦାସ ଥାନାରେ ପହଞ୍ଚି ଚୋରି ଘଟଣାରେ ସ୍ବାମୀ ସମ୍ପୃକ୍ତ ନ ଥିବା କହିବା ସହିତ ତାଙ୍କୁ ଛାଡ଼ିଦେବା ପାଇଁ ଗୁହାରି କରିଥିଲେ। କିନ୍ତୁ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ଓ ମହିଳା ଏସ୍ଆଇ ଇପ୍ସିତା ପ୍ରିୟଦର୍ଶିନୀ ଗୁହାରି ନ ଶୁଣି ତାଙ୍କୁ ନିର୍ଯାତନା ଦେଇଥିଲେ। ଫଳରେ ମହିଳା ଜଣକ ଥାନା ସମ୍ମୁଖରେ ଦେହରେ ପେଟ୍ରୋଲ୍ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ତୁରନ୍ତ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ରଶ୍ମିତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଘଟଣାର ୫ ଦିନ ପରେ ବି ତଦନ୍ତ ମନ୍ଥର ଗତିରେ ଚାଲିଥିବା ନେଇ ଗତକାଲି ରଶ୍ମିତାଙ୍କ ଭାଇ ଭଞ୍ଜକିଶୋର ବେହେରା ଅଭିଯୋଗ କରିଥିଲେ। ଏହା ପୂର୍ବରୁ ରଶ୍ମିତାଙ୍କ ବାପା ଧୀରେନ୍ଦ୍ର ବେହେରା ଝିଅର ଏଭଳି ସ୍ଥିତି ପାଇଁ ମାହାଙ୍ଗା ଥାନା ଅଧିକାରୀ ବିଜୟ ମଲିକ, ମହିଳା ଏସ୍ଆଇ ଇପ୍ସିତା ପ୍ରିୟଦର୍ଶିନୀ ଓ ଅନ୍ୟ କର୍ମଚାରୀ ଦାୟୀ ବୋଲି ଗତ ୧୯ ତାରିଖ ସାଲେପୁର ଏସ୍ଡିପିଓଙ୍କ ନିକଟରେ ଏବଂ ଆଜି ସକାଳେ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ। ରଶ୍ମିତାଙ୍କ ସ୍ବାମୀ ଶଙ୍କର ଏବେ ଜେଲ୍ରେ ଥିଲା ବେଳେ ଛୋଟଛୋଟ ପୁଅଝିଅ ମାମୁଘର ଛୋଟିପଡ଼ାରେ ଅଛନ୍ତି। ଏ ସମ୍ପର୍କରେ କଟକ ଗ୍ରାମାଞ୍ଚଳ ଏସ୍ପି ଏଲ୍. ବିଦ୍ୟା କହିଛନ୍ତି ଯେ ଘଟଣାର ତଦନ୍ତ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।