ମାହାଙ୍ଗା ମାମଲାରେ କୋର୍ଟ କ୍ଷୁବ୍ଧ, ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଜଣାଇଲେ

ସଂଗ୍ରହ ହେବ ବାପି, ଶରତ ଓ ମୃତ ପ୍ରଫୁଲ୍ଲ ବିଶ୍ବାଳଙ୍କ ସିଡିଆର୍
୨୫ ସୁଦ୍ଧା ପୁଲିସ କାର୍ଯ୍ୟାନୁଷ୍ଠାନ ରିପୋର୍ଟ, ସାନି କେସ୍ ଡାଏରି ଦାଖଲ ପାଇଁ ନିର୍ଦେଶ

କଟକ : ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସାଲେପୁର ଅଦାଲତ। ଏଭଳି ଏକ ଘଟଣାରେ ଷଡ଼ଯନ୍ତ୍ର ଦିଗ ଉନ୍ମୋଚନ ପାଇଁ ପୁଲିସ ଯେଉଁଭଳି ପଦକ୍ଷେପ ନେବା କଥା ତାହା ନେଇ ନାହିଁ ବୋଲି କୋର୍ଟ ଅନୁଭବ କରି ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ଆସନ୍ତା ୨୫ ତାରିଖ ସୁଦ୍ଧା କୋର୍ଟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ, ସାନି କେସ୍ ଡାଏରି ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ବାପି ବିଶ୍ବାଳ, ମାହାଙ୍ଗା ପଂଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଏବଂ ପ୍ରାଣ ହରାଇଥିବା ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ତଥ୍ୟ (ସିଡିଆର୍) ସଂଗ୍ରହ କରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୨୦୨୦ରୁ ଫେବ୍ରୁଆରି ୨୦୨୧ ପର୍ଯ୍ୟନ୍ତ ଉକ୍ତ ୩ଜଣଙ୍କ ସମେତ ମାମଲାର ପ୍ରମୁଖ ସାକ୍ଷୀ ଓ ସମସ୍ତ ଅଭିଯୁକ୍ତଙ୍କ ସିଡିଆର ସଂଗ୍ରହ କରି ସଂରକ୍ଷିତ ରଖିବା ପାଇଁ କୋର୍ଟ ମାହାଙ୍ଗା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବାପି ବିଶ୍ବାଳ ଓ ଶରତ ନାୟକ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘନିଷ୍ଠ ହୋଇଥିବା ବେଳେ ଏହି ଘଟଣାରେ ଅଭିଯୁକ୍ତ ଭାବେ ମୂଳରୁ ପ୍ରତାପ ଜେନାଙ୍କ ନାମ ରହିଥିଲା। କିନ୍ତୁ ପୁଲିସ ଚାର୍ଜସିଟରୁ ପ୍ରତାପ ଜେନାଙ୍କ ନାମ ବାଦ ଦେବା ପରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରି ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ମନ୍ତ୍ରୀ ପ୍ରତାପ ଜେନାଙ୍କର ଏହି ହତ୍ୟା ଷଡ଼ଯନ୍ତ୍ର ପଛରେ ହାତ ରହିଛି ଏବଂ ସିଡିଆର ଯାଞ୍ଚରୁ ତଥ୍ୟ ସାମନାକୁ ଆସିବ ବୋଲି ରମାକାନ୍ତ କୋର୍ଟରେ ଆବେଦନ କରିଥିଲେ। ପୂର୍ବରୁ ରମାକାନ୍ତଙ୍କ ଏହି ଆବେଦନକୁ ଗ୍ରହଣ କରି ଅଦାଲତ ମାହାଙ୍ଗା ଥାନା ପୁଲିସକୁ ଅଧିକ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ମାହାଙ୍ଗା ଥାନା ପୁଲିସ ଏଯାଏ ରିପୋର୍ଟ ଦାଖଲ କରି ନଥିବା ବେଳେ ଅଭିଯୁକ୍ତଙ୍କ ଫୋନ୍ କଲ ଯାଞ୍ଚ ହୋଇଛି ବୋଲି ପୂର୍ବରୁ ଦର୍ଶାଇଥିଲା। କିନ୍ତୁ ଫୋନ୍ କଲର ସିଡିଆରକୁ ଚାର୍ଜସିଟ୍ ସହିତ ଦାଖଲ କରି ନଥିଲା। ଅନ୍ୟପଟେ ମୃତ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ଜବତ ଫୋନ୍‌ରେ ସିମ୍ କାର୍ଡ ନଥିବା ବେଳେ ପୁଲିସ ବି ତାହାକୁ ପାଇ ନଥିବା ଦର୍ଶାଇଥିଲା। ଫୋନ ସିଡିଆର୍ ବର୍ଷକ ପର୍ଯ୍ୟନ୍ତ ସଂପୃକ୍ତ କଂପାନି ସଂରକ୍ଷିତ ରଖୁଥିବାରୁ ପୁଲିସ ତାହାକୁ ସଂଗ୍ରହ ନ କରି ବିଳମ୍ବ କରିବା ଦ୍ବାରା ଷଡଯନ୍ତ୍ର ଦିଗ ଉନ୍ମୋଚନ ହୋଇ ପାରିବ ନାହିଁ ବୋଲି ରମାକାନ୍ତ ଅଦାଲତଙ୍କୁ ଜଣାଇଥିଲେ। ରମାକାନ୍ତଙ୍କ ଅନୁରୋଧକୁ ଗ୍ରହଣ କରି ହତ୍ୟା ଘଟଣାର ଷଡ଼ଯନ୍ତ୍ର ଦିଗ ଉନ୍ମୋଚନ ପାଇଁ ଏସବୁ ଜରୁରୀ ହୋଇଥିବାରୁ ପୁଲିସ ସିଡିଆର ସଂଗ୍ରହ ଦିଗରେ ତୁରନ୍ତ ପଦକ୍ଷେପ ନେଇ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (ପ୍ରଥମ ଶ୍ରେଣୀ) ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଚାର୍ଜସିଟରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ବାଦ ଘଟଣାକୁ ନେଇ ଗଲା ଅଗଷ୍ଟ ୨୫ରେ ରମାକାନ୍ତ ବିଶ୍ବାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ଦାଖଲ ହୋଇଥିଲା। ତାହାର ଶୁଣାଣି କରି କୋର୍ଟ ଘଟଣାର ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ଏହି ପ୍ରୋଟେଷ୍ଟ ପିଟିସନ୍ ଖାରଜ କରିବାକୁ ସରକାରୀ ଓକିଲଙ୍କ ପକ୍ଷରୁ ଆବେଦନ ହୋଇଥିଲେ ବି କୋର୍ଟ ତାହାକୁ ଗ୍ରହଣ କରି ନଥିଲେ। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁଲିସ ସାନି ତଦନ୍ତ ରିପୋର୍ଟ ଦାଖଲ କରି ନ ଥିବାରୁ ଗଲା ୧୮ ତାରିଖର ଶୁଣାଣି ସମୟରେ କୋର୍ଟ କ୍ଷୁବ୍ଧ ହୋଇଥିଲେ ଏବଂ କଡା ଭାଷାରେ ଭର୍ତ୍ସନା କରି ଥିଲେ ବୋଲି ରମାକାନ୍ତଙ୍କ ଓକିଲ ପ୍ରବୀଣ କାନୁନଗୋ କହିଛନ୍ତି। ଏହି ମାମଲାରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ୯ ଜଣଙ୍କୁ ଗିରଫ କରିଛି ଏବଂ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। କୋର୍ଟଙ୍କ ରାୟ ପରେ ରମାକାନ୍ତ ବରାଳ କହିଛନ୍ତି ଯେ ନ୍ୟାୟପାଳିକା ଉପରେ ତାଙ୍କର ଭରସା ବଢିଛି। ଆମେ ଉପଯୁକ୍ତ ନ୍ୟାୟ ପାଇବା ପାଇଁ ଆଶା ରଖିଛୁ।

ସମ୍ବନ୍ଧିତ ଖବର