ମାହାଙ୍ଗା ଡବଲ ମର୍ଡର ମାମଲା: ତଦନ୍ତ ପ୍ରକ୍ରିୟାକୁ ନେଇ ଅଦାଲତ କ୍ଷୁବ୍ଧ

କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ତଦନ୍ତ ପ୍ରକ୍ରିୟାକୁ ନେଇ ଅଦାଲତ କ୍ଷୁବ୍ଧ ହେବାସହିତ ସାନି ଷ୍ଟାଟସ୍‌ ରି ପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଏଭଳି ପ୍ରସଙ୍ଗକୁ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ତଦନ୍ତକାରୀ ଅଧିକାରୀ ତଥା ମାହାଙ୍ଗା ଥାନା ଅଧିକାରୀଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ତଦନ୍ତ ଶେଷକରିବା କ୍ଷେତ୍ରରେ ବିଳମ୍ବର କାରଣ ସଂପର୍କରେ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍ ୨୦ ସୁଦ୍ଧା ଅପ୍-ଟୁ-ଡେଟ୍ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ସଂପର୍କରେ ଷ୍ଟାଟସ ରିପୋର୍ଟ ଦାଖଲ କରିବେ ତଦନ୍ତକାରୀ ଅଧିକାରୀ। ଏଥିସହିତ, ବିଳମ୍ବିତ ତଦନ୍ତ ନିର‌ପେକ୍ଷ ଶୁଣାଣି ପ୍ରକ୍ରିୟାର ପରିପନ୍ଥୀ ବୋଲି ସାଲେପୁର ଜେଏମଏଫସି ଅଦାଲତ କହିଛନ୍ତି।

ଗତ ମେ ୨୨ରେ ଏତଲାକାରୀ ରମାକାନ୍ତ ବରାଳ ଏକ ପିଟିସନ୍ ଦାଖଲ କରି ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ପ୍ରାର୍ଥନା କରିଥିଲେ। ତଦନ୍ତ ପ୍ରକ୍ରିୟାରେ ଶିଥିଳତା ଅଭିଯୋଗ କରି ଦାଖଲ ପିଟିସନରେ ଉଲ୍ଲେଖ କରାଯାଇଥିଲା ଯେ ୨୦୨୨, ଜାନୁଆରି ୧୧ରୁ ଏ ପର୍ଯ୍ୟନ୍ତ ତଦନ୍ତକାରୀ ଅଧିକାରୀ ଅଧିକ ତଦନ୍ତ ନେଇ କୌଣସି ରିପୋର୍ଟ ଦାଖଲ କରିନାହାନ୍ତି। ୨୦୨୧, ଅଗଷ୍ଟ ୨୫ର ଅଧିକ ତଦନ୍ତ ସଂପର୍କିତ ନିର୍ଦ୍ଦେଶ ପାଳନ କରାଯାଇ ନାହିଁ। ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ଭିକାରି ସ୍ବାଇଁ ଓ କ୍ଷୀତିଶ ସ୍ବାଇଁଙ୍କୁ ଜେରା ପାଇଁ ତଦନ୍ତକାରୀ ଅଧିକାରୀ କରିଥିବା ପ୍ରାର୍ଥନାକୁ ୨୦୨୨, ଜାନୁଆରି ୧୧ରେ ଅଦାଲତ ଖାରଜ କରିଥିଲେ। କାରଣ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଏବେ ମାମଲା ଅତିରିକ୍ତ ଦୌରାଜଜ୍ ଅଦାଲତରେ ବିଚାରାଧୀନ ରହିଛି। ମାମଲାର ଶୁଣାଣି ସମୟରେ ରେକର୍ଡରୁ ସ୍ପଷ୍ଟ ହୋଇଥିଲା ଯେ ଗିରଫ ହୋଇ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିବା ଏହି ଅଭିଯୁକ୍ତମାନଙ୍କୁ ଜେରା ପାଇଁ ଅନୁମତି ଲୋଡି ତଦନ୍ତକାରୀ ଅଧିକାରୀ ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଆବେଦନ କରିଛନ୍ତି। ତଦନ୍ତକାରୀ ଅଧିକାରୀଙ୍କ ଏପରି ଆବେଦନ ଏବେ ବିଚାରାଧୀନ ରହିଛି। ଶ୍ରୀ ବରାଳଙ୍କ ତରଫରୁ ଦର୍ଶାଯାଇଥିଲା ଯେ ତ୍ବରିତ ତଦନ୍ତ କରା ନ ଗଲେ ପ୍ରମାଣ ନଷ୍ଟ ହେବାର ସମ୍ଭାବନା ରହିଛି। ତେଣୁ ତଦନ୍ତକାରୀ ଅଧିକାରୀଙ୍କୁ ଅଧିକ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଉ। ଶ୍ରୀ ବରାଳଙ୍କ ତରଫରୁ ଆଇନଜୀବୀ ପ୍ରବୀଣ କାନୁନଗୋ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର