ମାହାଙ୍ଗା ମର୍ଡର-ପ୍ରଫୁଲ୍ଲ ମୃତ୍ୟୁ ଘଟଣା : ପୁଣି ମନ୍ତ୍ରୀଙ୍କ ନାମ ଯୋଡ଼ି ଏଫ୍‌ଆଇଆର୍ ଦେ‌ଲେ ରମାକାନ୍ତ

କଟକ/ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ଓ ବିକାଶ ଯେନା ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତଦେହ ମିଳିବା ପରେ ପୁଣି ଅଭିଯୋଗ ନେଇ ସାମ୍‌ନାକୁ ଆସିଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳ। ରମାକାନ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ଯୋଡ଼ି ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ମୋବାଇଲ୍ ଫୋନ କଥାବାର୍ତ୍ତାର ରେକର୍ଡିଂ ନଥିବାରୁ ଏହାକୁ ଏକ ଷ୍ଟେସନ ଡାଏରି କରାଯାଇଛି ବୋଲି ମାହାଙ୍ଗା ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ରମାକାନ୍ତ କରିଥିବା ଅଭିଯୋଗ ଅନୁଯାୟୀ, ମୃତ୍ୟୁର କେଇ ଘଣ୍ଟା ପୂର୍ବରୁ ପ୍ରଫୁଲ୍ଲ ବିଶ୍ବାଳ ତାଙ୍କୁ ଫୋନ୍‌ କରିଥିଲେ। ତାଙ୍କ ସହିତ ୧ ମିନିଟ୍‌ ୪୦‌ ସେକେଣ୍ଡ କଥା ହୋଇଥିଲେ। ଫେବ୍ରୁଆରି ୫ ତାରିଖ ରାତି ପ୍ରାୟ ସାଢେ ୯ଟାରେ ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିବା ବେଳେ ସେହି ଦିନ ପ୍ରାୟ ୨ଟା ୫ ମିନିଟ୍‌ରେ ୯୧୧୪୫୮୨୫୫୧ରୁ ଏକ ଫୋନ୍‌ କଲ୍‌ ଆସିଥିଲା। ସେପଟୁ ଶୁଣିବାକୁ ମିଳିଥିଲା ‘ନନା ମୁଁ କାବୁଆ କହୁଛି। ମୋର ଓ ମୋ ସାନଭାଇର ପିଲାମାନେ ତୁମକୁ ଲାଗିଲେ। ଜଗନ୍ନାଥଙ୍କ ରାଣ ଖାଇ କହୁଛି, ମନ୍ତ୍ରୀ ପ୍ରତାପ ଜେନା ଆମକୁ ଫସେଇ ଦେଲେ। ତାଙ୍କରି ପାଇଁ ଆମେ ତିନି ତିନିଟି ହତ୍ୟାକାଣ୍ଡରେ ସାମିଲ ହେଲୁ।’ ଏଭଳି ଶୁଣିବା ପରେ ଭୟଭୀତ ହୋଇ ରମାକାନ୍ତ କିଛି କହିବା ପୂର୍ବରୁ ଫୋନ କଟି ଯାଇଥିଲା। ଏ ପ୍ରକାର ଫୋନ୍‌ ପାଇବା ପରେ ତୁରନ୍ତ ଘଟଣା ସଂପର୍କରେ ସେ ସାଲେପୁର ଏସ୍‌ଡିପିଓଙ୍କୁ ଜଣାଇଥିଲେ। ଏସ୍‌ଡିପିଓ କହିଥିଲେ ଯେ ପୁଲିସ ଉକ୍ତ ନମ୍ବରକୁ ଟ୍ରାକ୍‌ କରୁଛି। ତମେ ଘଟଣା ସଂପର୍କରେ କାହାକୁ ସୂଚନା ଦେଲେ ପ୍ରଫୁଲ୍ଲ ଖସିଯିବ। ତେଣୁ ସେ ଚୁପ୍‌ ରହିଥିଲେ। କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟାକୁ ନେଇ ରୁଜୁ ହୋଇଥିବା ଏତଲାର ୨ ଓ ୧୩ ନମ୍ବରରେ ଥିବା ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ ଗିରଫ କରି ନ୍ୟାୟ ପ୍ରଦାନ କରିବାକୁ ରମାକାନ୍ତ ଅନୁରୋଧ କରିଛନ୍ତି। କେବଳ ଏତିକି କଥା ରମାକାନ୍ତ ଉଲ୍ଲେଖ କରିଥିବା ବେଳେ ଅନ୍ୟ ବାର୍ତ୍ତାଳପ ସବୁ ପୁଲିସ କଲ୍‌ ରେକର୍ଡ ଯାଂଚ କଲେ ଜାଣିପାରିବ ବୋଲି ରମାକାନ୍ତ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨ ନମ୍ବର ସ୍ଥାନରେ ମୃତ ପ୍ରଫୁଲ୍ଲ ବିଶ୍ବାଳଙ୍କ ନାମ ଥିବା ବେଳେ ୧୩ ନମ୍ବର ସ୍ଥାନରେ ପ୍ରତାପ ଜେନାଙ୍କ ନାମ ରହିଛି। ଅନ୍ୟପଟେ ଟାଙ୍ଗୀ ଜାତୀୟ ରାଜପଥରୁ ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତଦେହ ମିଳିବା ଓ ତାଙ୍କ ପରିବାର ପକ୍ଷରୁ ଦୁର୍ଘଟଣାରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଉପରେ ଟାଙ୍ଗୀ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଘଟଣାର ତିନି ଦିନ ପରେ ବି ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରି ପାରିନି ପୁଲିସ।

ସମ୍ବନ୍ଧିତ ଖବର