ମାହାଙ୍ଗା ଡବଲ ମର୍ଡର ଘଟଣା: ଶୀଘ୍ର ତଦନ୍ତ ସାରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

୨ ଅଭିଯୁକ୍ତଙ୍କୁ ଜେରା ଅନୁମତି ‌ଆବେଦନ ଅଦାଲତରେ ଖାରଜ

କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାର ତ୍ବରିତ୍‌ ତଦନ୍ତ ପାଇଁ ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ଏହି ଘଟଣାରେ ଗିରଫ ହୋଇ ସାଲେପୁର ସବ୍‌ଜେଲରେ ଥିବା ଦୁଇ ଅଭିଯୁକ୍ତ ଭିକାରି ସ୍ବାଇଁ ଓ କ୍ଷୀତିଶ କୁମାର ଆଚାର୍ଯ୍ୟଙ୍କୁ ଜେରାପାଇଁ ଅନୁମତି ଲୋଡ଼ି ତଦନ୍ତକାରୀ ଅଧିକାରୀ ତଥା ମାହାଙ୍ଗା ଥାନା ଆଇଆଇସି ଦାଖଲ କରିଥିବା ଆବେଦନକୁ ଖାରଜ କରିଛନ୍ତି।

ତଦନ୍ତକାରୀ ଅଧିକାରୀ ଆବେଦନରେ ଦର୍ଶାଇଥିଲେ, ଭିକାରି ଓ କ୍ଷିତିଶଙ୍କ ସହିତ ବାପି ବିଶ୍ବାଳଙ୍କ ଫୋନରେ କଥାବର୍ତ୍ତା ସଂପର୍କରେ ତଥ୍ୟ ମିଳିଛି । ଏଥିସହିତ ଭିକାରି ଓ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ବ୍ୟବହାର କରୁଥିବା ଫୋନ୍‌ରେ କଲ୍ ହୋଇଥିଲା। ପ୍ରାଣ ହରାଇଥିବା ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ସହିତ ବାପି ବିଶ୍ବାଳ ଓ ଶରତ ନାୟକ ଫୋନ୍‌ ଯୋଗାଯୋଗରେ ଥିବା ସିଡିଆର ( ମୋବାଇଲ୍ ଫୋନ୍ ତଥ୍ୟ) ଯାଞ୍ଚରୁ ଜଣାପଡ଼ିଥିଲା । ଏଭଳି ସ୍ଥିତିରେ ସା‌ଲେପୁର ସବ୍‌-ଜେଲ୍‌ରେ ଥିବା ଭିକାରି ସ୍ବାଇଁ ଓ କ୍ଷିତିଶ ଆଚାର୍ଯ୍ୟଙ୍କୁ ପଚରାଉଚୁରା ପାଇଁ ଆବଶ୍ୟକ ଅନୁମତି ପ୍ରଦାନ କରାଯାଉ ବୋଲି ତଦନ୍ତକାରୀ ଅଧିକାରୀ ପ୍ରାର୍ଥନା କରିଥିଲେ। ଏ ନେଇ ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ଜାନୁଆରି ୧୧ରେ ଅଦାଲତରେ ଆବେଦନ କରାଯାଇଥିଲା। ଏଥିସହିତ ଜାନୁଆରି ୧୧ରେ ତଦନ୍ତକାରୀ ଅଧିକାରୀ ଅଦାଲତରେ କେସ୍ ଡାଏରି ଦାଖଲ କରିଥିଲେ। ଫୌଜଦାରୀ କାର୍ଯ୍ୟବିଧି ସଂହିତା (ସିଆରପିସି)ର ଧାରା ୧୬୧ରେ ରେକର୍ଡ କରାଯାଇଥିବା କେତେକ ସାକ୍ଷୀଙ୍କ ବୟାନର କପି ତଦନ୍ତକାରୀ ଅଧିକାରୀ ଅଦାଲତରେ ଦାଖଲ କରିଥିଲେ। ମାତ୍ର, ଦୁଇ ଅଭିଯୁକ୍ତ ଏବେ ସାଲେପୁର ଜେଏମ୍‌ଏଫ୍‌ସି ଅଦାଲତ ଅଧୀନ ବିଚାରବିଭାଗୀୟ ହାଜତରେ ନାହାନ୍ତି। ଏଭଳି ସ୍ଥିତିରେ ତଦନ୍ତକାରୀ ଅଧିକାରୀଙ୍କ ପ୍ରାର୍ଥନାକୁ ଜେଏମ୍‌ଏଫ୍‌ସି ଅଦାଲତ ଖାରଜ କରିବା ସହିତ ଉପଯୁକ୍ତ ଅଦାଲତରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ମଧ୍ୟ ସାଲେପୁର ଜେଏମଏଫସି ଅଦାଲତରେ ଏକ ଆବେଦନ ଦାଖଲ କରାଯାଇ ପ୍ରମାଣ ନଷ୍ଟ ହେବାର ଆଶଙ୍କା ରହିଥିବା ଦର୍ଶାଯାଇଥିଲା। ଶ୍ରୀ ବରାଳଙ୍କ ଆବେଦନ ଉପରେ ସରକାରଙ୍କ ପକ୍ଷରୁ ଆପତ୍ତି ଦାଖଲ କରାଯାଇ ତଦନ୍ତକାରୀ ଅଧିକାରୀଙ୍କ ତରଫରୁ ସିଡିଆର ସଂଗ୍ରହ ଓ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଇଛି ଏବଂ ଅଧିକ ତଦନ୍ତ ସଂପର୍କିତ ରିପୋର୍ଟ ଦାଖଲ ବେଳେ ଏହା ଅଦାଲତରେ ଦାଖଲ କରାଯିବ ବୋଲି ଦର୍ଶାଯାଇଥିଲା। ଏହାର ବିଚାରକରି ତ୍ବରିତ ତଦନ୍ତ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଅଦାଲତ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସିଆରପିସିର ଧାରା ୧୭୩(୮)ରେ ଯଥା ଶୀଘ୍ର ଅଧିକ ତଦନ୍ତ ସଂପର୍କିତ ରି‌ପୋର୍ଟ ଦାଖଲ କରିବାକୁ ଅଦାଲତ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଶ୍ରୀ ବରାଳଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର