କଟକ: ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ସୁପ୍ରିମକୋର୍ଟରେ ଜବାବ ଦାଖଲ ପାଇଁ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନା ଅଧିକ ସମୟ ଲୋଡ଼ିଛନ୍ତି। ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ଶ୍ରୀ ଜେନାଙ୍କୁ ସୁପ୍ରିମକୋର୍ଟ ୪ ସପ୍ତାହ ମହଲତ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ରଣଜିତ ବରାଳଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ, ଶ୍ରୀ ଜେନାଙ୍କ ବିରୋଧରେ ସାଲେପୁର ଜେଏମ୍ଏଫ୍ସି ଅଦାଲତ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗ୍ନିଜାନ୍ସ ଗ୍ରହଣ କରି ୨୦୨୩, ସେପ୍ଟେମ୍ବର ୨୫ରେ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ୨୦୨୪, ଅକ୍ଟୋବର ୧ରେ ରଦ୍ଦ କରିଥିଲେ। ଏଥି ସହିତ ନିମ୍ନ ଅଦାଲତରେ ଶ୍ରୀ ଜେନାଙ୍କ ବିରୋଧରେ ବିଚାରାଧୀନ ଏ ସମ୍ପର୍କିତ ଫୌଜଦାରୀ ମାମଲାକୁ ମଧ୍ୟ ହାଇକୋର୍ଟ ଖାରଜ କରିଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଶ୍ରୀ ବରାଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ମାମଲାର ପ୍ରତିପକ୍ଷ ରାଜ୍ୟ ସରକାର ଓ ଶ୍ରୀ ଜେନାଙ୍କୁ ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ କୁହାଯାଇଥିଲା। ଏଥି ସହିତ ଦୌରା ଅଦାଲତ ଓ ମାଜିଷ୍ଟ୍ରେଟ୍ଙ୍କ ଅଦାଲତରେ ସାକ୍ଷୀଙ୍କ ଯେଉଁ ବୟାନ ରେକର୍ଡ କରାଯାଇଥିଲା ସେ ସମ୍ପର୍କିତ ନଥିପତ୍ର ଦାଖଲ କରିବାକୁ ପ୍ରତିପକ୍ଷଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ମାମଲାର ବିବରଣୀ ଅନୁସାରେ, ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ୍ ଦାଖଲ କରିଥିଲା ସେଥିରେ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇ ନ ଥିଲା। ଏତଲାରେ ଶ୍ରୀ ଜେନାଙ୍କ ନାଁରେ ଅଭିଯୋଗ ଥିବା ବେଳେ ଚାର୍ଜସିଟ୍ରୁ ତାଙ୍କୁ ବାଦ୍ ଦିଆଯାଇଥିଲା। ପୁଲିସ ଚାର୍ଜସିଟ୍ ବିରୋଧରେ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ସାଲେପୁର ଜେଏମ୍ଏଫ୍ସି ଅଦାଲତରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ ହୋଇଥିଲା। ଘଟଣାର ତ୍ବରିତ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ମାହାଙ୍ଗା ଥାନାର ତତ୍କାଳୀନ ଆଇଆଇସିଙ୍କ ବଦଳି ପରେ ସାଲେପୁର ଡିଏସ୍ପିଙ୍କୁ ତଦନ୍ତ ଭାର ଦିଆଯାଇଥିଲା। ଡିଏସ୍ପି ତଦନ୍ତ ଶେଷ କରିବା ପରେ ଶ୍ରୀ ଜେନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନଥିବା ଦର୍ଶାଇ ଫାଇନାଲ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ। ଅନ୍ୟପକ୍ଷରେ ଏହି ଫାଇନାଲ ରିପୋର୍ଟରେ କୌଣସି ଆପତ୍ତି ଥିଲେ ଅବଗତ କରିବାକୁ ଏତଲାକାରୀ ରମାକାନ୍ତ ବରାଳଙ୍କୁ ଅଦାଲତ ନୋଟିସ୍ ଜାରି କରିଥିଲେ।
ରମାକାନ୍ତ ବରାଳ ନୋଟିସ୍ ପାଇଥିଲେ। କିନ୍ତୁ ଏ ନେଇ ପ୍ରୋଟେଷ୍ଟ ପିଟିସନ୍ ମାଧ୍ୟମରେ ଅବଗତ କରିବା ପୂର୍ବରୁ ୨୦୨୨, ଡିସେମ୍ବର ୯ରେ ଏତଲାକାରୀ ରମାକାନ୍ତ ବରାଳଙ୍କର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ଭାଇ ରଣଜିତ ବରାଳ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ। ଏହି ପ୍ରୋଟେଷ୍ଟ ପିଟିସନର ସାଲେପୁର ଜେଏମ୍ଏଫ୍ସି ଅଦାଲତ ୨୦୨୩, ସେପ୍ଟେମ୍ବର ୨୫ରେ ଶୁଣାଣି କରି ଶ୍ରୀ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ରେ କଗ୍ନିଜାନ୍ସ ଗ୍ରହଣ କରିଥିଲେ। ଏଥି ସହିତ ଅଦାଲତ ଶ୍ରୀ ଜେନାଙ୍କୁ ହାଜର ହେବା ପାଇଁ ସମନ ଜାରି କରିଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶ୍ରୀ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୩, ନଭେମ୍ବର ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ପ୍ରତିପକ୍ଷ ରାଜ୍ୟ ସରକାର ଓ ରଣଜିତ ବରାଳଙ୍କୁ ନୋଟିସ୍ ଜାରି କରିବା ସହିତ ନିମ୍ନ ଅଦାଲତଙ୍କଠାରୁ ରେକର୍ଡ ତଲବ କରିଥିଲେ। ମାମଲା ବିଚାରାଧୀନ ଥିବା ବେଳେ ଶ୍ରୀ ଜେନାଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ନଭେମ୍ବର ୨ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ୨୦୨୪, ଅଗଷ୍ଟ ୧ରେ ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିବା ବେଳେ ୨୦୨୪, ଅକ୍ଟୋବର ୧ରେ ଚୂଡ଼ାନ୍ତ ରାୟ ପ୍ରକାଶ କରିଥିଲେ।
ଉଲ୍ଲେଖଯୋଗ୍ୟ, ୨୦୨୪, ଅଗଷ୍ଟ ୨୮ରେ ସାଲେପୁର ଅତିରିକ୍ତ ଦୌରା ଜଜ୍ ଅଦାଲତ ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଉପଯୁକ୍ତ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତଙ୍କୁ ମାମଲାରୁ ଦୋଷମୁକ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/18/pratap-jena-2025-08-18-01-38-16.jpg)