ପୁଣି ଚର୍ଚ୍ଚାରେ ମାହାଙ୍ଗା: ରାଜ୍ୟ ସରକାରଙ୍କ ଦିନକାଳ ସରିସରି ଆସୁଛି ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ

ଅହଙ୍କାରୀ ଲୋକଙ୍କୁ ମହାପ୍ରଭୁ ଓଡ଼ିଶାରେ ଜିତିବାକୁ ଦେବେନି: ବବି
କଂଗ୍ରେସ କହିଲା; ଉଭୟ ନବୀନ-ମୋଦୀଙ୍କ ଦିନ କାଳ ଆଉ ବେଶି ନୁହେଁ
ପ୍ରତାପ ଜେନା ରାଜ୍ୟର ବେଆଇନ ମନ୍ତ୍ରୀ: ଧର୍ମେନ୍ଦ୍ର

ମାହାଙ୍ଗା/ ଭୁବନେଶ୍ବର : ମାହାଙ୍ଗା ଡବଲ ମର୍ଡର ଘଟଣାର ବର୍ଷେ ବିତିଯାଇଥିଲେ ମଧ୍ୟ ବିଜେପି ନେତା ସ୍ବର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଓ ତାଙ୍କୁ ଭଲ ପାଉଥିବା ଲୋକମାନେ ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି। ଏହି ଘଟଣାରେ ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀଙ୍କ ବିରୋଧରେ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ରାଜ୍ୟ ସରକାର କେବେ ମୃତକଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୁଳମଣି ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଆଉ ପାଦେ ଆଗକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲିନାହାନ୍ତି। କହିଛନ୍ତି ଯେ ଯେ ଏ ସରକାରର ଦିନକାଳ ସରି ସରି ଆସୁଛି।

ତେବେ ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଅଛି ବୋଲି କେନ୍ଦ୍ରମନ୍ତ୍ରୀ ଏଭଳି ଶାଣିତ ଶବ୍ଦ ପ୍ରୟୋଗ କରିଛନ୍ତି ନା ବାସ୍ତବରେ ବିଜେପିର ରଣନୀତି ଓଡ଼ିଶା କ୍ଷେତ୍ରରେ ବଦଳିଲା, ତାହାକୁ ନେଇ ଏହି ମହଲରେ ଆଲୋଚନା ଚାଲିଛି।

ଏପଟେ ବିଜୁ ଜନତା ଦଳ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ଗୁରୁତ୍ବର ସହିତ ଗ୍ରହଣ କରିଛି। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ (ବବି) ଦାସ ନିଜେ ସାମ୍ନାକୁ ଆସି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି। ଟ୍ବିଟ୍ କରି ପ୍ରଣବ ପ୍ରକାଶ କହିଛନ୍ତି, ‘ମହାପ୍ରଭୁଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ବାସ ଅଛି। ଅହଙ୍କାରୀ ଲୋକଙ୍କୁ ମହାପ୍ରଭୁ ଓଡ଼ିଶା ମାଟିରେ କେବେ ବି ଜିତିବାକୁ ଦେବେ ନାହିଁ। ଭାଈ, ଆପଣ ବି ଏହା ନିଜେ ଅନୁଭବ କରିଛନ୍ତି।’ ଏହି ବୟାନବାଜିରେ କଂଗ୍ରେସ ମଧ୍ୟ ସାମିଲ ହୋଇଛି। ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଉଭୟ ନାଟକବାଜି କରୁଛନ୍ତି ବୋଲି ସଙ୍ଗିନ୍ ଅଭିଯୋଗ ଆଣିଛନ୍ତି। ଶ୍ରୀ ବେହେରା କହିଛନ୍ତି ଯେ ରାଜ୍ୟରେ ନବୀନ ସରକାର ଏବଂ କେନ୍ଦ୍ରରେ ମୋଦୀ ସରକାର ଉଭୟ ଜନବିରୋଧୀ ନୀତି ଗ୍ରହଣ କରିଛନ୍ତି। ଏଠି ଯେମିତି ମାହାଙ୍ଗା ଘଟଣାରେ ମନ୍ତୀଙ୍କୁ ସୁରକ୍ଷା ଦିଆଯାଇଛି; ଉତ୍ତରପ୍ରଦେଶରେ ବି ଲଖମିଖେରି ମାମଲାରେ କେନ୍ଦ୍ର ସରକାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେଇଛନ୍ତି। ଏସବୁ ଚରମ ସୀମାରେ ପହଞ୍ଚିଲାଣି। ଜଣେ ନୁହେଁ, ଉଭୟ ନବୀନ -ମୋଦୀଙ୍କ ସମୟ କାଳ ସରି ସରି ଆସୁଛି, ସେ ଦିନ ଆଉ ବେଶି ଦୂର ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି।

ଆଜି ମାହାଙ୍ଗାରେ ଆୟୋଜିତ ସଭାରେ ଶ୍ରୀ ପ୍ରଧାନ କହିଥିଲେ, ରାଜ୍ୟ ସରକାର ନିଜକୁ ସ୍ବଚ୍ଛ ଓ ପାରଦର୍ଶୀ ସରକାର କହି ସୁଆଙ୍ଗ ରଚୁଛନ୍ତି। ମାହାଙ୍ଗା ହତ୍ୟାକାଣ୍ଡର ବର୍ଷକ ପରେ ଆଜି ଯେଉଁ ଅବସ୍ଥାରେ ମାମଲା ଅଛି ତାହା ତାର ପ୍ରମାଣ ଦେଉଛି। ସ୍ଥାନୀୟ ବିଧାୟକ, ତଥା ‘ବେଆଇନ୍’ ମନ୍ତ୍ରୀଙ୍କ ନାଁ ପୁଲିସ ମାମଲାରୁ କାଟି ଦେଲା। ଏମିତିକି ମନ୍ତ୍ରୀଙ୍କ ବ୍ୟାବସାୟିକ ପେଣ୍ଠସ୍ଥଳରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା। ତଳ କୋର୍ଟର ନିଷ୍ପତ୍ତିକୁ ରାଜ୍ୟ ସରକାରଙ୍କ ପୁଲିସ ମାନିଲା ନାହିଁ । ଆଇନ ତା ବାଟରେ ଯିବ କହି କୋର୍ଟଙ୍କ ରାୟକୁ ସରକାର ଅବମାନନା କରି ଚାଲୁଛନ୍ତି। ରାଜ୍ୟ ସରକାର ସରକାରୀ କଳର ଅପବ୍ୟବହାର କରି ଗରିବ ଲୋକଙ୍କୁ ହଇରାଣ କରୁଛନ୍ତି। ଅବ୍ୟବସ୍ଥା, ଅତ୍ୟାଚାର ଓ ଅନ୍ୟାୟକୁ ଗଣତନ୍ତ୍ରରେ ନାଗରିକମାନେ ସହ୍ୟ କରନ୍ତି ନାହିଁ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୧ ହଜାରରୁ ଅଧିକ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ମନ୍ତ୍ରଣାଳୟର ଅଧିକାରୀଙ୍କ ପକ୍ଷରୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି। ସଂସଦ ଚାଲିଥିବା ବେଳେ ରାଜ୍ୟ ସରକାର ବାରମ୍ବାର ଆବାସ ପ୍ଲସ ପୋର୍ଟାଲ ଖୋଲିବାର କଥା କହି ସୁଆଙ୍ଗ ରଚିଛନ୍ତି। ଫନିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ସହୃଦୟତାର ସହ ଆବାସ ପ୍ଲସ ପୋର୍ଟାଲ ଖୋଲିଲେ। ମାତ୍ର ରାଜ୍ୟ ସରକାର ସେହି ତାଲିକାରେ ସେତେବେଳେ ପଶ୍ଚିମ ଓଡ଼ିଶାର ଭାଇ ଭଉଣୀଙ୍କର ନାଁ ସାମିଲ ନକରି ଏବେ ସୁଆଙ୍ଗ ରଚୁଛନ୍ତି।

୨୦୨୧, ଜାନୁଆରି ୧ ତାରିଖରେ କୁଳମଣି ବରାଳ ତାଙ୍କୁ ଭୁବନେଶ୍ବରରେ ଭେଟିବା ସହ ମାହାଙ୍ଗା ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା କେଳେଙ୍କାରୀ ବା ଦଳୀୟ ଆଧାରରେ ବଣ୍ଟନ ବିଷୟରେ ଅବଗତ କରିଥିଲେ। ସେ ତାଙ୍କ ପାଖକୁ ଇଂରାଜୀ ନବବର୍ଷରେ ଆଶୀର୍ବାଦ ଦେବା ପାଇଁ ଆସିଥିଲେ। ମାତ୍ର ତା’ ପରଦିନ ତାଙ୍କର ହତ୍ୟା ହେଲା। ରାଜ୍ୟରେ କ୍ଷମତାରେ ଥିବା ଲୋକମାନେ ସ୍ବର୍ଗତ ବରାଳ ଓ ତାଙ୍କ ସହଯୋଗୀଙ୍କୁ ପିଏମ ଆବାସ ଯୋଜନାରେ ସ୍ବର ଉଠାଇବାରୁ ହତ୍ୟା କଲେ ବୋଲି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଥିଲେ।

ସ୍ମୃତି ସଂସଦର ସଭାପତି ଡକ୍ଟର ପ୍ରତାପ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଓ ସଂସଦର ସଂପାଦକ ତଥା ଶିକ୍ଷାବିତ ମାଧବ ଚନ୍ଦ୍ର ପଣ୍ତାଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡା, କଟକ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ଜିଲ୍ଲା ପ୍ରଭାରୀ ଅମର ନାୟକ, ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ, ଆଠଗଡ ବିଜେପି ନେତା ବ୍ରଜେନ୍ଦ୍ର ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ଯାଜ୍ଞସେନୀ ଜେନା, ବରାହିପୁର ସମିତସଭ୍ୟ ରଂଜିତ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ କୁଳମଣି ବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅତିଥିମାନେ ନୃତାଙ୍ଗ ପଂଚାୟତ କାର୍ଯ୍ୟଳୟ ନିକଟରେ ସ୍ବର୍ଗତ କୁଳମଣି ବରାଳଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହି ଅବସରରେ ‘ସ୍ମୃତି ପ୍ରଦୀପ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଚାରି ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ କୁଳମଣି ସ୍ମୃତିସଂସଦ ପକ୍ଷରୁ ଗରିବ ମେଧାବୃତ୍ତି ପ୍ରଦାନ କରାଯାଇଥିଲା। ପୂର୍ବତନ ସରପଂଚ ଜିତେନ୍ଦ୍ର ଶତପଥୀ ଧନ୍ୟବାଦ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ବର୍ଗତ ବରାଳଙ୍କ ପୁଅ ତଥା ନୁର୍ତାଙ୍ଗ ସମିତିସଭ୍ୟ ରମାକାନ୍ତ ବରାଳ, ଋଷିକୁମାର ରାଉତ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଭକ୍ତଚରଣ ସ୍ବାଇଁ, ଅଭିନ ଜେନା, ରାମଚନ୍ଦ୍ର ବେହେରା, ଗୌତମ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର