କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାରେ କେସ୍ ଡାଏରି ସହିତ ତଦନ୍ତର ଷ୍ଟାଟସ ରିପୋର୍ଟ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ କରାଯାଇଛି। ସିଆରପିସିର ଧାରା ୧୬୧ରେ ରେକର୍ଡ କରାଯାଇଥିବା ୭ଜଣ ସାକ୍ଷୀଙ୍କ ବୟାନ ସହିତ ତଦନ୍ତର ସାନି ସ୍ଥିତି ସଂକ୍ରାନ୍ତରେ ସବିଶେଷ ତଥ୍ୟ ସାଲେପୁର ଏସ୍‌ଡିପିଓ ତଥା ମାମଲାର ତଦନ୍ତକାରୀ ଅଧିକାରୀ ଅଦାଲତରେ ଦାଖଲ କରିଛନ୍ତି। ଖୁବ୍‌ଶୀଘ୍ର ଘଟଣାର ତଦନ୍ତ ଶେଷ କରାଯାଇ ଚୂଡ଼ାନ୍ତ ଚାର୍ଜସିଟ ଦାଖଲ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଅଦାଲତରେ ଦର୍ଶାଇଛନ୍ତି। ତଦନ୍ତରେ ବିଳମ୍ବ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖି ତଦନ୍ତକାରୀ ଅଧିକାରୀ ଦର୍ଶାଇଛନ୍ତି ଯେ ମାହାଙ୍ଗା ଥାନା ଅଧିକାରୀ ପୂର୍ବରୁ ଘଟଣାର ତଦନ୍ତ କରୁଥିଲେ। ଇତିମଧ୍ୟରେ ମାହାଙ୍ଗା ଥାନା ଅଧିକାରୀଙ୍କ ବଦଳି ହୋଇସାରିଛି। ତେଣୁ ତଦନ୍ତରେ ବିଳମ୍ବ ହୋଇଛି। ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁସାରେ ଏସ୍‌ଡିପିଓ ଏବେ ଘଟଣାର ତଦନ୍ତ କରୁଛନ୍ତି ବୋଲି ଅଦାଲତରେ ଦାଖଲ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଏହି ଡବଲ ମର୍ଡର ଘଟଣାରେ ଗିରଫ ହୋଇ ଜେଲ୍‌ରେ ଥିବା ଅଭିଯୁକ୍ତଙ୍କ ବୟାନ ପୁଲିସ ରେକର୍ଡ କରି ଅଦାଲତରେ ଦାଖଲ କରିଥିବା ସୂଚନା ମିଳିଛି।

Advertisment

ଗତ ମେ ୨୨ରେ ଏତଲାକାରୀ ରମାକାନ୍ତ ବରାଳ ଏକ ପିଟିସନ୍ ଦାଖଲ କରି ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ପ୍ରାର୍ଥନା କରିଥିଲେ। ଜୁନ୍ ୧୦ରେ ଅଦାଲତ ଏହି ପ୍ରସଙ୍ଗରେ ଶୁଣାଣି କରି ତଦନ୍ତ ଶେଷ କରିବା କ୍ଷେତ୍ରରେ ବିଳମ୍ବର କାରଣ ସଂପର୍କରେ ସ୍ପଷ୍ଟ କରିବାକୁ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ବରାଳଙ୍କ ତରଫରୁ ଆଇନଜୀବୀ ପ୍ରବୀଣ କାନୁନଗୋ ମାମଲା ପରିଚାଳନା କରୁଛନ୍ତି।