କଟକ/ମାହାଙ୍ଗା: ମାହାଙ୍ଗା ନରସଂହାର ଘଟଣାର ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ରିମାଣ୍ଡରେ ଆଣି ରହସ୍ୟ ଉନ୍ମୋଚନ କରିବାକୁ ପଦକ୍ଷେପ ନେଇଛି ପୁଲିସ। କିନ୍ତୁ ତିନିଦିନିଆ ରିମାଣ୍ଡର ଆଜି ପ୍ରଥମଦିନ ବେକାର ଯାଇଛି। ଅଭିଯୁକ୍ତ ଶିବପ୍ରସାଦ ସାହୁ ଚାଲିପାରୁନି। ତା’ର ବାମ ଗୋଡ ଷ୍ଟିଫ୍ (ଶିରା ଟାଣିଧରିବା) ହୋଇଯିବାରୁ ସେ ଜେଲ୍ରୁ ବାହାରିବା ସମୟରେ ଚାଲି ପାରିନଥିଲା। ଫଳରେ ତାକୁ ଜେଲ୍ରୁ ଆଣି ମାହାଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଠିକ୍ହେଲେ ତାକୁ ଆସନ୍ତାକାଲି ଜେରା କରିବାର ଯୋଜନା ରଖିଛି ପୁଲିସ। ଯଦି ସମ୍ଭବ ହୁଏ, ଆସନ୍ତାକାଲି ସକାଳେ ଶିବକୁ କ୍ରାଇମ୍ ରିକ୍ରିଏସନ୍ ପାଇଁ ଘଟଣାସ୍ଥଳକୁ ନିଆଯିବ ବୋଲି ସାଲେପୁର ଏସ୍ଡିପିଓ ବିମଳ ବାରିକ୍ ସୂଚନା ଦେଇଛନ୍ତି। କଟକ ଗ୍ରାମାଞ୍ଚଳ ଏସ୍ପି ବି.ଯୁଗଲ କିଶୋର ଛୁଟିରେ ଥିବାରୁ ଆଜି ଦାୟିତ୍ବରେ ଥିବା ଅତିରିକ୍ତ ଏସ୍ପି ଅଶୋକ ବେହେରା ମାହାଙ୍ଗା ଥାନାରେ ପହଞ୍ଚି ଘଟଣାର କେମିତି ତଦନ୍ତ କରାଯିବ ଓ କେଉଁ କେଉଁ ଦିଗ ଉପରେ ପୁଲିସ ତଦନ୍ତ କରିବ; ସେ ନେଇ ସାଲେପୁର ଏସ୍ଡିପିଓ, ମାହାଙ୍ଗା ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଅନ୍ୟପଟେ ହତ୍ୟାକାଣ୍ଡ ଘଟିଥିବା କୋଠରୀରୁ ପୁଲିସ କଟୁରୀ, ପିନ୍ଧିଥିବା ଲୁଙ୍ଗି, ରକ୍ତ ଭିଜା ଗଞ୍ଜି, ମୃତ ସ୍ମୃତିସନ୍ଧ୍ୟାଙ୍କ ହାତମୁଠାରୁ ମହିଳାଙ୍କ ଲମ୍ବା ଚୁଟି, ବଳକା ଖାଦ୍ୟ ସାମଗ୍ରୀ ଇତ୍ୟାଦି ଜବତ୍ କରାଯାଇଛି। ତେବେ ଜବତ୍ ହୋଇଥିବା କଟୁରୀ ପ୍ରକୃତରେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଛି ନା ନାହିଁ, ଜବତ୍ ଚୁଟି କାହାର ସେସବୁ ଫରେନ୍ସିକ୍ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
ଏହାବ୍ୟତୀତ ମୃତ ୫ ଜଣଙ୍କୁ କୌଣସି ପ୍ରକାର ନିଶା ଦିଆଯାଇ ଅଚେତ କରାଯାଇଥିଲା କି ନାହିଁ, ସେ ସଂପର୍କରେ ସଂପର୍କରେ ସ୍ପଷ୍ଟ ହେବା ପାଇଁ ଭେସେରା ରିପୋର୍ଟକୁ ଅପେକ୍ଷା କରାଯାଉଛି। କିନ୍ତୁ ଏବେ ବି ସମସ୍ତଙ୍କୁ ସେ ହିଁ ଏକା ହତ୍ୟା କରିଛି ବୋଲି ଶିବ ବାରମ୍ବାର ପୁଲିସ ଆଗରେ କହୁଛି। ଶିବ ଦେଉଥିବା ତଥ୍ୟ ଅନୁଯାୟୀ ବଡ଼ଭାଇ ଅଲେଖ ସାହୁ (୪୪), ପତ୍ନୀ ରଶ୍ମିରେଖା ପୃଷ୍ଟି (୩୮), ପୁଅ ସ୍ମୃତି ସାହିଲ ସାହୁ (୧୭), ସ୍ମୃତି ସୌରଭ (୧୪) ଓ ଝିଅ ସ୍ମୃତିସନ୍ଧ୍ୟା ସାହୁ (୧୯) ଗୋଟିଏ କୋଠରୀରେ ଶୋଇଥିଲେ। ଗରମ ହେଉଥିବାରୁ ସେମାନେ କବାଟ ଖୋଲା ରଖି ଶୋଇଥିଲେ। ଶିବ ଶୋଇବା କୋଠରୀକୁ ପଶିଯାଇ ପ୍ରଥମେ ଭାଉଜ, ତା ପରେ ଭାଇ, ଦୁଇ ପୁଅକୁ ହତ୍ୟା କରିବା ପରେ ଶେଷରେ ଝିଆରୀକୁ ହତ୍ୟା କରିଥିବା ପୁଲିସ ଆଗରେ ବୟାନ ହେଉଛି। ଏପରିକି ସମସ୍ତଙ୍କୁ ମାରିବା ପରେ ପ୍ରକୃତରେ ସମସ୍ତଙ୍କର ମୃତ୍ୟୁ ହେଲା ନା ନାହିଁ ତାକୁ ଜାଣିବା ପାଇଁ ଘଣ୍ଟାଏ କାଳ ସେଠାରେ ଅପେକ୍ଷା କରି ବସିଥିଲା। ନିଜେ ପିନ୍ଧିଥିବା ଗଞ୍ଜିରେ ଚଟାଣରେ ପଡିଥିବା ରକ୍ତକୁ ପୋଛିବାକୁ ବି ଉଦ୍ୟମ କରିଥିଲା। ଏବଂ ପରେ ଘର ତାଲା ପକାଇ ଚାଲି ଯାଇଥିଲା। ପରେ ନିଜର ଭିଡିଓ ପ୍ରସ୍ତୁତ କରିଥିଲା ଏବଂ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲା। ଶିବ ଏଯାଏ ଯାହା ସବୁ କହି ଆସିଛି, ତାହାକୁ ନେଇ ସନ୍ଦେହ ରହିଥିଲେ ବି ତାକୁ ଜେରା ଆରମ୍ଭ ହୋଇ ନଥିବାରୁ ଅଧିକ କିଛି ତଥ୍ୟ ମିଳିପାରୁନାହିଁ। ଆଜି ଗଣମାଧ୍ୟମ ସାମନାରେ ଶିବ କେବଳ ହାତ ଦେଖାଇ ସେ ହିଁ ଏକା ଏସବୁ କରିଛି ବୋଲି କହିବାକୁ ଉଦ୍ୟମ କରିଥିଲା।