ମନ୍ତ୍ରୀ ପ୍ରତାପଙ୍କ ବହିଷ୍କାର ଦାବିରେ ବିଜେପିର ହଟ୍ଟଗୋଳ
କଂଗ୍ରେସ କହିଲା ମନ୍ତ୍ରୀ ନିଜ ଆଡ଼ୁ ତଦନ୍ତର ସାମନା କରନ୍ତୁ
ରାକେଶ ଟିକାୟତଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ବି ଉଠିଲା
ବାରମ୍ବାର ମୁଲତବୀ ପରେ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
ଭୁବନେଶ୍ବର : ଚାଷୀଙ୍କ ଧାନ କିଣା ପ୍ରସଙ୍ଗରେ ୬ ଦିନ ଗୃହ ଅଚଳ ରହିଲା। ହାଇସ୍କୁଲ ରେସନାଲାଇଜେସନ୍କୁ ନେଇ ବିରୋଧୀ ସରକାରଙ୍କୁ ଅଠାକାଟିରେ ପକାଇଲେ। ଏବେ ମାହାଙ୍ଗା ଡବଲ୍ ମର୍ଡ଼ର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ଏତଲାକୁ ନେଇ ଆଜି ଦିନ ତମାମ ଗୃହକୁ ମୁଖ୍ୟ ବିରୋଧୀ ଦଳ ବିଜେପି ଅଚଳ କରିଦେଇଛି। ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଗୃହ ମଧ୍ୟଭାଗରେ ବିଜେପି ସଦସ୍ୟମାନେ ବ୍ୟାନର ଧରି ନାରାବାଜି କରିବା ସହିତ ବାଚସ୍ପତିଙ୍କ ପୋଡ଼ିୟମ୍ କାଚ ବାଡେ଼ଇ ହଟ୍ଟଗୋଳ କରିଛନ୍ତି। ଗୃହ ସ୍ବାଭାବିକ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦୁଇଥର ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ ବି କୌଣସି ନିଷ୍କର୍ଷ ବାହାରିପାରିଲାନି। ଫଳରେ ଗୃହରେ ଜଳ ସମ୍ପଦ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇପାରିନାହିଁ।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମାହାଙ୍ଗା ମର୍ଡ଼ର ସମ୍ପର୍କରେ କିଛି କହିବାକୁ ଚାହିଁବାରୁ ବାଚସ୍ପତି ସୁଯୋଗ ଦେଇନଥିଲେ। ପ୍ରଶ୍ନକାଳ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବିଜେପି ସଦସ୍ୟମାନେ ତାତି ଯାଇଥିଲେ। ବ୍ୟାନର ଧରି ଗୃହ ମଧ୍ୟଭାଗକୁ ଆସି ମନ୍ତ୍ରୀ ଶ୍ରୀ ଜେନାଙ୍କ ଗିରଫ ଦାବି କରିଥିଲେ। ବାଚସ୍ପତି ବାଧ୍ୟ ହୋଇ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ, ଏ ସରକାର ଆଇନକୁ ଦୁଇ ପ୍ରକାର ବ୍ୟବହାର କରୁଛନ୍ତି। ବିରୋଧୀଙ୍କ ପାଇଁ ଆଇନ ଗୋଟିଏ ପ୍ରକାର କାମ କରୁଥିବାବେଳେ ଶାସକ ଦଳର ବ୍ୟକ୍ତି ବିଶେଷ ପାଇଁ ସମାନ ଆଇନକୁ ଅନ୍ୟପ୍ରକାରରେ ବ୍ୟବହାର କରାଯାଉଛି। ମାହାଙ୍ଗା ଘଟଣାରେ ଆଇନମନ୍ତ୍ରୀଙ୍କ ନାମରେ ଥାନାରେ ଏତଲା ହୋଇଛି। ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ପ୍ରଫୁଲ୍ଲ ବିଶ୍ବାଳଙ୍କୁ ବି ମାରିଦିଆଗଲା। ଅଥଚ ପୁଲିସ ଆଜି ଯାଏ ମନ୍ତ୍ରୀଙ୍କୁ ଥରୁଟିଏ ବି ପଚାରିଲା ନାହିଁ। ମନ୍ତ୍ରୀଙ୍କ ନାମରେ ଏତଲା ଥାଇ ସେ କିପରି ଏ ଗୃହରେ ବସିବେ ବୋଲି ସେ ପ୍ରଶ୍ନ କରିବା ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଅତୀତରେ ପୂର୍ବତନ ଆଇନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବିରୋଧରେ ବଧୁ ନିର୍ଯାତନା ଅଭିଯୋଗ ଆସିବା ପରେ ତାଙ୍କୁ ତୁରନ୍ତ ମନ୍ତ୍ରୀ ପଦ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ବାଚସ୍ପତି କହିଥିଲେ ଯେ ଜଣେ ସଦସ୍ୟଙ୍କ ନାମରେ ଏତଲା ଥିଲେ ସେ ବିଧାନସଭାରେ ବସିପାରିବେ ନାହିଁ ବୋଲି କୋଉ ଆଇନରେ ଲେଖା ଅଛି? ଏହାକୁ ନେଇ କଥା କଟାକଟି ହୋଇଥିଲା। ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ପୁଣି ନାରାବାଜି କରିଥିଲେ। ସମାନ ପ୍ରସଙ୍ଗ ଅପରାହ୍ନରେ ଉଠାଇ ସେ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ରାଷ୍ଟ୍ରପତି ରାଉରକେଲା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଉଦଘାଟନ କରିବାର ୨୪ ଘଣ୍ଟା ପୂରିନି। ରାଷ୍ଟ୍ରପତି ଏ ଯାଏ ଓଡ଼ିଶା ଛାଡ଼ିନାହାନ୍ତି କିନ୍ତୁ ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନାରେ ହସ୍ପିଟାଲରେ ଭଙ୍ଗାରୁଜା କରାଗଲା। ଏହା ରାଷ୍ଟ୍ରପତିଙ୍କ ପାଇଁ ଅସମ୍ମାନ ନୁହେଁ କି?
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ମାହାଙ୍ଗା ଘଟଣାରେ ମନ୍ତ୍ରୀଙ୍କ ନାମରେ ଏତଲା ଦିଆଗଲେ ଯେ ସେ ଦୋଷୀ ଏକଥା କହିବା ଠିକ୍ ନୁହେଁ। କିନ୍ତୁ ଜଣେ ମନ୍ତ୍ରୀ ହୋଇଥିବାରୁ ସେ ନିଜ ଆଡ଼ୁ ତଦନ୍ତର ସାମ୍ନା କରିବା ଉଚିତ୍। ଏହି ହତ୍ୟାକାଣ୍ଡରେ ତାଙ୍କର ସମ୍ପୃକ୍ତି ଅଛି କି ନାହିଁ ତଦନ୍ତରୁ ଜଣାପଡ଼ିବ। ଏଠାରେ ଚାଷୀ ନେତା ରାକେଶ ଟିକାୟତ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ କେନ୍ଦ୍ରରେ ଶାସନ କରୁଥିବା ଦଳର ନେତା ଓ କର୍ମୀମାନେ ତାଙ୍କ ଉପରେ ଏପରି ଆକ୍ରମଣ କଲେ। ଅଥଚ ଦୁର୍ଭାଗ୍ୟର କଥା ଏ ରାଜ୍ୟର ପୁଲିସ ତାଙ୍କୁ ସୁରକ୍ଷା ଦେଇପାରିଲାନି। ସେହିପରି ରାଉରକେଲା ହସ୍ପିଟାଲ ଭଙ୍ଗାରୁଜା ଘଟଣା ବି ନିନ୍ଦନୀୟ। ଅସମ୍ପୂର୍ଣ୍ଣ ଥିବା ରାଉରକେଲା ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ରାଷ୍ଟ୍ରପତି ଉଦଘାଟନ କରିବାରେ ଯେପରି ବିରୋଧ ହେଉଛି, ସେହିପରି ନିକଟରେ ଲୋୟର ଇନ୍ଦ୍ର ପ୍ରକଳ୍ପ କାମ ମଧ୍ୟ ଅସମ୍ପୂର୍ଣ୍ଣ ଥାଇ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ଏହା କିପରି ଚାଲିଛି?
କଂଗ୍ରେସର ସନ୍ତୋଷ ସିଂହ ସାଲୁଜା ମଧ୍ୟ ଆଇନମନ୍ତ୍ରୀଙ୍କ ନାମ ମୁଦାଲା ତାଲିକାରେ ଥିବା କଥା କହିଥିଲେ। ଏହାସହିତ ବିଜେପିର ଯେଉଁ ପ୍ରଧାନଙ୍କ ନାମରେ ଅଭିଯୋଗ ହେଉଛି ତାଙ୍କୁ ବି ଗିରଫ କରିବାକୁ ସେ ଦାବି କରିଥିଲେ। ଗୃହରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଯେପରି ଉଦାହରଣ ସୃଷ୍ଟି କରିଥିଲେ ସେପରି ଦୃଷ୍ଟାନ୍ତ ବାଚସ୍ପତି ଦେଖାନ୍ତୁ ବୋଲି ନିବଦେନ କରିଥିଲେ। ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖି ଦୁଇଥର ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକ ପରେ ବାଚସ୍ପତି ୨୦୦୪ ଜୁଲାଇ ୨୯ ତାରିଖରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ରୁଲିଂ ସମ୍ପର୍କରେ ସ୍ପଷ୍ଟ କରିଥିଲେ। କହିଥିଲେ, ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ଥିବା ସଦସ୍ୟମାନେ ଗୃହ କାର୍ଯ୍ୟରେ ଭାଗ ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ଯଦି ଏପରି କିଛି ନାହିଁ କୌଣସି ସଦସ୍ୟଙ୍କ ବିରୋଧରେ କେବଳ ଏତଲା ଆଧାରରେ ଗୃହ କାର୍ଯ୍ୟରେ ଭାଗ ନେବାକୁ ବାରଣ କରାଯାଇପାରିବ ନାହିଁ। ବାଚସ୍ପତିଙ୍କ ରୁଲିଂ ପରେ ପୁଣି ଥରେ ଗୃହ ମଧ୍ୟଭାଗକୁ ଆସି ବିଜେପି ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ। ଫଳରେ ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।