ମାହାଙ୍ଗା ଡବଲ ମର୍ଡର: ୨୧ ଦିନ ପରେ ବି ପ୍ରଫୁଲ୍ଲ ନିଖୋଜ

ସ୍ବାମୀଙ୍କ ପାଇଁ ଥାନାରେ ହାଜିରା ଦେଉଛନ୍ତି ସରପଞ୍ଚ

କଟକ/ମାହାଙ୍ଗା : ଏବେ ବି ନ‌ିଖୋଜ ପ୍ରଫୁଲ୍ଲ ବିଶ୍ବାଳ। ମାହାଙ୍ଗା ଡବଲ ମର୍ଡର ଘଟଣାର ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ଖୋଜି ପାଉନି ପୁଲିସ। ବାରମ୍ବାର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ଶେଷରେ ପୁଲିସ ପ୍ରଫୁଲ୍ଲଙ୍କ ସ୍ତ୍ରୀ ତଥା ନୁର୍ତ୍ତାଙ୍ଗ ସରପଞ୍ଚ ସବିତା ନାୟକଙ୍କୁ ଥାନାକୁ ଆଣି ତାଙ୍କ ସ୍ବାମୀଙ୍କ ସଂପର୍କରେ ପଚରାଉଚୁରା ଚଳାଇଛି। ଦୁଇ ଦିନ ବ୍ୟବଧାନରେ ସେ ଆସି ମାହାଙ୍ଗା ଥାନାରେ ହାଜିରା ଦେଉଥିବା ଜଣାପଡିଛି। ଏପଟେ ମାହାଙ୍ଗା ଡବଲ୍‌ ମର୍ଡର ଘଟଣାକୁ ୨୧ ଦିନ ପୂରି ଗଲାଣି। ଏଯାଏ ୧୪ଜଣଙ୍କ ମଧ୍ୟରୁ ୮ଜଣଙ୍କୁ ଧରିପାରିଛି ପୁଲିସ। ଅନ୍ୟପଟେ ପୁଲିସର ମୋଷ୍ଟ ୱାଣ୍ଟେଡ଼ ତାଲିକାରେ ଥିବା , ବିକାଶ ଯେନା ହତ୍ୟାକାଣ୍ଡ ପରଠାରୁ ଫେରାର ଥିବା ଓ ଏବେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ସଂପୃକ୍ତ ଥିବା ଚର୍ଚ୍ଚିତ ପ୍ରଫୁଲ୍ଲ ବିଶ୍ବାଳକୁ ଧରିବା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। କଟକ, କେନ୍ଦ୍ରାପଡା, ଯାଜପୁର ଭିତରେ ସେ ବୁଲୁଥିବା ଅନ୍ୟଏକ ସୂତ୍ରରୁ ଜଣାପଡିଛି।

Hindustan Times

ସୂଚନାଯୋଗ୍ୟ, ଜାନୁଆରି ୨ ତାରିଖ ରାତିରେ ମାହାଙ୍ଗାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ଏକ ବାଇକରେ ଫେରୁଥିବା ବେଳେ ଯଁକୋଟିଠାରେ ଉଭୟଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୃତ କୁଳମଣିଙ୍କ ପୁଅ ତଥା ନୁର୍ତ୍ତାଙ୍ଗ ସମିତିସଭ୍ୟ ରମାକାନ୍ତ ବରାଳଙ୍କ ପକ୍ଷରୁ ୧୪ ଜଣଙ୍କ ନାମରେ ଏତଲା ଦିଆଯାଇଥିଲା। ୨୦୧୮ରେ ଘଟିତ ବିକାଶ ଯେନା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥାଇ ଫେରାର ଥିବା ପ୍ରଫୁଲ୍ଲ ବିଶ୍ବାଳକୁ ସେ ଏହି ଘଟଣାରେ ବି ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲେ। ପ୍ରଫୁଲ୍ଲ ଓ ଭିକାରି ସ୍ବାଇଁଙ୍କ ଗିରଫ ପାଇଁ ବିଜେପି ସବୁଠୁ ଅଧିକ ଦାବି କରି ଆସୁଥିଲା। ପୁଲିସର ଦୁଇଟି ଟିମ୍ ଚଢ଼ାଉ କରି ଭିକାରିଙ୍କୁ ଗିରଫ କରିଥିବା ବେଳେ ପ୍ରଫୁଲ୍ଲକୁ ଏ ପର୍ଯ୍ୟନ୍ତ ଧରିପାରୁନି ପୁଲିସ। ପୂର୍ବରୁ ପୁଲିସ ପଞ୍ଚାନନ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିବାବେଳେ ଏଯାଏ ସହ‌ଯୋଗୀ ଭାବେ ତା’ର ଭାଇ ଚୈତନ୍ୟ ସେଠୀ, ନୁର୍ତ୍ତାଙ୍ଗ ଗ୍ରାମର କ୍ଷୀତୀଶ ଆଚାର୍ଯ୍ୟ (୪୫), ଅବସରପ୍ରାପ୍ତ ଯନ୍ତ୍ରୀ ଲଳିତ ମୋହନ ବରାଳ (୭୫), ଗୋଟିଏ ପରିବାରର କୈଳାସ ଖଟୁଆ, ଦାଦା ଉମେଶ ଖଟୁଆ ଓ ପୁତୁରା ଅରୁ ଓରଫ୍‌ ଅରବିନ୍ଦ ଖଟୁଆଙ୍କୁ ଗିରଫ କରି ଜେଲ ପଠାଇଛି। ଏ ସଂପର୍କରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା କଥା ହେଲା ଏହି ହତ୍ୟାକାଣ୍ଡ ପରଠାରୁ ସରପଞ୍ଚ ମଧ୍ୟ ଘରେ ନଥିଲେ। ଘରକୁ ଫେରିବା ପରେ ତାଙ୍କ ସ୍ବାମୀ କେଉଁଠି ଅଛନ୍ତି, ସେ ସଂପର୍କରେ ଅଧିକ ତଥ୍ୟ ହାସଲ ପାଇଁ ତାଙ୍କୁ ତାରିଖ ଅନୁସାରେ ଥାନାରେ ହାଜିର ହୋଇ ତଥ୍ୟ ରଖିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର