କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ମାହାଙ୍ଗା ଥାନା ପୁଲିସ ଅଭିଯୋଗକାରୀ ରମାକାନ୍ତ ବରାଳଙ୍କ ସମେତ ୫ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ପୁଲିସ ଚାର୍ଜସିଟ୍ରୁ କଟିବା ଘଟଣାରେ ଦାୟର ପ୍ରୋଟେଷ୍ଟ ପିଟିସନର ଶୁଣାଣି କରି ଘଟଣାର ଅଧିକ ତଦନ୍ତ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ସାଲେପୁର ଜେଏମ୍ଏଫ୍ସି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ସାକ୍ଷୀମାନଙ୍କୁ ପୁଲିସ ବାରମ୍ବାର ଡାକିଥିଲା। ମାତ୍ର, ସେମାନେ ବୟାନ ଦେବାକୁ ଆସି ନଥିଲେ। ଏହାପରେ ପୁଲିସ ସାକ୍ଷୀମାନଙ୍କୁ ତିନି ଦିନ ଭିତରେ ଥାନାକୁ ଆସି ବୟାନ ନଦେଲେ କୋର୍ଟକୁ ଜଣାଇ ଦିଆଯିବ ବୋଲି ନୋଟିସ୍ ଦେଇଥିଲେ । ଯଦି ଅନ୍ୟ କେଉଁ ସ୍ଥାନରେ ସାକ୍ଷୀମାନେ ବୟାନ ଦେବାକୁ ଚାହୁଁଛନ୍ତି, ତା’ହେଲେ ସେହି ସ୍ଥାନରେ ମଧ୍ୟ ପୁଲିସ ବୟାନ ଗ୍ରହଣ କରିବ। କିନ୍ତୁ ସର୍ବସମ୍ମୁଖରେ ସାକ୍ଷ୍ୟଗ୍ରହଣର ବିଧି ବ୍ୟବସ୍ଥା ନାହିଁ ବୋଲି ପୁଲିସ ନୋଟିସ୍ରେ ଉଲ୍ଲେଖ କରିଥିଲେ। ଏଭଳି ନୋଟିସ୍ ପରେ ଆଜି ୫ ଜଣ ମାହାଙ୍ଗା ଥାନାକୁ ଆସି ବୟାନ ଦେଇଛନ୍ତି ଏବଂ ଥାନା ଅଧିକାରୀ ଏହାକୁ ରେକର୍ଡ କରିଛନ୍ତି।
ମାହାଙ୍ଗା ଡବଲ ମର୍ଡର ଘଟଣାର ତଦନ୍ତ କରି ମାହାଙ୍ଗା ଥାନା ପୁଲିସ ଦାଖଲ କରିଥିବା ଚାର୍ଜସିଟ୍ରେ ଶ୍ରୀ ଜେନାଙ୍କ ନାଁ କାଟି ଦିଆଯିବା ପ୍ରସଂଗକୁ ବିରୋଧ କରି ମୃତକ କୁଳମଣି ବରାଳଙ୍କ ପୁଅ ତଥା ସମିତି ସଭ୍ୟ ରମାକାନ୍ତ ବରାଳଙ୍କ ପ୍ରୋଟେଷ୍ଟ ପିଟିସନର ଦାୟର କରିଥିଲେ। ଏହି ମାମଲାର ଶୁଣାଣି କରି ଅଗଷ୍ଟ ୨୬ରେ ଅଦାଲତ ଘଟଣାର ଅଧିକ ତଦନ୍ତ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ସାଲେପୁର ଜେଏମଏଫ୍ସି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ଜେନାଙ୍କୁ ସମନ୍ ଜାରି କରିବାକୁ ଅଦାଲତ ମନାକରିବା ସହିତ ଏତଲାକାରୀଙ୍କ ଅଭିଯୋଗ ଆଧାରରେ ଏହି ଘଟଣାର ତଦନ୍ତ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ। ଏହି ଘଟଣାର ଅଧିକ ତଦନ୍ତ ଯଥାଶୀଘ୍ର କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ମାହାଙ୍ଗା ଥାନା ପୁଲିସ ପକ୍ଷରୁ ସେପ୍ଟେମ୍ବର ୨ରେ ଅଭିଯୋଗକାରୀ ସମେତ ୫ଜଣ ସାକ୍ଷୀଙ୍କୁ ଥାନାରେ ପହଞ୍ଚି ବୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେମାନେ ଥାନାକୁ ଆସି ସାକ୍ଷ୍ୟ ଦେଇ ନଥିବାରୁ ପୁଣି ସେମାନଙ୍କୁ ନୋଟିସ୍ ଦେଇଥିଲେ। ଫଳରେ ଆଜି ଅଭିଯୋଗକାରୀ ରମାକାନ୍ତ ବରାଳ ଓ ୪ଜଣ ସାକ୍ଷୀ ମାହାଙ୍ଗା ଥାନାରେ ପହଞ୍ଚି ତାଙ୍କର ସାକ୍ଷ୍ୟ ଦେଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ୨୦୨୧, ଜାନୁଆରି ୨ରେ ମାହାଙ୍ଗା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ(୭୩) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ(୮୦)ଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମାହାଙ୍ଗା ଥାନାରେ ଶ୍ରୀ ଜେନାଙ୍କ ସମେତ ୧୩ ଜଣଙ୍କ ବିରୋଧରେ ରମାକାନ୍ତ ଏତଲା ଦେଇଥିଲେ। ପୁଲିସ ତଦନ୍ତ କରି ମାମଲାରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ବ୍ୟତୀତ ଅନ୍ୟ ୧୨ଜଣ ଅଭିଯୁକ୍ତଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/judgement.jpg)