ମାହାଙ୍ଗା ଡବଲ୍‌ ମର୍ଡର : ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭିକାରୀ ସ୍ବାଇଁ ଗିରଫ

କୁଳମଣିଙ୍କ ପୁଅ ରମାକାନ୍ତଙ୍କୁ ହତ୍ୟା ପାଇଁ ବେନାମୀ ଚିଠି
ଆଜି ମାହାଙ୍ଗା ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

କଟକ/ମାହାଙ୍ଗା : ମାହାଙ୍ଗା ଡବଲ୍‌ ମର୍ଡର ଘଟଣାରେ ଏବେ ବି ଅଧା ଅଭିଯୁକ୍ତ ଫେରାର ଅଛନ୍ତି। ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ମାହାଙ୍ଗା ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ବିଜେଡି ନେତା ଭିକାରୀ ସ୍ବାଇଁଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଥାନା ସୁନାପର୍ବତ ଅଞ୍ଚଳରୁ ଗିରଫ କରାଯାଇଥିବା ସୂଚନା ମିଳିଛି। ପୁଲିସ କିନ୍ତୁ ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରିନାହିଁ। ଘଟଣାରେ ମୋଟ ୧୪ ଜଣଙ୍କ ନାମ ଥିବାବେଳେ ଭିକାରୀଙ୍କୁ ମିଶାଇଲେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିବ।

ଗତ ଜାନୁଆରି ୨ ତାରିଖ ରାତିରେ ବିଜେପି ନେତା ତଥା ମାହାଙ୍ଗା ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳ ଏକ ବାଇକ୍‌ରେ ଫେରୁଥିବାବେଳେ ଦୁହିଁଙ୍କୁ ରାସ୍ତାରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳଙ୍କ ପକ୍ଷରୁ ୧୪ ଜଣଙ୍କ ନାମରେ ଏତଲା ଦିଆଯାଇଥିଲା। ୨୦୧୮, ବିକାଶ ଯେନା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥାଇ ଫେରାର ଥିବା ପ୍ରଫୁଲ୍ଲ ବିଶ୍ବାଳକୁ ସେ ଏହି ଘଟଣାରେ ବି ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିଲେ। ପ୍ରଫୁଲ୍ଲ ଓ ଭିକାରୀ ସ୍ବାଇଁଙ୍କ ଗିରଫ ପାଇଁ ବିଜେପି ସବୁଠୁ ଅଧିକ ଦାବି କରି ଆସୁଥିଲା। ପୁଲିସର ଦୁଇଟି ଟିମ୍ ଚଢଉ କରି ଭିକାରୀଙ୍କୁ ଧରି ଥିବାବେଳେ ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛି। ପୂର୍ବରୁ ପୁଲିସ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ପଞ୍ଚାନନ ସେଠୀ ଏବଂ ଏଯାଏ ସହ‌ଯୋଗୀ ଭାବେ ତାର ଭାଇ ଚୈତନ୍ୟ ସେଠୀ, ନୁର୍ତ୍ତାଙ୍ଗ ଗ୍ରାମର କ୍ଷୀତିଶ ଆଚାର୍ଯ୍ୟ (୪୫), ଅବସରପ୍ରାପ୍ତ ଯନ୍ତ୍ରୀ ଲଳିତ ମୋହନ ବରାଳ (୭୫), ଗୋଟିଏ ପରିବାରର ବାପା, ଦାଦା ଓ ପୁଅ କୈଳାସ ଖଟୁଆ, ଦାଦା ଉମେଶ ଖଟୁଆ ଓ ପୁତୁରା ଅରୁ ଓରଫ୍‌ ଅରବିନ୍ଦ ଖଟୁଆଙ୍କୁ ଗିରଫ କରି ଜେଲ୍‌ ପଠାଇଛି।

ଅନ୍ୟପକ୍ଷରେ, ଆସନ୍ତାକାଲି କୁଳମଣିଙ୍କ ଏକାଦଶାହ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ବରିଷ୍ଠ ନେତୃମଣ୍ଡଳୀ ମାହାଙ୍ଗା ଗସ୍ତରେ ଆସି ମୃତ କୁଳମଣି ଓ ଦିବ୍ୟସିଂହ ବରାଳଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା କାର୍ଯ୍ୟକ୍ରମ ରହିଛି। ତେବେ, ଏହାର ଗୋଟିଏଦିନ ପୂର୍ବରୁ ଅର୍ଥାତ୍‌ ଆଜି କୁଳମଣିଙ୍କ ଦଶାହ ଥିବାବେଳେ ତାଙ୍କ ଘରେ ଏକ ବେନାମୀ ଚିଠି ପହଞ୍ଚିଛି। ଚିଠିରେ କୁଳମଣିଙ୍କ ପୁଅ ତଥା ସ୍ଥାନୀୟ ଅଞ୍ଚଳର ସମିତି ସଭ୍ୟ ରମାକାନ୍ତଙ୍କୁ ହତ୍ୟା ଧମକ ଦିଆଯାଇଛି। ଡାକ ବିଭାଗର ପିଅନ ପ୍ରଫୁଲ୍ଲ ସିଂହ ଆଜି ଏହି ବେନାମୀ ଚିଠି କୁଳମଣିଙ୍କ ଘରେ ଦେଇଥିବାବେଳେ ଏ ସଂପର୍କରେ ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରମାକାନ୍ତ। ‘ତୋ ବାପା ମଲା, ଇନ୍ଦିରା ଆବାସ କ’ଣ ତୋ ବୋପାର; ମନ୍ତ୍ରୀ ପ୍ରତାପ ଭାଇ, ଭିକାରୀ ଭାଇ ଆମ ପଛରେ ଅଛନ୍ତି; ଆମେ ବିକାଶ ଯେନାକୁ ମାରିଥିଲୁ, ‌ତୋ ବାପାକୁ ମାରିଛୁ, ତୋତେ ବି ମାରିବୁ… ବୋଲି ବନ୍ଦ ଲଫାଫାରେ ଆସିଥିବା ଚିଠିରେ ଲେଖା ଥିବା ରମାକାନ୍ତ ଏତଲାରେ ଦର୍ଶାଇଛନ୍ତି। ଏଭଳି ସ୍ଥିତିରେ ନିଜ ପରିବାର ପାଇଁ ସୁରକ୍ଷା ଦେବାକୁ ରମାକାନ୍ତ ପୁଲିସକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର