ମାହାଙ୍ଗା ଡବଲ୍ ମର୍ଡର ଘଟଣା : ମନ୍ତ୍ରୀଙ୍କୁ ଟଣା ନଯାଉ: ପଞ୍ଚାୟତ ସମିତି ମହାସଂଘ

ଭୁବନେଶ୍ବର : କଟକ ଜିଲ୍ଲା ମାହାଙ୍ଗାରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ଘଟଣାରେ ରାଜନୈତିକ ଅଭିସନ୍ଧି ରହିଛି। ଏଣୁ ଜାଣିଜାଣି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟଣାଯାଉଛି ବୋଲି ଅଭିଯୋଗ କରିଛି ଓଡ଼ିଶା ରାଜ୍ୟ ପଞ୍ଚାୟତ ସମିତି ସଭ୍ୟ/ସଭ୍ୟା ମହାସଂଘ। ଶିକ୍ଷକ ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ଏହା କହିବା ସହ ବିରୋଧୀ ଦଳଗୁଡ଼ିକୁ ଏପରି ନ କରିବାକୁ ନିବେଦନ କରିଛି।

ମହାସଂଘର ମୁଖ୍ୟ ଉପଦେଷ୍ଟା ଧୀରେନ୍ଦ୍ର ନାଥ ବେହେରାଙ୍କ ଅଭିଯୋଗ ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାହାଙ୍ଗାରେ ଦୁଇଟି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ମାତ୍ର ୪୮ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସମେତ ୭ ଜଣଙ୍କୁ ପୁଲିସ୍ ଗିରଫ କରିସାରିଛି। ମନ୍ତ୍ରୀ ପ୍ରତାପ ଜେନା ନିଜେ ଏହି ଘଟଣାକୁ କଡ଼ା ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କିପରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ, ସେ ନେଇ ବ୍ୟକ୍ତିଗତ ଭାବରେ ପ୍ରଚେଷ୍ଟା କରୁଥିବା କହିଛନ୍ତି। ଅଭିଯୁକ୍ତ ମଧ୍ୟ ଦୋଷ ସ୍ୱୀକାର କରିଛନ୍ତି। ଏହା ସତ୍ତ୍ୱେ ବିରୋଧୀ ଦଳ ଘଟଣାକୁ ରାଜନୈତିକ ରୂପ ଦେଇ ମନ୍ତ୍ରୀଙ୍କୁ ଟାଣିବା ହୀନ ଚକ୍ରାନ୍ତ ବୋଲି ଶ୍ରୀ ବେହେରା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ଲକ୍ଷ୍ମଣ ରାଉତ, ସଭାପତି ଶରତ କୁମାର ଖିଲାର, ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାମଲ, ସଂଗଠନ ସମ୍ପାଦକ ପାରେଶ୍ୱର ନାୟକ, ଉପସଭାପତି ଗୋପବନ୍ଧୁ ସ୍ୱାଇଁ, ସମ୍ପାଦକ ନିତ୍ୟାନନ୍ଦ ବେହେରା, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବାହାଲିଆ, ସମିତି ସଭ୍ୟ ଅଜୟ କୁମାର ବେହେରା, ଟାଙ୍ଗୀ ବ୍ଲକ୍ ଉପାଧ୍ୟକ୍ଷ ଜାନକୀ ପରିଡ଼ା, ରମେଶ ରାଉତ, ଲକ୍ଷ୍ମୀଧର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର