କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ନିମ୍ନ ଆଦାଲତଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ପ୍ରତାପ ଜେନା ଦାୟର କରିଥିବା ଆବେଦନର ଶୁଣାଣି ଆଜି ହାଇକୋର୍ଟରେ ଅସମାପ୍ତ ରହିଛି। ଶ୍ରୀ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି କାଏମ ରହିଥିବା ବେଳେ ଫେବ୍ରୁଆରି ୧୩କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଜେନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଜି ଶୁଣାଣି ସମୟର ଶ୍ରୀ ଜେନାଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ସାଲେପୁର ଜେଏମ୍ଏଫସି ଅଦାଲତ ପୂର୍ବରୁ ବିଚାର ପାଇଁ ଗ୍ରହଣ କରିଥିଲେ। ଏହା ପରେ ଦ୍ୱିତୀୟ ଥର ୨୦୨୩, ସେପ୍ଟେମ୍ବର ୨୫ରେ ଅଦାଲତ ମାମଲାରେ ଶ୍ରୀ ଜେନାଙ୍କ ବିରୋଧରେ କଗ୍ନିଜାନ୍ସ ଗ୍ରହଣ କରିଥିଲେ। କଗ୍ନିଜାନ୍ସ ନିର୍ଦ୍ଦେଶରେ ଅଦାଲତ କିଛି କାରଣ ଉଲ୍ଲେଖ କରି ନ ଥିଲେ। ଏଭଳି ସ୍ଥିତିରେ ଶ୍ରୀ ଜେନାଙ୍କ ବିରୋଧରେ କଗ୍ନିଜାନ୍ସ ଗ୍ରହଣ କରି ନିମ୍ନ ଅଦାଲତ ପ୍ରଦାନ କରିଥିବା ନିର୍ଦ୍ଦେଶ ବେଆଇନ। ଅନ୍ୟ ପକ୍ଷରେ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ସମ୍ପୂର୍ଣ ଆଇନ ସମ୍ମତ ବୋଲି ପ୍ରତିପକ୍ଷଙ୍କ ତରଫରୁ ଦର୍ଶାଯାଇଥିଲା।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୩, ନଭେମ୍ବର ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ରାଜ୍ୟ ସରକାର ଓ ରଣଜିତ ବରାଳଙ୍କୁ ନୋଟିସ୍ ଜାରି କରିବା ସହିତ ନିମ୍ନ ଅଦାଲତ ରେକର୍ଡ ତଲବ କରିଥିଲେ। ୨୦୨୧, ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତ କରି ପୁଲିସ ଦାଖଲ କରିଥିବା ଚାର୍ଜସିଟରୁ ପ୍ରତାପ ଜେନାଙ୍କ ନାମ ବାଦକୁ ନେଇ ଏହି ମାମଲା ଜାରି ରହିଛି।