ପୁଣି ଚର୍ଚ୍ଚାରେ ମାହାଙ୍ଗା ଡବଲ୍‌ ମର୍ଡର୍‌ ଘଟଣା: ସରକାରଙ୍କଠୁ ଦରମା ନେଉଛନ୍ତି ଫେରାର୍‌ ଅଭିଯୁକ୍ତ

କାହା ସୁରକ୍ଷାରେ ଅଭିଯୁକ୍ତ ବିଜୟ?
ମୁଖ୍ୟମନ୍ତ୍ରୀଙ୍କୁ ଚିଠି‌ ଲେଖିଲେ ମୃତ କୁଳମଣିଙ୍କ ପୁଅ

କଟକ : ବହୁଚର୍ଚ୍ଚିତ ମାହାଙ୍ଗା ଡବଲ୍‌ ମର୍ଡର ଘଟଣାକୁ ଇତିମଧ୍ୟରେ ୮ମାସ ପୂରିଛି। ହତ୍ୟାକାଣ୍ଡର ୧୦ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଆଉ କେତେଜଣ ଫେରାର୍‌ ଅଛନ୍ତି। ତେବେ, ଘଟଣାର ଅନ୍ୟତମ ଅଭିଯୁକ୍ତ ବିଜୟ କୁମାର ବରାଳ ପୁଲିସ ଖାତାରେ ଫେରାର୍‌ ଥିବାବେଳେ ସରକାରୀ ଦପ୍ତରରୁ ଦରମା ନେବା ଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍‌ନାକୁ ଆସିଛି। ଅଭିଯୁକ୍ତ ବିଜୟ ସରକାରଙ୍କ ଜଳସମ୍ପଦ ବିଭାଗର ଜଣେ କର୍ମଚାରୀ। ଗତ ୮ମାସ ହେଲା ସେ ମେଡିକାଲ ସମସ୍ୟା ଦର୍ଶାଇ ଛୁଟିରେ ରହିବା ସହ ଅଧା ଦରମା ନେଉଛନ୍ତି ବୋଲି ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଗତ ଜାନୁଆରି ୨ତାରିଖ ସଂଧ୍ୟାରେ ମାହାଙ୍ଗା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ତଥା ସାଲେପୁରର ବିଜେପି ପ୍ରଭାରୀ କୁଳମଣି ବରାଳ(୭୩) ଓ ତାଙ୍କ ସହଯୋଗୀ(ଦାଦା) ଦିବ୍ୟସିଂହ ବରାଳ (୮୦) ଯଁକୋଟି ଗ୍ରାମ ରାସ୍ତାଦେଇ ବାଇକ୍‌ରେ ନୃତ୍ତାଙ୍ଗକୁ ଫେରୁଥିବାବେଳେ ବ୍ରାହ୍ମଣସାହି ନିକଟରେ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପରିବାରର ଅଭିଯୋଗ ଆଧାରରେ ମାହାଙ୍ଗା ପୁଲିସ ମନ୍ତ୍ରୀ ଶ୍ରୀ ଜେନାଙ୍କ ସମେତ ୧୨ରୁ ଅଧିକ ‌ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଥିଲା। ୧୦ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ତଥା ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତଦେହ ଟାଙ୍ଗୀ ନିକଟରୁ ଉଦ୍ଧାର କରାଯାଇଥିଲା। ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି ବୋଲି ପୁଲିସ୍‌ କହିଥିବାବେଳେ ଏହାକୁ ନେଇ ବି ନାନା ଚର୍ଚ୍ଚା ଜାରି ରହିଛି। ଅପରପକ୍ଷରେ, ଘଟଣାର ଅନ୍ୟତମ ଅଭିଯୁକ୍ତ ବିଜୟ ବରାଳ, କଟକ ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପୂର୍ବାଞ୍ଚଳ ମଣ୍ଡଳ(୨)ଙ୍କ ଚଣ୍ଡିଖୋଲ କାର୍ଯ୍ୟାଳୟଠାରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ ଚାକିରି କରୁଛନ୍ତି। ବିଜୟଙ୍କ ନାମରେ ୮ମାସ ତଳୁ ଜାମିନବିହୀନ ଗିରଫ ପରୱାନା ଥିବା ସତ୍ତ୍ବେ ତାଙ୍କ ବିରୋଧରେ ବିଭାଗ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସେ ଦରମା ମଧ୍ୟ ନେଉଛନ୍ତି। ଏପରିସ୍ଥଳେ, ବିଜୟଙ୍କୁ କିଏ ସୁରକ୍ଷା ଦେଉଛି ବୋଲି ପ୍ରଶ୍ନ ଉଠିଛି। ଅନ୍ୟପଟେ, ପୁଲିସ କହୁଛି ଏ ନେଇ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ତା’ହେଲେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ହତ୍ୟାର ଶିକାର ହୋଇଥିବା ମୃତ କୁଳମଣି ବରାଳଙ୍କ ପୁଅ ତଥା ସମିତିସଭ୍ୟ ରମାକାନ୍ତ ବରାଳ। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି।

ସେପଟେ, ମାହାଙ୍ଗା ଡବଲ୍‌ ମର୍ଡର ଘଟଣାକୁ ନେଇ କଂଗ୍ରେସ ବି ଅଭିଯୋଗ ପରି ଅଭିଯୋଗ କରି ଚାଲିଛି। ହତ୍ୟାକାଣ୍ଡ ପଛ‌ରେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୨ଜଣଙ୍କ ନାଁରେ ଅଭିଯୋଗ ଆସିଥିବା ବେଳେ ଚାର୍ଜସିଟ୍‌ରୁ ପୁଲିସ ମନ୍ତ୍ରୀଙ୍କ ନାଁ କାଟି ଦେଇଥିବାରୁ ଏହାକୁ କଂଗ୍ରେସ ପ୍ରତିବାଦ କରିଛି। କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଏକ ଟିମ୍‌ ଗତକାଲି ଅତିରିକ୍ତ ଏସ୍‌ପି ଅଲେଖ ଚନ୍ଦ୍ର ପହିଙ୍କୁ ଭେଟି ମନ୍ତ୍ରୀ ଶ୍ରୀ ଜେନାଙ୍କ ନାମ ପୁନଃ ଯୋଗ କରି ତଦନ୍ତ କରିବାକୁ ଦାବି କରିଛନ୍ତି। ରମାକାନ୍ତ ମଧ୍ୟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର