ମାହାଙ୍ଗା ଡବଲ ମର୍ଡର ଘଟଣା: ପୁଣି କଠୋର ହେଲେ ଅଦାଲତ, ତୁରନ୍ତ ସିଡିଆର ସଂଗ୍ରହ ପାଇଁ ନିର୍ଦ୍ଦେଶ

ପୁଲିସ ମାଗିଲା ମାସେ ସମୟ, ନଭେମ୍ବର ୨୯ ପର୍ଯ୍ୟନ୍ତ ମିଳିଲା ମହଲତ

କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଣିଥରେ କଠୋର ମନୋଭାବ ପୋଷଣ କରିଛନ୍ତି ଅଦାଲତ। ପୁଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି। ଅଦାଲତଙ୍କ ୨୦୨୧, ଅଗଷ୍ଟ ୨୫ ଓ ନଭେମ୍ବର ୧୮ର ନିର୍ଦ୍ଦେଶ ପରେ ମଧ୍ୟ ପୁଲିସ ଅଧିକ ତଦନ୍ତ ସଂପର୍କିତ ରିପୋର୍ଟ ଦାଖଲ କରୁନାହିଁ। ପୁଣି ଅଧିକ ସମୟ ପାଇଁ ପ୍ରାର୍ଥନା କରୁଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସଂପର୍କରେ ଏକମାସ ଅଧିକ ସମୟ ଲୋଡ଼ି ଦାଖଲ କରାଯାଇଥିବା ପୁଲିସର ପିଟିସନରେ କିଛି ଉଲ୍ଲେଖ କରାଯାଇନାହିଁ। ଏଭଳି ଘଟଣା ସ୍ପଷ୍ଟ ହେବାପରେ ଅଦାଲତ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରି ନଭେମ୍ବର ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତ ନଭେମ୍ବର ୨୯ ତାରିଖ ସୁଦ୍ଧା ଅପ୍-ଟୁ-ଡେଟ୍ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ସଂପର୍କରେ ତଥ୍ୟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ନିର୍ଦ୍ଦେଶ ଅନୁସାରେ ମୋବାଇଲ୍ ଫୋନ୍ ତଥ୍ୟ (ସିଡିଆର୍) ସଂଗ୍ରହ ଓ ସଂରକ୍ଷଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ ଲାଗି ପୁଣି ତଦନ୍ତକାରୀ ଅଧିକାରୀଙ୍କୁ ଅଦାଲତ ଆଦେଶ ଦେଇଛନ୍ତି।

ଗତ ୨୫ରେ ଅଦାଲତରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ମାହାଙ୍ଗା ଥାନାର ତଦନ୍ତକାରୀ ଅଧିକାରୀ ତଥା ଆଇଆଇସିଙ୍କ ତରଫରୁ ଏକ ପିଟିସନ୍ ଦାଖଲ କରାଯାଇଥିଲା। ଯେଉଁଥିରେ ଅଧିକ ତଦନ୍ତ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ଏକ ମାସ ସମୟ ପ୍ରଦାନ କରାଯାଉ ବୋଲି ଦର୍ଶାଯାଇଥିଲା। ତଦନ୍ତକାରୀ ଅଧିକାରୀ ନିଜେ ବ୍ୟକ୍ତିଗତ ଭାବେ ଅଦାଲତରେ ଉପସ୍ଥିତ ରହି ଦର୍ଶାଇଥିଲେ ଯେ ସେ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ ସହିତ ଆଇନଶୃଙ୍ଖଳା ରକ୍ଷା ଓ ଅନ୍ୟାନ୍ୟ ଦାୟିତ୍ବ ନିର୍ବାହରେ ବ୍ୟସ୍ତ। ‌‌‌‌ଯେଉଁଥିପାଇଁ ଏହି ମାମଲାର ତଦନ୍ତ ସଂପୂର୍ଣ୍ଣ ହୋଇପାରିନାହିଁ। ଏଭଳି ସ୍ଥିତି‌ରେ ଅଧିକ ତଦନ୍ତ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ପ୍ରଦାନ କରାଯାଉ ବୋଲି ତଦନ୍ତକାରୀ ଅଧିକାରୀଙ୍କ ତରଫରୁ ଦର୍ଶାଯାଇଥିଲା। କିନ୍ତୁ ଅଦାଲତ ଆସନ୍ତା ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅପ୍-ଟୁ-ଡେଟ୍ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ସଂପର୍କରେ ତଥ୍ୟ ଦାଖଲ ପାଇଁ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଚାର୍ଜସିଟ୍‌ରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ବାଦ୍‌ ଘଟଣାକୁ ନେଇ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ଦାଖଲ ହୋଇଥିଲା। ମନ୍ତ୍ରୀ ପ୍ରତାପ ଜେନାଙ୍କର ଏହି ହତ୍ୟା ଷଡ଼୍‌ଯନ୍ତ୍ର ପଛରେ ହାତ ରହିଛି ଏବଂ ସିଡିଆର ଯାଞ୍ଚରୁ ତଥ୍ୟ ସାମ୍‌ନାକୁ ଆସିବ ବୋଲି ଦର୍ଶାଇ ରମାକାନ୍ତ ଅଦାଲତରେ ଆବେଦନ କରିଥିଲେ। ଗତ ଅଗଷ୍ଟ ୨୫ରେ ଅଦାଲତ ପିଟିସନର ଶୁଣାଣି କରି ଘଟଣାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତ୍ବରିତ୍‌ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଅଦାଲତଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅଧିକ ତଦନ୍ତ କରି ପୁଲିସ ରିପୋର୍ଟ ଦାଖଲ କରି ନଥିଲା। ଏହି ପ୍ରସଂଗରେ ରମାକାନ୍ତ ବରାଳଙ୍କ ପକ୍ଷରୁ ଅଦାଲତରେ ପୁଣି ପିଟିସନ୍ ଦାଖଲ କରାଯାଇଥିଲା। ନଭେମ୍ବର ୧୮ରେ ଅଦାଲତ ପିଟିସନର ଶୁଣାଣି କରି ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ନଭେମ୍ବର ୨୫ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ, ସାନି କେସ୍ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ବାପି ବିଶ୍ବାଳ, ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଏବଂ ପ୍ରାଣ ହରାଇଥିବା ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ତଥ୍ୟ (ସିଡିଆର୍) ସଂଗ୍ରହ ପରେ ତାହାକୁ ସଂରକ୍ଷିତ କରି ରଖିବାକୁ ଅଦାଲତ କହିଥିଲେ। ଡିସେମ୍ବର ୨୦୨୦ରୁ ଫେବ୍ରୁଆରି ୨୦୨୧ ପର୍ଯ୍ୟନ୍ତ ଉକ୍ତ ୩ଜଣଙ୍କ ସମେତ ମାମଲାର ପ୍ରମୁଖ ସାକ୍ଷୀ ଓ ସମସ୍ତ ଅଭିଯୁକ୍ତଙ୍କ ସିଡିଆର ସଂଗ୍ରହ କରି ସଂରକ୍ଷିତ ରଖିବା ପାଇଁ ଅଦାଲତ ମାହାଙ୍ଗା ଥାନା ଅଧିକାରୀଙ୍କୁ ଗତ ୧୮ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର