ମାହାଙ୍ଗା ନରସଂହାର: ହତ୍ୟା କରିବାକୁ ବାଲିଚନ୍ଦ୍ରପୁରରେ କଟୁରିରେ ଶାଣ ଦେଇଥିଲା ଶିବ

କଟକ/ମାହାଙ୍ଗା: ବଡ଼ ଭାଇର ପରିବାରକୁ ନିଶ୍ଚିହ୍ନ କରି ଦେବ ବୋଲି ବାଲିଚନ୍ଦ୍ରପୁର ବଜାରରେ କଟୁରିରେ ଶାଣ ଦେଇଥିଲା ଅଭିଯୁକ୍ତ ଶିବ। ମାହାଙ୍ଗା ନରସଂହାର ଘଟଣାରେ ପୁଲିସ ଶିବ ପ୍ରସାଦ ସାହୁକୁ ଏକମାତ୍ର ଅଭିଯୁକ୍ତ ବୋଲି ଧରି ନେଇଥିବା ବେଳେ ତାକୁ ଧରି ଆଜି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରେ ପହଞ୍ଚିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ କୁଟୁରି ଶାଣ କରିଥିବା ପ୍ରଦୀପ୍ତ ମହାରଣାଙ୍କ ଦୋକାନରେ ଶିବ ପହଞ୍ଚି ଥିଲା ଏବଂ ସେହି ଦୋକାନରେ କଟୁରି ଶାଣ କରିଥିଲା ବୋଲି କହିଥିଲା। ଦୋକାନୀ ପ୍ରଦୀପ୍ତ ବି ଶିବକୁ ଚିହ୍ନିଥିଲେ।

ଅନ୍ୟପଟେ ଆଜି ଶିବର ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ଆସନ୍ତାକାଲି ତାକୁ କୋର୍ଟରେ ହାଜର କରାଯିବ। ଯଦି ଆଗକୁ ଆବଶ୍ୟକ ହୁଏ ତେବେ‌ ଶିବକୁ ପୁଣି ରିମାଣ୍ଡରେ ଅଣାଯିବ ବୋଲି ଏସ୍‌ଡିପିଓ ବିମଳ ବାରିକ ସୂଚନା ଦେଇଛନ୍ତି। ଗତକାଲି ହତ୍ୟାକାଣ୍ଡ ସ୍ଥାନରୁ ପୁଲିସ ଜବତ୍‌ କରିଥିବା ପେଚ୍‌କସ୍‌, ଫ୍ୟାନ୍‌, ଗାମୁଛା ତଥା ବିଭିନ୍ନ ସାମଗ୍ରୀର ପରୀକ୍ଷା ପାଇଁ ଫରେନ୍‌ସିକ୍‌ ଲାବ୍‌କୁ ପଠାଇବାକୁ ପଦକ୍ଷେପ ନିଆଯାଇଛି।

କିନ୍ତୁ ମୃତ ଅଲେଖ ସାହୁଙ୍କ ଶଳା ଦୀପକ ପୃଷ୍ଟି ଏହି ହତ୍ୟାକାଣ୍ଡରେ ଶିବର ପତ୍ନୀର ସଂପୃକ୍ତିର ତଦନ୍ତ ପାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେ ହତ୍ୟାକାଣ୍ଡର ଶିକାର ହୋଇଥିବା ତାଙ୍କ ଭାଣିଜୀ ସ୍ମୃତିସଂଧ୍ୟାଙ୍କ ହାତମୁଠାରେ ମହିଳାଙ୍କ ଚୁଟି ଲାଗିଥିବା ବେଳେ, ସେ ଚୁଟି କାହାର? ପୁଲିସ ଶିବର ପତ୍ନୀ ସୁନିତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଆବଶ୍ୟକ। ଏହା ବ୍ୟତୀତ ତାଙ୍କ ଭଉଣୀ ଘରେ ଯେଉଁ ସୁନା ଅଳଙ୍କାର ରଖିଥିଲେ, ସେଗୁଡିକ ଏବେ ଅଛି କି ନାହିଁ, ତାହା ପୁଲିସ ସ୍ପଷ୍ଟ କରୁ ଏବଂ ସିଲ୍ ହୋଇଥିବା ଘରକୁ ତାଙ୍କୁ ହସ୍ତାନ୍ତର କରୁ ବୋଲି ଦୀପକ ଦାବି କରିଛନ୍ତି।

ଅଭିଯୁକ୍ତର ୩ ଦିନିଆ ରିମାଣ୍ଡ୍‌ ଶେଷ
ଶିବର ପତ୍ନୀଙ୍କୁ ତଦନ୍ତ ପରିସରଭୁକ୍ତ ଦାବି

ଶିବକୁ ପୁଲିସ ଗୁରୁବାର ଦିନ ରିମାଣ୍ଡରେ ଆଣିଥିଲା। କିନ୍ତୁ ସେଦିନ ଶିବ ଚାଲି ନପାରିବାରୁ ରିମାଣ୍ଡର ପ୍ରଥମ ଦିନ ବେକାର ଯାଇଥିଲା। ଗତକାଲି କୁସୁପୁର ଗାଁ ତଥା ହତ୍ୟାକାଣ୍ଡ ଘଟାଇଥିବା ସ୍ଥଳ ଓ ଭଡ଼ାଘରେ ପହଞ୍ଚି ପୁଲିସ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରିଥିଲା। କିନ୍ତୁ ଏଯାଏ କେବଳ ଶିବକୁ ଅଭିଯୁକ୍ତ ଭାବେ ପୁଲିସ ଦର୍ଶାଉଛି। ପୁଲିସ ଏଯାଏ ବ୍ୟବଚ୍ଛେଦ ରିପୋର୍ଟ ପାଇ ନଥିବାରୁ ତଦନ୍ତ ବିଶେଷ ଆଗେଇ ପାରୁନଥିବା କୁହାଯାଉଛି। କେବଳ ଶିବର ବୟାନ ଉପରେ ପୁଲିସ ବିଶ୍ବାସ କରି ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି।

ଭିତର ପଟୁ କବାଟ ଦେଇ ଶିବ ସମସ୍ତଙ୍କୁ ଜଣକ ପରେ ଜ‌ଣକୁ ହାଣି ଥିବା କହୁଛି। ଘରର ଲାଇଟ ବନ୍ଦ ଥିବା ବେଳେ ମୋବାଇଲ ଟର୍ଚ ଆଲୁଅରେ ୫ ଜଣଙ୍କୁ ହତ୍ୟା କରିଥିଲା। ପ୍ରଥମେ ଭାଉଜକୁ ପରେ ବଡ଼ଭାଇ ଅଲେଖକୁ, ପରେ ଦୁଇ ପୁତୁରାଙ୍କୁ ଓ ଶେଷରେ ଝିଆରୀକୁ ଶିବ ହାଣି ଥିବା କହୁଛି। ସମସ୍ତଙ୍କୁ ହାଣିବା ଏବଂ ସମସ୍ତେ ମରି ଯାଇଥିବା ନିଶ୍ଚିତ ହେବା ପରେ ଛାତ ଉପରକୁ ଯାଇ ଶିବ ଘଣ୍ଟାଏ ପବନ ଖାଇ ଘରର ମୁଖ୍ୟ ଫାଟକରେ ତାଲା ପକାଇ ନିଜ ଭଡ଼ା ଘରକୁ ଫେରିଯାଇଥିଲା ଏବଂ ପରେ ଭିଡିଓ ପ୍ରସ୍ତୁତ କରି ଛାଡ଼ିବା ସହିତ ଥାନାକୁ ଯାଇ ଆତ୍ମସମର୍ପଣ କରିଥିବା କହୁଛି। ଏ ସବୁର ସତ୍ୟାସତ୍ୟକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ରହୁଥିଲେ ବି ପୁଲିସ ଶିବକୁ ଧରି ଏଯାଏ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଗଲା ୧୧ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତ ଶିବ ତାର ବଡ଼ ଭାଇ, ଭାଉଜ, ଦୁଇ ପୁତୁରା ଓ ଝିଆରୀଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର